ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ



ବଡ଼ମାନେ ଯାହା କରିପାରନ୍ତି ନାହିଁ, ଗୋଟେ ସାନ ପିଲା ତାହା କରି ଦେଖାଇପାରେ!

ଯେତେବେଳେ ପରିବାର ବା ସମାଜର ବଡ଼ ଲୋକମାନେ ବିଫଳ ହୁଅନ୍ତି, ସାନ ପିଲାମାନେ ସଫଳ ହୋଇପାରନ୍ତି। ସେହିପରି ଅନେକ ବିଷୟ ଯାହା ବଡ଼ମାନଙ୍କୁ ହାଲୁକା ଲାଗିପାରେ, ପିଲାମାନେ ତାକୁ ଗମ୍ଭୀରତା ସହ ଚିନ୍ତା କରିପାରନ୍ତି। ଏଭଳି ଏକ ଆଧାର ଉପରେ ତିଆରି ହୋଇଛି ନୀଳମାଧବ ପଣ୍ଡାଙ୍କ ହିନ୍ଦୀ ଫିଲ୍ମ ‘ହଲ୍‌କା’।

ଘର ଘରର କାହାଣୀ

ଆମ ଦେଶର ଲକ୍ଷ ଲକ୍ଷ ପରିବାର ଅଛନ୍ତି, ଯେଉଁମାନଙ୍କ ଘରେ ପାଇଖାନାଟିଏ ନାହିଁ। ସେହି ପରିବାର ଲୋକମାନେ ଖୋଲାରେ ନିତ୍ୟକର୍ମ ସାରିବାକୁ ବାଧ୍ୟ ହେଉଛନ୍ତି। ଘରର ମହିଳା ଓ ପିଲାମାନେ ବା ଅସୁସ୍ଥ ଥିବା ସଦସ୍ୟ ଏଥିପାଇଁ ନାହିଁ ନଥିବା ସମସ୍ୟା ଭୋଗିଥାନ୍ତି। କିନ୍ତୁ ସେମାନଙ୍କ ପାଇଁ ଏହାର କୌଣସି ବିକଳ୍ପ ନ ଥାଏ।

 

ଅନେକ ସମୟରେ ପରିବାରର ବାପା, ମା’ ବା ରୋଜଗାରିଆ ସଦସ୍ୟମାନେ ମଧ୍ୟ ପାଇଖାନା ଏକ ସର୍ବନିମ୍ନ ଆବଶ୍ୟକତା ବୋଲି ବିଚାର କରନ୍ତି ନାହିଁ। ସାଧାରଣତଃ ଅଭାବ ସହିତ ଗତାନୁଗତିକ ଜୀବନଧାରାକୁ ସେମାନେ ମାନି ନେଇଥାନ୍ତି।

କିନ୍ତୁ ଗୋଟିଏ ବସ୍ତିରେ ରହୁଥିବା ପିଲାଟିଏ ଏକଥାକୁ ସହଜରେ ଗ୍ରହଣ କରିପାରେ ନାହିଁ। କାରଣ ଖୋଲାରେ ଶୌଚ ହେବାକୁ ତାକୁ କେବଳ ଅଡ଼ୁଆ ଲାଗେନାହିଁ ବରଂ ଅତ୍ୟନ୍ତ ଅପରିଷ୍କାର ଲାଗେ। ଏହି ପିଲାଟିର ନାଁ ପିଚ୍‌କୁ। ଘରେ କିଭଳି ପାଇଖାନାଟିଏ ତିଆରି ହେବ ସେଥିପାଇଁ ସେ ବାପା ମା’ଙ୍କୁ ବାରମ୍ବାର କାକୁତି କରି ବିଫଳ ହୁଏ।

