ଓଡ଼ିଶାଲାଇଭ୍‌ ବ୍ୟୁରୋ

ସମଲିଙ୍ଗୀ ସମ୍ପର୍କ ଉପରେ ଆଜି ଐତିହାସିକ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ। ଏହି ରାୟ ପ୍ରକାଶ ପାଇବା ପରେ କୋର୍ଟ ପରିସରରେ ଥିବା ଲୋକେ କାନ୍ଦି ପକାଇଲେ।

ସମଲିଙ୍ଗୀ ସମ୍ପର୍କ ଅପରାଧ ନୁହେଁ। ଏହି ଐତିହାସିକ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ। ସୁପ୍ରିମକୋର୍ଟର ପାଞ୍ଚ ଜଣିଆ ଖଣ୍ଡପୀଠ ତାଙ୍କର ଐତିହାସିକ ରାୟ ଦେଇ କହିଛନ୍ତି ଯେ ସମଲିଙ୍ଗିକତା ଏବେ ଆଉ ଅପରାଧ ହୋଇ ରହିବ ନାହିଁ। ଭାରତୀୟ ପିଙ୍ଗଳ କୋଡ୍ର ଧାରା ୩୭୭କୁ ରବ୍ଦ କରିବାକୁ ଯାଇ ବିଚାରପତିମାନେ କହିଛନ୍ତି ଯେ ସମ୍ମତି ଭିତ୍ତିରେ ସମଲିଙ୍ଗିକତାକୁ ଅପରାଧ ବୋଲି ଧରାଯିବ ନାହିଁ।

ପାଞ୍ଚ ଜଣ ବିଚାରପତି ଅଲଗା ଅଲଗା ରାୟ ଶୁଣାଇଥିଲେ। କିନ୍ତୁ ସମସ୍ତଙ୍କ ଗୋଟିଏ ମତ ଥିଲା ଯେ ଏହା ଅପରାଧ ପଦବାଚ୍ୟ ନୁହେଁ।

ସମାଜ କ୍ଷମା ମାଗୁ

ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ଦେଇ କହିଛନ୍ତି ଯେ ଏତେ ବର୍ଷ ଧରି ସମାନ ଅଧିକାରରୁ ବଞ୍ଚିତ କରି ରଖିଥିବାରୁ ଏଲଜିବିଟି ଗୋଷ୍ଠୀଙ୍କଠାରୁ ସମାଜ କ୍ଷମା ପ୍ରାର୍ଥନା କରିବା ଦରକାର। ଟପ୍ କୋର୍ଟର ଫଇସଲା ଶୁଣାଇବାକୁ ଯାଇ ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ର ସେକ୍ସପିଏରଙ୍କ ଏକ ଉଦ୍ଧୃତିକୁ ପଢ଼ିଥିଲେ। ଏହା ଶୁଣି କୋର୍ଟରେ ଉପସ୍ଥିତ ଲୋକେ ଭାବୁକ ହୋଇପଡ଼ିଥିଲେ।

ଇନ୍ଦ୍ରଧନୁରେ ମେଘ ଖୋଜ

କୋର୍ଟ କହିଲେ ଯେ ଜୀବନ ମାମଲାରେ ସମସ୍ତଙ୍କୁ ସମାନ ଅଧିକାର ଦିଆଯିବା ଉଚିତ। ପୁରୁଣା ପରମ୍ପରା ଓ ସଂସ୍କୃତିରୁ ସମାଜ ମୁକ୍ତ ହେବା ଆବଶ୍ୟକ। ଜଷ୍ଟିସ ଦୀପକ ମିଶ୍ର କହିଲେ ଇନ୍ଦ୍ରଧନୁରେ ବାଦଲ ଖୋଜାଯିବା ଦରକାର। ଏଠି କହି ରଖୁ ଯେ ସପ୍ତରଙ୍ଗ ପତାକା ହେଉଛି ଏଲଜିବିଟି ଗୋଷ୍ଠୀର ଚିହ୍ନ। ଆହୁରି ମଧ୍ୟ ଆଇପିସିର ଧାରା ୩୭୭କୁ ‘ମନମାନି’ ବୋଲି କୋର୍ଟ କହିଛନ୍ତି।

ବିଚାରପତି ମାନେ କହିଲେ ଯେ ସାମ୍ବିଧାନିକ- ଗଣତାନ୍ତ୍ରିକ ବ୍ୟବସ୍ଥାରେ ପରିବର୍ତ୍ତନ ଜରୁରୀ। ଜୀବନ ବା ବଞ୍ଚିବାର ଅଧିକାର ହେଉଛି ମାନବିକ ଅଧିକାର ଆଉ ମାନବିକ ଅଧିକାର ବିନା ଅନ୍ୟ କୌଣସି ଅଧିକାରର ମାନେ କିଛି ନାହିଁ। ସୁପ୍ରିମକୋର୍ଟ ଆହୁରି କହିଲେ ଯେ ସେକସୁଆଲ ଓରିଏଣ୍ଟେସନ ବା ଯୌନ ପ୍ରବୃତ୍ତି ଶାରୀରିକ ଏବଂ ଏହାକୁ ରୋକିବା ଅର୍ଥ ସାମ୍ବିଧାନିକ ଅଧିକାରର ଉଲ୍ଲଂଘନ।

