ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ଓଡ଼ିଶାରେ ବିଧାନ ପରିଷଦ ଗଠନର ଏକ ବଡ଼ ଉଦ୍ଦେଶ୍ୟ ହେଉଛି ବିଜେଡିର କିଛି ନେତାଙ୍କୁ ଥଇଥାନ କରିବା, ଯେଉଁମାନେ ଏଥର ଟିକେଟ ପାଇବେ ନାହିଁ। ୧୧୮ ଜଣ ବିଧାୟକଙ୍କ ସହ ସ୍ୱାୟତ୍ତ ଶାସନ ସଂସ୍ଥା ଗୁଡ଼ିକରେ ନିଜ ଦବଦବା ବଜାୟ ରଖି ଆସିଥିବା ବିଜେଡି ବିଧାନ ପରିଷଦକୁ ନିଜ ଦଳର ୩୫ରୁ ୪୦ ଜଣ ସଦସ୍ୟଙ୍କୁ ଛାଡ଼ିପାରେ। ଏହାଦ୍ୱାରା ୨୦୧୯ ବିଧାନସଭା ନିର୍ବାଚନରେ ଯୁବକଙ୍କୁ ଟିକେଟ ଦେବା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପାଇଁ ସହଜସାଧ୍ୟ ହୋଇଯିବ ବୋଲି ଆକଳନ କରାଯାଇଛି।

ଏଣେ ବରିଷ୍ଠ ନେତାଙ୍କୁ ଜାଗା ମିଳିଲା ତେଣେ ନୂଆ ନୂଆ ନେତାଙ୍କୁ ବିଧାନସଭା ପଠାଗଲା – ଯାହାକୁ କୁହାଯାଏ ଗୋଟିଏ ଗୁଳିରେ ଦୁଇଟି ଶିକାର। ଯଦିଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ରାଜ୍ୟର ବିକାଶ ପାଇଁ ବିଧାନ ପରିଷଦ ଗଠନ ବେଳେ ସମସ୍ତଙ୍କ ସହିତ ପରାମର୍ଶ କରାଯିବ, ପରିବର୍ତ୍ତିତ ସ୍ଥିତିରେ ଏହାର ବିଶେଷ କିଛି ଅର୍ଥ ବାହାରୁନାହିଁ।

ବିଜେପି – ବିଜେଡି ସଲାସୁତୁରା?

ବିଧାନ ପରିଷଦ ଗଠନ କଥା ଯେତେବେଳେ ବି ଉଠିଛି ରାଜ୍ୟ ବିଜେପି ନେତା ତାହାକୁ ଜୋରଦାର ବିରୋଧ କରିଆସିଛନ୍ତି। କିନ୍ତୁ ନିକଟ ଅତୀତର କିଛି ଘଟଣା ଉପରେ ଯଦି ନଜର ପକାଯାଏ ଓ କେନ୍ଦ୍ରରେ ମୋଦି ସରକାର ସହ ନବୀନଙ୍କ ଉତ୍ତମ ସମ୍ପର୍କର ମୂଳକୁ ଯଦି ଆମେ ଯିବା ରାଜ୍ୟ ବିଜେପି ନେତାମାନେ ଏନେଇ ଦ୍ୱନ୍ଦ୍ୱରେ ପଡ଼ିଥିବା ସ୍ପଷ୍ଟ ଦେଖାଯାଉଛି।

ବିଧାନସଭାରେ ଯେହେତୁ ବିଧାନ ପରିଷଦ ବିଲ୍ ପାସ ହୋଇଯାଇଛି ଏହା ଏବେ କେନ୍ଦ୍ରକୁ ଯିବ। ସମ୍ବିଧାନର ଧାରା ୧୬୯ ଅନୁଯାୟୀ ଏହି ପ୍ରସ୍ତାବ ସଂସଦର ଉଭୟ ଗୃହରେ ପାରିତ ହେବାକୁ ବାଧ୍ୟ। ବିଗତ କିଛି ମାସ ମଧ୍ୟରେ କେନ୍ଦ୍ରରେ ମୋଦି ସରକାରଙ୍କୁ ବିଭିନ୍ନ ଅବସ୍ଥାରେ ନବୀନଙ୍କ ଦଳ ଆଶାତୀତ ସାହାଯ୍ୟ କରି ଆସିଛି -ତାହା ବିମୁଦ୍ରାକରଣ ହେଉ କି ରାଷ୍ଟ୍ରପତି ନିର୍ବାଚନ ହେଉ କି ନିକଟରେ ଅନୁଷ୍ଠିତ ରାଜ୍ୟସଭା ଉପ-ସଭାପତି ନିର୍ବାଚନ ହେଉ।

