ଓଡ଼ିଶାଲାଇଭ୍ ବ୍ୟୁରୋ

ଇଂଲଣ୍ଡର ବର୍ମିଂହାମରେ ଖେଳାଯାଉଥିବା ୨୨ତମ କମନୱେଲଥ୍ ଗେମରେ ଭାରତକୁ ମିଳିଛି ପ୍ରଥମ ପଦକ। କମନୱେଲଥ୍ ଗେମର ଆଜି ଦ୍ୱିତୀୟ ଦିନରେ ରୌପ୍ୟ ପଦକ ହାସଲ କରିଛନ୍ତି ଷ୍ଟାର ଭାରୋତ୍ତଳକ ମହାରାଷ୍ଟ୍ର ସାଙ୍ଗଲି ନିବାସୀ ସଙ୍କେତ ମହାଦେବ ସାରଗର। କମନୱେଲଥ୍ ଗେମରେ ରୌପ୍ୟ ପଦପ ଜିତି ଆଜି ଖାତା ଖୋଲିଛି ଭାରତ।

ସଙ୍କେତ ମହାଦେବ ସାରଗର ପ୍ରଥମ ରାଉଣ୍ଡ ଅର୍ଥାତ ସ୍ନାଚରେ ବେଷ୍ଟ ୧୧୩ କିଲୋଗ୍ରାମ ଏବଂ ଦ୍ଵିତୀୟ ରାଉଣ୍ଡ ଅର୍ଥାତ କ୍ଳିନ ଆଣ୍ଡ ଜର୍କରେ ୧୩୫ କିଲୋଗ୍ରାମ ଭାର ଉଠାଇ ରୌପ୍ୟ ପଦକ ଜିତିବାକୁ ଯୋଗ୍ୟ ବିବେଚିତ ହୋଇଥିଲେ।

ଅଳ୍ପକେ ସ୍ଵର୍ଣ୍ଣ ପଦକରୁ ବଞ୍ଚିତ ହେଲେ ସଙ୍କେତ

ଭାରୋତ୍ତଳନର ଦ୍ଵିତୀୟ ରାଉଣ୍ଡର ଶେଷ ଦୁଇ ଚେଷ୍ଟରେ ସଫଳ ହୋଇପାରିନଥିଲେ ସଙ୍କେତ ମହାଦେବ ସାରଗର। ଦ୍ଵିତୀୟ ଚେଷ୍ଟାରେ ସଙ୍କେତ ୧୩୯ କିଲୋଗ୍ରାମ ଭାର ଉଠାଇବାକୁ ଚାହିଁଥିଲେ। କିନ୍ତୁ ପାରିନଥିଲେ। ସେ ସାମାନ୍ୟ ଅସୁସ୍ଥ ହୋଇପଡ଼ି ଦେଖି ସେଠାରେ ଉପସ୍ଥିତ ମେଡିକାଲ ଟିମ୍ ସଙ୍କେତଙ୍କ ସ୍ଵାସ୍ଥ୍ୟାବସ୍ଥା ଯାଞ୍ଚ କରି ଚିକିତ୍ସା କରିଥିଲେ। ସଙ୍କେତ ଠିକ୍ ଥିବା କହି ତୃତୀୟ ଚେଷ୍ଟା କରିଥିଲେ। ତୃତୀୟ ଚେଷ୍ଟାରେ ସେ ପୁନର୍ବାର ୧୩୯ କିଲୋଗ୍ରାମ ଭାର ଉଠାଇବାକୁ ଚେଷ୍ଟା କରିଥିଲେ, କିନ୍ତୁ ବିଫଳ ହୋଇଥିଲେ। ଅଳ୍ପକେ ସ୍ଵର୍ଣ୍ଣ ପଦକ ପାଇବାରୁ ବଞ୍ଚିତ ହୋଇଥିଲେ ସଙ୍କେତ। ମାଲେସିଆର ଭାରୋତ୍ତଳକ ବିନ କସଦନ ମହମ୍ମଦ ୨୪୯ କିଲୋଗ୍ରାମ ଭାର ଉତ୍ତୋଳନ କରି ସ୍ଵର୍ଣ୍ଣ ପଦପ ବିଜୟୀ ହୋଇଛନ୍ତି।

ଗତ ବର୍ଷ ଚାମ୍ପିୟନସିପରେ ଜିତିଥିଲେ ସ୍ଵର୍ଣ୍ଣ ପଦକ

ଜାତୀୟ ସ୍ତରରେ ସଙ୍କେତ ମହାଦେବ ସାରଗର ଜଣେ ସୁପରିଚିତ ଭାରୋତ୍ତଳକ। ସେ ଅନେକ ସମ୍ମାନ ଏବଂ ବଦକ ହାସଲ କରିଛନ୍ତି। ସେ ୫୫ କିଲୋଗ୍ରାମ ଇଭେଣ୍ଟରେ ଭାରତରୁ ପ୍ରତିନିଧିତ୍ଵ କରିଥାନ୍ତି। ଗତ ବର୍ଷ ତାଶକନ୍ଦରେ ହୋଇଥିବା ଚାମ୍ପିୟନସିପରେ ୫୫ କିଲୋଗ୍ରାମ ସ୍ନାଚ ଇଭେଣ୍ଟରେ ସ୍ଵର୍ଣ୍ଣ ପଦକ ହାସଲ କରିଥିଲେ ସଙ୍କେତ। ସେତେବେଳେ ସେ ୧୧୩ କିଲୋଗ୍ରାମର ଭାର ଉଠାଇ ଜାତୀୟ ସ୍ତରରେ ଏକ ନୂଆ ରେକର୍ଡ ସୃଷ୍ଟି କରିଥିଲେ।

Tags: #Sport #CommonwealthGame #Medal #SilverMedal #Weightlifter #SanketMahadevSargar

Comment