ଆମ ଜୀବନର ବିବିଧତାକୁ ସ୍ୱୀକୃତି ଦିଆଯିବା ଉଚିତ ଓ ବ୍ୟକ୍ତିଗତ ରୁଚିକୁ ମଧ୍ୟ। କିଭଳି ଜୀବନ କଟିବେ ସେଥିରେ ଏଲଜିବିଟି କମ୍ୟୁନିଟିର ସମାନ ଅଧିକାର ଅଛି ଓ ଏହାକୁ କାଏମ କରିବା ହେଉଛି କୋର୍ଟର କାମ।

ଧାରା ୩୭୭କୁ ଖାରଜ କରିବାକୁ ଯାଇ ସୁପ୍ରିମକୋର୍ଟ କହିଲେ ଯେ ସମଲିଙ୍ଗିକତାରେ ବିଶ୍ୱାସ କରୁଥିବା ଗୋଷ୍ଠୀ ଏହି ଧାରା  ଯୋଗୁଁ ଲୁଚିଛପି ଜୀବନ ବିତାଇବାକୁ ବାଧ୍ୟ ହେଉଛନ୍ତି, ଅଥଚ ଅବଶିଷ୍ଟ ଲୋକେ ନିଜ ଯୌନ ପ୍ରବୃତ୍ତିର ଅଧିକାରକୁ ପୂରା ମାତ୍ରାରେ ଉପଭୋଗ କରୁଛନ୍ତି।

କୋର୍ଟ କହିଲେ ଅଦାଲତର ଏହି ରାୟକୁ ସରକାର ଓ ମିଡିଆ ବ୍ୟାପକ ପ୍ରଚାର ଓ ପ୍ରସାର କରିବା ଦରକାର ଯାହାଫଳରେ କି ଏହି ଗୋଷ୍ଠୀ ଭେଦଭାବର ଶିକାର ହେବେ ନାହିଁ। ସୁପ୍ରିମକୋର୍ଟ ଏକଥା ମଧ୍ୟ କହିଛନ୍ତି ଯେ ଦୁଇ ଜଣ ବ୍ୟକ୍ତିଙ୍କ ସହମତିରେ ହେଉଥିବା ଯୌନ ସମ୍ଭୋଗ ଉପରେ ସମାଜ ତା ଇଚ୍ଛାକୁ ଲଦି ଦେଇପାରିବ ନାହିଁ। କାରଣ ଏହା ହେଉଛି ଉଭୟଙ୍କ ବ୍ୟକ୍ତିଗତ ମାମଲା।

ନିଜ ରାୟକୁ ହିଁ ପଲଟେଇଲେ

ଆଜିର ଏହି ବହୁ ପ୍ରତିକ୍ଷୀତ ରାୟକୁ ସୁପ୍ରିମକୋର୍ଟ ନିଜେ ହିଁ ଓଲଟାଇ ଦେଇଛନ୍ତି। ଡିସେମ୍ବର ୨୦୧୩ରେ ଏକ ରାୟ ଦେଇ ସର୍ବୋଚ୍ଚ ନ୍ୟାୟାଳୟ କହିଥିଲେ ଯେ ଧାରା ୩୭୭ ଆଇନସିଦ୍ଧ। ଏଲଜିବିଟି ମାମଲାରେ ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ର, ଜଷ୍ଟିସ ଏଏମ ଖନବିଲକର, ଜଷ୍ଟିସ ଡିୱାଇ ଚନ୍ଦ୍ରଚୁଡ଼ ଓ ଜଷ୍ଟିସ ଇନ୍ଦୁ ମାଲହୋତ୍ରାଙ୍କୁ ନେଇ ଗଠିତ ଖଣ୍ଡପୀଠ ଜୁଲାଇ ୧୦ ତାରିଖରେ ଶୁଣାଣି ଆରମ୍ଭ କରି ୧୭ରେ ଶେଷ କରିଥିଲେ। କିନ୍ତୁ ରାୟ ସଂରକ୍ଷିତ ରଖାଯାଇଥିଲା।

କ’ଣ ଏହି ୩୭୭ ଧାରା?

ଭାରତୀୟ ଦଣ୍ଡ ସଂହିତାର ଧାରା ୩୭୭ ଅନୁସାରେ କୌଣସି ପୁରୁଷ କିମ୍ବା ସ୍ତ୍ରୀ ପ୍ରକୃତିର ନିୟମ ବିରୋଧରେ ଯଦି ଶାରୀରିକ ସମ୍ପର୍କ ସ୍ଥାପନ କରୁଛନ୍ତି ତାହା ଆଇନ ଅନୁଯାୟୀ ଅପରାଧ ବୋଲି ଧରାଯିବ। ଏହି ଅପରାଧରେ ଦୋଷୀ ସାବ୍ୟସ୍ତ ବ୍ୟକ୍ତିଙ୍କୁ ୧୦ ବର୍ଷ ଜେଲଦଣ୍ଡ ଓ ଆର୍ଥିକ ଜରିମାନାର ବ୍ୟବସ୍ଥା ରହିଛି।

Comment