ଓଡ଼ିଶାଲାଇଭ୍‌ ବ୍ୟୁରୋ

ଖୁବ୍‌ଶୀଘ୍ର ବଦଳିବ ଓଡ଼ିଶା ପର୍ଯ୍ୟଟନର ଲୋଗୋ। ଓଡ଼ିଶାର ବିଭବକୁ ଦେଶ ବିଦେଶର ପର୍ଯ୍ୟଟକଙ୍କ ପାଖରେ ପହଞ୍ଚାଇବା ପାଇଁ ଏବଂ ଅଧିକ ପର୍ଯ୍ୟଟକଙ୍କୁ ଓଡ଼ିଶା ପ୍ରତି ଆକୃଷ୍ଟ କରିବା ପାଇଁ ପର୍ଯ୍ୟଟନ ବିଭାଗ ଲୋଗୋ ବଦଳାଇବାକୁ ଚାହୁଁଛି। ଏଥିପାଇଁ କ୍ରିଏଟିଭ୍‌ ମାଇଣ୍ଡସ୍‌ଙ୍କ ପାଖରୁ ନୂଆ ଡିଜାଇନ ଆହ୍ୱାନ କରିଛି ବିଭାଗ।

ଯେଉଁମାନେ ନୂଆ ଡିଜାଇନର ଲୋଗୋ କରିବାକୁ ଚାହୁଁଛନ୍ତି ସେମାନେ ସେପ୍ଟେମ୍ବର ୧୫ ତାରିଖ ମଧ୍ୟରାତ୍ରି ସୁଦ୍ଧା ସେମାନଙ୍କ ଡିଜାଇନ୍ ପଠାଇ ପାରିବେ। odishatourismlogo@gmail.com ରେ ପିଡିଏଫ୍‌ ଫର୍ମାଟରେ ଉପଯୁକ୍ତ ୱାଟରମାର୍କ ଏବଂ ନିଜ ନାଁ ଲେଖି ମେଲ୍ କରିବାକୁ ପର୍ଯ୍ୟଟନ ବିଭାଗ ପକ୍ଷରୁ କୁହାଯାଇଛି। ଏହାସହ କେଉଁ ଥିମ୍‌କୁ ନେଇ ଲୋଗୋ ଡିଜାଇନ କରାଯାଇଛି ତାହା ଏଥିରେ ଉଲ୍ଲେଖ କରିବାକୁ କୁହାଯାଇଛି।

କ୍ରିଏଟିଭ୍‌ ମାଇଣ୍ଡସ୍‌ଙ୍କ ପାଖରୁ ବିଭିନ୍ନ ଡିଜାଇନର ଲୋଗୋ ଆସିବା ପରେ ପ୍ରଦର୍ଶନୀ ମାଧ୍ୟମରେ ଏକ ପ୍ରତିଯୋଗିତା ହେବ। ଓଡ଼ିଶା ଟୁରିଜିମ୍ ବ୍ରାଣ୍ଡକୁ ଦେଶ ବିଦେଶରେ ଅଧିକ ପ୍ରଚାର ପ୍ରସାର କରିବା ପାଇଁ ଯେଉଁ ଡିଜାଇନ ଭଲ ଥିବ ତାକୁ ଶ୍ରେଷ୍ଠ ବିବେଚନା କରାଯିବ। ଏହାସହ ଶ୍ରେଷ୍ଠ ବିବେଚିତ ହୋଇଥିବା ଡିଜାଇନରଙ୍କୁ ୧ ଲକ୍ଷ ଟଙ୍କାର ଆର୍ଥିକ ପୁରସ୍କାର ପ୍ରଦାନ କରାଯିବ।

‘ଓଡ଼ିଶା ପର୍ଯ୍ୟଟନ’ର ଲୋଗୋ ବଦଳାଇବା ପାଇଁ ନିକଟରେ ହୋଇଥିବା ଓଡ଼ିଶା ଟୁରିଜିମ୍ କନକ୍ଲେଭରେ ଆଲୋଚନା ହୋଇଥିଲା। ଏନେଇ ପ୍ରସ୍ତାବ ମଧ୍ୟ ଆସିଥିଲା।

ଓଡ଼ିଶା ପର୍ଯ୍ୟଟନ କ୍ଷେତ୍ରକୁ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ଅଧିକ ପ୍ରଚାର ପ୍ରସାର କରିବା ପାଇଁ ପର୍ଯ୍ୟଟନ ବିଭାଗ ଉଦ୍ୟମ କରି ଆସୁଛି। ବିଭିନ୍ନ ସମୟରେ ଭଲ ପଦକ୍ଷେପମାନ ମଧ୍ୟ ନେଇଛି। ଏଣୁ ଓଡ଼ିଶା ଟୁରିଜିମ ବ୍ରାଣ୍ଡ ପ୍ରତି ଅଧିକରୁ ଅଧିକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଲୋଗୋ ବଦଳାଇବାକୁ ଚାହୁଁଛି ପର୍ଯ୍ୟଟନ ବିଭାଗ।

ଓଡ଼ିଶା ପର୍ଯ୍ୟଟନ ବିଭାଗର ଲୋଗୋ ପ୍ରଥମେ ହଳଦିଆ ରଙ୍ଗର ଥିଲା। ଲୋଗୋ ଉପରେ ସୂର୍ଯ୍ୟ ଚିତ୍ର ରହିଥିଲା। ଏହାର ଟାଗ୍ ଲାଇନ୍ ଥିଲା ସ୍କିନିକ୍, ସେରେନେ, ସବ୍‌ଲାଇମ୍। ଏହାପରେ ଟାଗ୍‌ଲାଇନ୍ ବଦଳାଯାଇ ଲେଖାଯାଇଥିଲା ‘ଦି ସଉଲ୍‌ ଅଫ୍ ଇନ୍‌କ୍ରେଡିବିଲ୍ ଇଣ୍ଡିଆ’।

ଏହାପରେ ଦେଶ ବିଦେଶର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ପୁଣି ବଦଳାଯାଇଥିଲା ଲୋଗୋ। ଲୋଗୋରେ କେବଳ ଓଡ଼ିଶା ଟୁରିଜିମ୍ ଲେଖାଯାଇଥିଲା। ଓଡ଼ିଶାକୁ ବିଭିନ୍ନ ରଙ୍ଗରେ ରଙ୍ଗିନ କରାଯାଇ ସଜା ଯାଇଥିଲା। ଏହାର ଟାଗ୍‌ଲାଇନ୍ ‘ଦି ସଉଲ୍‌ ଅଫ୍ ଇନ୍‌କ୍ରେଡିବିଲ୍ ଇଣ୍ଡିଆ’ ରଖାଯାଇଥିଲା।

Comment