କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ

ପାଟକୁରା-ହଳଦିଆଗଡ଼ା ରାସ୍ତାର ବେଡ଼ାରୀ ନିକଟସ୍ଥ ଚିତ୍ରୋତ୍ପଳା ନଦୀ ବନ୍ଧରୁ ଧସିଲା ମାଟି ଅତଡ଼ା। ଏବେ ବନ୍ଧ ମରାମତି ପାଇଁ ଜଳସମ୍ପଦ ଓ ପୂର୍ତ୍ତ ବିଭାଗ ଭିତରେ ଲାଗିଛି ବିବାଦ।

ହଳଦିଆଗଡ଼ା-ପାଟକୁରା ରାସ୍ତାର ଚିତ୍ରୋତ୍ପଳା ନଦୀବନ୍ଧ ଉଭୟ ପାର୍ଶ୍ୱରୁ ଖସିଲା ମାଟି ଅତଡ଼ା। ବେଡାରୀ ଗାଁ ନିକଟ ବନ୍ଧରୁ ମାଟି ଖସିଛି। ଗୋଟିଏ ପାର୍ଶ୍ୱରୁ ୧୦୦ ମିଟର ଲମ୍ବ ପର୍ଯ୍ୟନ୍ତ ମାଟି ଧସିଥିବା ବେଳେ ଅନ୍ୟ ସ୍ଥାନରେ ପ୍ରାୟ ୩୦ ମିଟର ଲମ୍ବର ମାଟି ଧସିଛି। ଫଳରେ ସ୍ଥାନୀୟ ଗ୍ରାମବାସୀ ଆତଙ୍କିତ ହୋଇଛନ୍ତି।

ଗତ ୨୦୦୬ ମସିହାରେ ଏଠାରେ ନଦୀ ବନ୍ଧରୁ ମାଟି ଧସିବାରୁ ଏକ ବିଶାଳ ଘାଇ ହୋଇଥିଲା। ଏବେ ତାହାର ପୁନରାବୃତ୍ତି ହୋଇପାରେ ବୋଲି ଆଶଙ୍କା ଦେଖାଦେଇଛି।

୨୦୦୬ ମସିହାରେ ଚିତ୍ରୋତ୍ପଳା ନଦୀର ବେଡ଼ାରୀ ଘାଇରେ ଗରଦପୁର, ମାର୍ଶାଘାଇ ଓ ମହାକାଳପଡ଼ା ବ୍ଲକର ପ୍ରାୟ ୭୦ରୁ ଅଧିକ ଗାଁ ଜଳମଗ୍ନ ହୋଇ ବ୍ୟାପକ ଧନଜୀବନ କ୍ଷତି ଘଟାଇଥିଲା। ଏହାର କ୍ଷତି ଏଯାଏଁ ଭରଣା ହୋଇପାରି ନାହିଁ। ଯଦି ପୁଣି ଏହି ସ୍ଥାନରେ ଘାଇ ହୁଏ ତେବେ କ’ଣ ଅବସ୍ଥା ହେବ ତାହା ଚିନ୍ତା କରିପାରୁ ନାହାନ୍ତି ଲୋକେ।

ଏହାଛଡ଼ା ଏହି ନଦୀବନ୍ଧ ରାସ୍ତାରେ ପ୍ରତିଦିନ ଯାତାୟାତ କରୁଥିବା ଭାରିଯାନ ପ୍ରତି ବିପଦ ସୃଷ୍ଟି ହୋଇଛି। ପ୍ରତିଦିନ ଏହି ନଦୀବନ୍ଧରେ ୮ଟି ଯାତ୍ରୀବାହୀ ବସ୍ ଯାତାୟାତ କରୁଥିବା ବେଳେ ଶତାଧିକ ମାଲବାହୀ ଟ୍ରକ ଯାତାୟାତ କରୁଛି। ଭାରିଯାନ ଯାତାୟାତ କରୁଥିବାରୁ ନଦୀବନ୍ଧ ପ୍ରତି ଅଧିକ ବିପଦ ଘଟାଉଛି।