ସ୍ୱଚ୍ଛ ଭାରତ ମିଶନ

ଏହି ସମୟରେ ଆସେ ‘ସ୍ୱଚ୍ଛ ଭାରତ ମିଶନ’ କଥା। ଘରେ ଘରେ ପାଇଖାନା ତିଆରି ପାଇଁ ସରକାର ସହାୟତା ଯୋଗାଇ ଦିଅନ୍ତି। ବସ୍ତି ଲୋକଙ୍କ ପାଖରେ ଏହି ସହାୟତା ପହଞ୍ଚେ। କିନ୍ତୁ ସରକାର ଦେଉଥିବା ୧୨ହଜାର ଟଙ୍କାରୁ କାର୍ଯ୍ୟକ୍ରମ ଦାୟିତ୍ୱରେ ଥିବା ବାବୁମାନେ ମାରି ନିଅନ୍ତି ୬ହଜାର।

ଅନ୍ୟପକ୍ଷରେ ପିଚ୍‌କୁର ବାପାଙ୍କ ହାତରେ ଯେଉଁ ୬ହଜାର ଟଙ୍କା ପହଞ୍ଚେ, ତାକୁ ସେ ପାଇଖାନା ତିଆରି କରିବା ପରିବର୍ତ୍ତେ ଅଟୋ କିଣିବା ପାଇଁ ଅଂଶଧନ ରୂପେ ବ୍ୟବହାର କରିବାକୁ ବାହାରନ୍ତି। ପିଚ୍‌କୁର ସ୍ୱପ୍ନ ପୁଣିଥରେ ଧୂଳିସାତ୍ ହୋଇଯାଏ। ତେଣୁ ପିଚ୍‌କୁ ତା’ର ଆଉ ଜଣେ ଜରି ଗୋଟାଳି ସାଙ୍ଗ ଗୋପୀ ସହିତ ମିଶି ଅଳ୍ପ ଅଳ୍ପ କରି ଟଙ୍କା ଜମା କରେ। ପିଚ୍‌କୁ ଭଳି ଗୋପୀ ମଧ୍ୟ ଖୋଲାରେ କରିପାରେ ନାହିଁ। ତେଣୁ ଘରେ ପାଇଖାନା ତିଆରି କରିବାଲାଗି ପିଚ୍‌କୁର କଥା ଗୋପୀ ମନକୁ ପାଏ। ଶେଷରେ ଗୋପୀ ସହ ମିଶି ପିଚ୍‌କୁ ତା’ର ସ୍ୱପ୍ନର ବାସ୍ତବ ରୂପ ଦେବାକୁ ବ୍ଲୁପ୍ରିଣ୍ଟ ବନାଇ କାମ ଆରମ୍ଭ କରିଦିଏ।

 

ଘଟଣାଚକ୍ରରେ ଜଣେ ନୂଆ ସରକାରୀ ବାବୁ ‘ସ୍ୱଚ୍ଛ ଭାରତ ମିଶନ’ କାର୍ଯ୍ୟକ୍ରମର ଦାୟିତ୍ୱ ନିଅନ୍ତି। ସେ ଜାଣିବାକୁ ପାଆନ୍ତି ଯେ, ପାଇଖାନା ନାଁରେ ତାଙ୍କ ବିଭାଗର ବାବୁମାନେ ହରିଲୁଟ୍‌ କରିଛନ୍ତି। ସେ ବିଭିନ୍ନ କ୍ଷେତ୍ରର ପରିଦର୍ଶନ କରିବାବେଳେ ପିଚ୍‌କୁର ବସ୍ତିକୁ ଆସନ୍ତି। ସେଠି ଗୋଟିଏ ବି ପାଇଖାନା ତିଆରି ହୋଇନଥିବା ଦେଖିବାକୁ ପାଆନ୍ତି। ସରକାରଙ୍କଠାରୁ ସହାୟତା ନେଇ ପାଇଖାନା ନିର୍ମାଣ ନକଲେ ହିତାଧିକାରୀଙ୍କୁ ଜବାବ୍ ଦେବାକୁ ପଡ଼ିବ ବୋଲି ସେ କଡ଼ା କରି ଶୁଣାଇ ଦିଅନ୍ତି।

