ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ମୁମ୍ବାଇରେ ପେଟ୍ରୋଲ ୮୬ ଟଙ୍କା ୭୨ ପଇସା, ଡିଜେଲ ୭୫ ଟଙ୍କା
  • ନୂଆଦିଲ୍ଲୀରେ ପେଟ୍ରୋଲ ୭୯ ଟଙ୍କା ୩୧ ପଇସା, ଡିଜେଲ୍ ୭୧ ଟଙ୍କା ୩୪ ପଇସା
  • ଭୁବନେଶ୍ୱରରେ ପେଟ୍ରୋଲ ୭୮ ଟଙ୍କା ୧୮ ପଇସା
  • କଟକରେ ପେଟ୍ରୋଲ୍ ୭୮ ଟଙ୍କା ୩୯ ପଇସା

ପେଟ୍ରୋଲ, ଡିଜେଲ ବଜାରରେ ତାତି। ବେଲଗାମ୍ ହୋଇଗଲାଣି ତୈଳ ଦର। ପେଟ୍ରୋଲ ମୂଲ୍ୟ ୮୦ ଟପିଥିବାରୁ ଗ୍ରାହକଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି। କେମିତି ଗାଡ଼ି ଚଲାଇବେ ତାକୁ ନେଇ ଭାଳେଣି ପଡ଼ିଛି। ଗତ ୧୦ ଦିନ ହେଲା ଦର ବଢ଼ି ଚାଲିଥିଲେ ମଧ୍ୟ ଏହାକୁ ନିୟନ୍ତ୍ରଣ କରିପାରି ନାହାନ୍ତି ସରକାର।

ଆଜି ମୁମ୍ବାଇରେ ପେଟ୍ରାଲ ଲିଟର ୮୬ ଟଙ୍କା ୭୨ ପଇସା ଥିବା ବେଳେ ଡିଜେଲ ୭୫ ଟଙ୍କାରେ ପହଞ୍ଚିଛି। ସେହିପରି ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୭୯ ଟଙ୍କା ୩୧ ପଇସା ଥିବା ବେଳେ ଡିଜେଲ ୭୧ ଟଙ୍କା ୩୪ ପଇସା ହୋଇଛି।

ସେହିପରି ଭୁବନେଶ୍ୱରରେ ମଧ୍ୟ ପେଟ୍ରୋଲ ଆଜି ୭୮ ଟଙ୍କା ୧୮ ପଇସା ହୋଇଥିବା ବେଳେ ଡିଜେଲ ୭୬ ଟଙ୍କା ୫୪ ପଇସା ହୋଇଛି। କଟକରେ ପେଟ୍ରୋଲ୍ ୭୮ ଟଙ୍କା ୩୯ ପଇସା ରହିଥିବା ବେଳେ ଡିଜେଲ ୭୬ ଟଙ୍କା ୭୫ ପଇସା ହୋଇଛି। କିନ୍ତୁ କୋରାପୁଟରେ ୮୦ ଟପିଛି ପେଟ୍ରୋଲ୍।

କୋରାପୁଟରେ ପେଟ୍ରୋଲ୍ ୮୧ ଟଙ୍କା ୩୫ ପଇସା ରହିଥିବା ବେଳେ ଡିଜେଲ ୭୯ ଟଙ୍କା ୭୧ ପଇସା ହୋଇଛି।

ତେଲ ଦରକୁ ନେଇ ଦିଲ୍ଲୀରୁ ଭୁବନେଶ୍ୱର ସବୁଠି ତାତି ଦେଖିବାକୁ ମିଳିଥିଲେ ମଧ୍ୟ ଏହାକୁ ନିୟନ୍ତ୍ରଣ କରିପାରି ନାହାନ୍ତି କେନ୍ଦ୍ର ସରକାର।

ପେଟ୍ରୋଲ୍, ଡିଜେଲ ମୂଲ୍ୟ ବେଲଗାମ ହୋଇଥିବାରୁ ବିଜେଡି ତିନି ଦିନିଆ ଆନ୍ଦୋଳନ ଡାକରା ଦେଇଛି। ହେଲେ ବିଜେପି ରାଜ୍ୟ ସରକାର ଟିକସ କମାନ୍ତୁ ବୋଲି କହିଛି।

୨୦୧୪ରେ ରାଜ୍ୟ ସରକାର ପେଟ୍ରୋଲ ଓ ଡିଜେଲ ଉପରେ ୨୧.୨ ପ୍ରତିଶତ ଟିକସ ଲଗାଇଥିବା ବେଳେ ଏବେ ୨୬ ପ୍ରତିଶତ ଟିକସ ଲଗାଇଥିବା ବିଜେପି ଅଭିଯୋଗ କରିଛି।

“ତୈଳ ଦର ବୃଦ୍ଧି ସହ ଅତ୍ୟାବଶ୍ୟକୀୟ ସାମଗ୍ରୀର ଦର ମଧ୍ୟ ବୃଦ୍ଧି ପାଉଛି। ସବୁ ବର୍ଗର ଲୋକେ ଅତିଷ୍ଠ ହୋଇପଡ଼ିଲେଣି। ସାଧାରଣ ଲୋକଙ୍କ ସରକାର ବୋଲି ଡିଣ୍ଡିମ ପିଟୁଥିବା ବିଜେପି ଏବେ କର୍ପୋରେଟ୍ ଓ ପୁଞ୍ଜିବାଦୀମାନଙ୍କ ହାତ ବାରିସି ସାଜିଛି। ପେଟ୍ରୋଲ ଓ ଡିଜେଲ ମୂଲ୍ୟ ବୃଦ୍ଧି କରି ବିଜେପି କର୍ପୋରେଟ୍ ଓ ପୁଞ୍ଜିବାଦୀମାନଙ୍କୁ ଖୁସ୍ କରିଛି। ଏହାର ଜବାବ ଦେଶବାସୀ ୨୦୧୯ରେ ଦେବେ”, କହିଛନ୍ତି ବିଜେଡି ସାଧାରଣ ସମ୍ପାଦକ ସଞ୍ଜୟ ଦାସବର୍ମା।

Comment