ଆହୁରି ମଧ୍ୟ ମୋଦି ସରକାର ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ବେଳେ କକ୍ଷ ତ୍ୟାଗ କରି ପ୍ରସ୍ତାବ କାଟ ଖାଇବା ପାଇଁ ବିଜେଡି ପକ୍ଷରୁ ପଥ ପରିଷ୍କାର କରାଯାଇଥିଲା। ପ୍ରତିଦାନ ସୂତ୍ରରେ ବିଧାନ ପରିଷଦ ପ୍ରସ୍ତାବକୁ ମୋଦି ସରକାର ଉଭୟ ଗୃହରେ ପାସ୍ କରିବା ନେଇ ତତ୍ପରତା ପ୍ରକାଶ କରିପାରନ୍ତି ବୋଲି ଏକ ବିଶ୍ୱାସ ଓ ଧାରଣା ଶାସକ ବିଜେଡି ଭିତରେ ସୃଷ୍ଟି ହୋଇଛି। କିନ୍ତୁ ଏଥିରେ ଗୋଟିଏ ଅସୁବିଧା ରହିଛି। ଆସାମ ଓ ରାଜସ୍ଥାନରେ ମଧ୍ୟ ବିଧାନ ପରିଷଦ ଗଠନ ପାଇଁ ସେହି ରାଜ୍ୟ ସରକାରଙ୍କ ପକ୍ଷରୁ ଆସିଥିବା ଏକ ପ୍ରସ୍ତାବ ୨୦୧୩ ମସିହାରୁ ସଂସଦରେ ପଡ଼ିରହିଛି।

ଏହି ସ୍ଥିତିରେ ଓଡ଼ିଶାର ପ୍ରସ୍ତାବକୁ ଆଉ ମାତ୍ର ଦୁଇ ତିନି ମାସ ଭିତରେ ମଞ୍ଜୁରୀ ମିଳିପାରିବ କି ତାହା ଏକ ବଡ଼ ପ୍ରଶ୍ନବାଚୀ।

ଇତିହାସର ପୁନରାବୃତ୍ତି

ଓଡ଼ିଶାରେ ବିଧାନ ପରିଷଦ ଗଠନ ସକାଶେ ଏକ ପ୍ରସ୍ତାବ ୧୯୪୯ ମସିହାରେ ଆସିଥିଲା। ସମ୍ବିଧାନ ପ୍ରଣୟନ ସଭାରେ ଏହି ବିଷୟ ଆଲୋଚନା ବେଳେ ଓଡ଼ିଶା ପ୍ରାଦେଶିକ ବିଧାନସଭାର ଜନୈକ ସଦସ୍ୟ ଲକ୍ଷ୍ମୀ ନାରାୟଣ ସାହୁ ଏକ ବିଧାନ ପରିଷଦ ସ୍ଥାପନ ପାଇଁ ଏକ ସଂଶୋଧନ ପ୍ରସ୍ତାବ ଆଗତ କରିଥିଲେ। କିନ୍ତୁ ଅନ୍ୟ ଜଣେ ସଦସ୍ୟ ବିଶ୍ୱନାଥ ଦାଶ ଏହାକୁ ବିରୋଧ କରିଥିଲେ। ତାଙ୍କ ଯୁକ୍ତି ଥିଲା ଯେ ଏହିଭଳି ଏକ ଆର୍ଥିକ ବୋଝକୁ ମୁଣ୍ଡେଇବା କଷ୍ଟ। ଏଣୁ ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରାଯାଉ ଓ ଶେଷରେ ତାହା ହିଁ ହୋଇଥିଲା।

ଏବେ ୭୦ ବର୍ଷ ପରେ ବିଧାନ ପରିଷଦ ଗଠନ ପ୍ରସ୍ତାବ ଗୃହୀତ କରାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜକୋଷକୁ ଅଯଥା ଖର୍ଚ୍ଚରେ ପକାଇବାକୁ ଯାଉଛନ୍ତି ବୋଲି ଆଲୋଚନା ହେଉଛି। ନିଜ ଦଳର ନେତାଙ୍କୁ ଥଇଥାନ କରିବାକୁ ଯାଇ ନବୀନ ପଟ୍ଟନାୟକ ଆଗାମୀ ଦିନରେ ରାଜ୍ୟ ପାଇଁ ଏକ ବଡ଼ ଆର୍ଥିକ ବୋଝ ସୃଷ୍ଟି କରିଛନ୍ତି ଏଥିରେ ଦ୍ୱିମତ ନାହିଁ।

Comment