ସିନେମାର କ୍ଲାଇମାକ୍ସ

କିଛିଦିନ ବିତିଯାଏ। ନୂଆ ବାବୁଙ୍କ କଥାର କୌଣସି ପ୍ରଭାବ ବସ୍ତି ଲୋକଙ୍କ ଉପରେ ପଡ଼େନାହିଁ। ଶେଷରେ ଦିନେ ପୋଲିସ ବସ୍ତିରେ ପହଞ୍ଚେ। ସରକାରଙ୍କଠାରୁ ସହାୟତା ନେଇ ପାଇଖାନା ତିଆରି କରିନଥିବା ପିଚ୍‌କୁର ବାପା ପୋଲିସ ହାତରେ ଧରାପଡ଼େ।

ଏଇଠି ସିନେମାର କ୍ଲାଇମାକ୍ସ ଆସେ। ପିଚ୍‌କୁର ବାପା ଯେତେ ନେହୁରା ହେଲେ ମଧ୍ୟ ପୋଲିସ ଓ ପ୍ରଶାସନ ଶୁଣିବାକୁ ନାରାଜ। ଶେଷରେ ବାପାଙ୍କୁ ବଞ୍ଚାଇବାକୁ ସାମ୍ନାକୁ ଆସେ ପିଚ୍‌କୁ। ସେ ସରକାରୀ ବାବୁ, ପୋଲିସକୁ ନେଇ ବସ୍ତିର ଗୋଟିଏ କଡ଼ରେ ନିଜ ଉଦ୍ୟମରେ ତିଆରି କରିଥିବା ସୁନ୍ଦର ପାଇଖାନା ଘର ପାଖରେ ପହଞ୍ଚାଇଦିଏ।

ଯେଉଁ କଥା ଘରର ବଡ଼ ଲୋକମାନେ କରିପାରିଲେ ନାହିଁ, ଗୋଟିଏ ଜରିଗୋଟାଳି ସାନ ପିଲା ନିଜ ରୋଜଗାରରେ କରି ଦେଖାଇଦେଲା। ପିଚ୍‌କୁର ଅବୁଝା ବାପାର ଆଖି ଖୋଲି ଦେଲା। ବସ୍ତି ବାସିନ୍ଦାଙ୍କ ନିଦ ଭାଙ୍ଗି ଦେଲା। ସରକାରୀ ବାବୁମାନଙ୍କୁ ମଧ୍ୟ ଦେଖାଇ ଦେଲା ଯେ, କୌଣସି ସମସ୍ୟାକୁ ଗମ୍ଭୀରତାର ସହ ବିଚାର କଲେ ଜଣେ ସାନପିଲା ବି କ’ଣ କରିପାରେ।

ନୀଳମାଧବ ପଣ୍ଡାଙ୍କ ଏହି ସିନେମାରେ ସ୍ୱଚ୍ଛତାର ବାର୍ତ୍ତା ସହ ନିରୀହ ଶିଶୁ ଓ କିଶୋରମାନଙ୍କର ଭାବନା ଓ ସ୍ୱପ୍ନ ପ୍ରତିଫଳିତ ହୋଇଛି। ପୂରା ସିନେମାରେ ବସ୍ତି ଜୀବନ ବନାମ ସମାଜର ସ୍ୱଚ୍ଛଳ ବର୍ଗର ଜୀବନ ଭିତରେ ଥିବା ଲମ୍ବା ଫରକ୍ ଫୁଟିଉଠିଛି। ପିଚ୍‌କୁର ବାପା ଏକ ପୁରୁଷପ୍ରଧାନ ସମାଜ ବ୍ୟବସ୍ଥାର ଉଦାହରଣ। ସେହିପରି ପିଚ୍‌କୁର ମା’ ଚରିତ୍ର ମଧ୍ୟରେ ଜଣେ ଭାରତୀୟ ମହିଳା, ବିଶେଷକରି ବସ୍ତି ବାସିନ୍ଦାଙ୍କ ଦୟନୀୟ ଜୀବନଚର୍ଯ୍ୟାକୁ ସୁନ୍ଦର ଭାବେ ଫୁଟାଯାଇଛି।