ବନ୍ଧରୁ ମାଟି ଅତଡ଼ା ଧସି ଗାତ ସୃଷ୍ଟି ହୋଇଥିବାରୁ ଗାଡ଼ି ମଟର ଖସି ପଡ଼ିବାର ଭୟ ଦେଖାଦେଇଛି। ପାଟକୁରା ଜଳସମ୍ପଦ ସବଡିଭିଜନ ପକ୍ଷରୁ ଆଜି ଗାତ ପାର୍ଶ୍ୱରେ ବାଲି ବସ୍ତା ରଖାଯାଇ ନାଲି ପତାକା ପୋତି ଦାୟିତ୍ୱ ଶେଷ କରି ଦିଆଯାଇଛି।

ନଦୀବନ୍ଧ ମରାମତିକୁ ନେଇ ଏବେ ସୃଷ୍ଟି ହୋଇଛି ବିବାଦ। ନଦୀବନ୍ଧର ମାଟି ଜଳ ସମ୍ପଦ ବିଭାଗର ହୋଇଥିବା ବେଳେ ବନ୍ଧ ଉପରେ ହୋଇଥିବା ରାସ୍ତା ପୁର୍ତ୍ତ ବିଭାଗ ଅଧିନରେ ରହିଛି।

ଜଳ ସମ୍ପଦ ବିଭାଗ ବନ୍ୟା ନିୟନ୍ତ୍ରଣ ପାଇଁ ନଦୀବନ୍ଧର ସୁରକ୍ଷା ଦାୟିତ୍ୱରେ ରହିଥିବା ବେଳେ ପୁର୍ତ୍ତ ବିଭାଗ ନଦୀ ବନ୍ଧରେ ଯାନବାହାନ ଚଳାଚଳ ପାଇଁ ରାସ୍ତା ନିର୍ଣାଣ କରିଛି। ହେଲେ ନଦୀ ବନ୍ଧରେ ସୃଷ୍ଟି ହୋଇଥିବା ଏପରି ବିପତ୍ତି ପାଇଁ ଉଭୟ ବିଭାଗ କାଦୁଅ ଫିଙ୍ଗା ଫିଙ୍ଗି ହେବାରେ ଲାଗିଛନ୍ତି।

କେନ୍ଦ୍ରାପଡ଼ା ଜଳସମ୍ପଦ ବିଭାଗର ନିର୍ବାହୀ ଯନ୍ତ୍ରୀ ପୂର୍ତ୍ତ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କୁ ବନ୍ଧ ମରାମତି କରିବାକୁ ଚିଠି ଲେଖି ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ହେଲେ ଏହା ଜଳସମ୍ପଦ ବିଭାଗର କାମ କହି ଖସିଯାଇଛି ପୂର୍ତ୍ତ ବିଭାଗ।

ଦୁଇ ବିଭାଗ ଭିତରେ କାଦୁଅଫିଙ୍ଗା ଚାଲିଥିବାରୁ ତିନି ଘର କୁଣିଆ ଉପାସେ ରହିବା ଭଳି ପରିସ୍ଥିତି। ଏବେ ଦୁର୍ବଳ ଚିତ୍ରୋତ୍ପଳା ନଦୀ ବନ୍ଧର ଭାଗ୍ୟ ଭବିଷ୍ୟତ ନେଇ କଳନା କରିବା ମୁସ୍କିଲ ହୋଇଛି।

ନଦୀରେ ଏବେ କମ୍ ବନ୍ୟାପାଣି ପ୍ରବାହିତ ହେଉଥିବାରୁ ନଦୀବନ୍ଧ ପାଇଁ ସେତେ ବିପଦ ନଥିବା କୁହାଯାଉଥିବା ବେଳେ କେତେବେଳେ ଯେ କ’ଣ ହେବ ତାହା କହି ହେଉନି। ଜିଲ୍ଲା ପ୍ରଶାସନ ଦୁଇ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷାକରି ନଦୀବନ୍ଧ ମରାମତି କରିବାକୁ ସାଧାରଣରେ ଦାବି ହେଉଛି।

Comment