ଗୋଟିଏ ଅପରିଚ୍ଛନ ଭାରତୀୟ ବସ୍ତିର ବଖୁରିକିଆ ଘରେ ରହୁଥିବା ପିଚ୍‌କୁର ବାପା, ତା’ ମା’ ଏବଂ ନିଜେ ପିଚ୍‌କୁ – ତିନିଙ୍କର ପାଇଖାନା ଏକ ଜରୁରୀ ଆବଶ୍ୟକତା। କିନ୍ତୁ ଏହି ଭାବନାର ଅର୍ଥ ଓ ଗମ୍ଭୀରତା ତିନିଜଣଙ୍କ ପାଇଁ ଅଲଗା। ଏହି କଥା ‘ହଲ୍‌କା’ ସିନେମାର କାହାଣୀ ମାଧ୍ୟମରେ ଖୁବ୍ ସୁନ୍ଦର ଭାବେ ଦର୍ଶାଯାଇଛି।

“ସମାଜରେ ପ୍ରତ୍ୟେକ ପିଲାର ସ୍ୱପ୍ନ ଦେଖିବାର ଅଧିକାର ରହିଛି ଏବଂ ସେହି ସ୍ୱପ୍ନକୁ ସାକାର କରିବାପାଇଁ ତାକୁ ସୁଯୋଗ ଦିଆଯିବା ଦରକାର। ତେବେ ଯେତେବେଳେ ସମାଜ ତା’ର ସ୍ୱପ୍ନକୁ ପ୍ରାଥମିକତା ଦିଏ ନାହିଁ। ବସ୍ତିରେ ବଢ଼ୁଥିବା ପିଚ୍‌କୁ ଭଳି ପିଲାମାନେ ନିଜ ସ୍ୱପ୍ନକୁ ନିଜେ ସାକାର କରିବାକୁ ଆଗକୁ ଆସନ୍ତି ଏବଂ ସଫଳ ମଧ୍ୟ ହୋଇପାରନ୍ତି”, ଓଡ଼ିଶାଲାଇଭ୍‌କୁ କହିଛନ୍ତି, ଚଳଚ୍ଚିତ୍ରର ଯୁଗ୍ମ ପ୍ରଯୋଜକ ଅକ୍ଷୟ କୁମାର ପରିଜା।

“ହଲ୍‌କା ହେଉଛି ଜଣେ ୮ବର୍ଷର ସାଧାରଣ ପିଲାର ଅସାଧାରଣ କାହାଣୀ। ଅସାଧାରଣ ଏଥିପାଇଁ ଯେ, ସମାଜର ବଡ଼ ବଡ଼ ଲୋକମାନେ ଯେଉଁ ସମସ୍ୟାକୁ ନଜରଅନ୍ଦାଜ କରିଆସୁଛନ୍ତି ସେ ତାକୁ ବୁଝିଛି ଏବଂ ତା’ର ସମାଧାନ କରିବା କ୍ଷେତ୍ରରେ ମଧ୍ୟ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି”, ଗୁରୁବାର ସନ୍ଧ୍ୟାରେ ଭୁବନେଶ୍ୱରରେ ଆୟୋଜିତ ସ୍ୱତନ୍ତ୍ର ପ୍ରଦର୍ଶନ ବେଳେ ଓଡ଼ିଶାଲାଇଭ୍‌କୁ କହିଛନ୍ତି ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶକ ନୀଳମାଧବ ପଣ୍ଡା।

ଶିବ ନାଦର ଫାଉଣ୍ଡେସନ୍ ପକ୍ଷରୁ ପ୍ରସ୍ତୁତ ‘ହଲ୍‌କା’ ଏକ ପ୍ରଗତିଶୀଳ ସାମାଜିକ କାହାଣୀ ଉପରେ ଆଧାରିତ। ଏଥିରେ ଅଭିନୟ କରିଥିବା ପ୍ରମୁଖ କଳାକାରମାନେ ସେମାନଙ୍କ ଭୂମିକାକୁ ସୁନ୍ଦର ଭାବେ ଉପସ୍ଥାପନା କରିଛନ୍ତି।

କେନ୍ଦ୍ର ସରକାରଙ୍କ ଗୃହ ଓ ସହର ବ୍ୟପାର ଏବଂ ସ୍ୱଚ୍ଛ ଭାରତ ମିଶନ ଏହି ସିନେମାର ପ୍ରାୟଯୋକ ଅଛନ୍ତି।

Comment