କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ

ମହାକାଳପଡ଼ା ବ୍ଲକର ବଡରାହାମା ଗାଁର ଏକ ଚିଙ୍ଗୁଡିଘେରିରେ ପ୍ରାଣ ହରାଇଛନ୍ତି କଳାହାଣ୍ଡି ଜିଲ୍ଲାର ଶ୍ରମିକ ଅଲେଖ।

ନୂଆଁଖାଇକୁ ଘରକୁ ଯାଇପାରୁନି। ବିଶ୍ୱକର୍ମା ପୂଜାକୁ ଘରକୁ ଯିବି। ନିଜ ମା’କୁ ଏମିତି କଥା ଦେଇଥିବା ପୁଅକୁ ଆଜି ଯମ ଛଡ଼ାଇ ନେଇଛି।

ଘଟଣାଟି ଥିଲା ସମ୍ପୂର୍ଣ୍ଣ ହୃଦୟବିଦାରକ। ମୋବାଇଲ ଫୋନରେ ମା’ ସହିତ କଥା ହେଉଥିଲେ ଅଲେଖ। ପ୍ରତ୍ୟକ୍ଷଦର୍ଶିଙ୍କ କହିବା କଥା ଅଲେଖ ଆଜି ସକାଳେ  ତାଙ୍କ ମା’ ସହ ଫୋନରେ କଥା ହୋଇଥିଲେ। ଫୋନରେ ସେ ତାଙ୍କ ମା’ଙ୍କୁ ବୁଝାଉଥିଲେ।

ଅଲେଖ ତାଙ୍କ ମା’କୁ କହୁଥିଲେ, “ତୁ ବ୍ୟସ୍ତ ହଅନା। ଚିଙ୍ଗୁଡ଼ିଘେରିରେ ବହୁତ କାମ ରହିଛି। ମୋର କେତେକ ସାଙ୍ଗ ତାଙ୍କ ଘରକୁ ଯାଇଛନ୍ତି। ସେମାନେ ଦିନେ ଦି ଦିନ ମଧ୍ୟରେ ଫେରି ଆସିବେ। ମୁଁ ଆସନ୍ତା ବିଶ୍ୱକର୍ମା ପୂଜାକୁ ନିଶ୍ଚୟ ଘରକୁ ଯିବି”। ଏତିକି କଥା ପରେ ସବୁ ଶୂନଶାନ ହୋଇଯାଇଥିଲା।

କଳାହଣ୍ଡି ଜିଲା ଏ ରାମପୁର ବ୍ଲକର ମହନଗିରୀ ଗାଁର ୨୨ ବର୍ଷିୟ ଯୁବକ ଅଲେଖ ନାୟକ। ପେଟ ପାଇଁ ସୁଦୁର କଳାହଣ୍ଡିର ବଣ ପାହାଡ଼ ଡେଇଁ ଛୁଟି ଆସିଥିଲେ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକର ସମୁଦ୍ର କୂଳକୁ। ମହାକାଳପଡ଼ା ବ୍ଲକର ବଡରାହାମା ଗାଁର ଚିଙ୍ଗୁଡିଘେରିରେ କାମ କରୁଥିଲେ। ଚିଙ୍ଗୁଡ଼ିଘେରିର ବନ୍ଧ ଥିଲା ତାଙ୍କର ବାସସ୍ଥାନ।

ଆଜି ସକାଳେ ଅଲେଖ ତାଙ୍କ ମା’ ସହିତ ଫୋନରେ କଥା ହେଉ ହେଉ ପହଞ୍ଚି ଯାଇଥିଲା ଚିଙ୍ଗୁଡିଘେରିରେ ଲାଗିଥିବା ଏରିଏଟର ପମ୍ପ ନିକଟରେ। ଗୋଟିଏ ହାତରେ ମା’ ସହିତ ମୋବାଇଲରେ କଥା ହେବା ବେଳେ ଅନ୍ୟ ହାତରେ ଅସାବଧାନତାରେ  ପମ୍ପର ସୁଇଜ ବନ୍ଦ କରୁକରୁ ପମ୍ପର ପ୍ରପେଲରରେ ଛନ୍ଦି ହୋଇ ପଡ଼ିଥିଲା ତାଙ୍କର ଗଞ୍ଜି। ଦଶ ଅଶ୍ୱ ସମ୍ପନ୍ନ ପମ୍ପର ପ୍ରପେଲରେ ଘୂରି ଯାଇଥିଲା ଅଲେଖଙ୍କ ଶରୀର। ମାତ୍ର ଅଳ୍ପ ସମୟ ମଧ୍ୟରେ ଅଲେଖଙ୍କ ବେକକୁ ଟୁକୁଡ଼ା ଟୁକୁଡ଼ା କରିଦେଇଥିଲା ପ୍ରପେଲର। ଛଟପଟହୋଇ ଘଟଣାସ୍ଥଳରେ ଅଲେଖଙ୍କ ପ୍ରାଣ ଚାଲିଯାଇଥିଲା।

ଏହାପରେ ହଠାତ ବନ୍ଦ ହୋଇ ଯାଇଥିବା ମୋବାଇଲକୁ ପୁଣି ରିଙ୍ଗ ଆସିଲା। ଦେଖା ଯାଇଥିଲା କି ଅଲେଖଙ୍କ ମା’ ବାରମ୍ବାର ଫୋନ କରୁଛନ୍ତି। ହେଲେ ମା’ଙ୍କ ଫୋନ କଲ୍‌ର ଉତ୍ତର ଦେବାକୁ ପୁଅ ଅଲେଖର ସ୍ୱର ସବୁଦିନ ପାଇଁ ବନ୍ଦ ହୋଇଯାଇଥିଲା।

ଏପଟେ ଅଲେଖଙ୍କ ଚିତ୍କାର ଶୁଣି ଘଟଣାସ୍ଥଳରେ ରୁଣ୍ଡ ହୋଇ ଯାଇଥିଲେ ନିକଟସ୍ଥ ଘେରିରେ କାମ କରୁଥିବା ଶ୍ରମିକମାନେ। ସେତେବେଳକୁ ଅଲେଖଙ୍କର ରକ୍ତ ଜୁଡ଼ୁବୁଡ଼ୁ ଶରୀର କିଛି ବାଟ ଦୂରରେ ଛିଟିକି ପଡ଼ିଥିଲା।

ଏ ସମ୍ପର୍କରେ ଖବର ପାଇ ତନ୍ତିଆପାଳ ସାମୁଦ୍ରିକ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଅଲେଖଙ୍କ ଘରକୁ ଦୁର୍ଘଟଣା ସମ୍ପର୍କରେ ଖବର ଦେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ମୃତ ଶରୀରକୁ ଜବତ କରି ବ୍ୟବଚ୍ଛେଦ ପାଇଁ କେନ୍ଦ୍ରାପଡ଼ା ଜିଲା ସରକାରୀ ଡାକ୍ତରଖାନାକୁ ପଠାଇଛି ପୋଲିସ।  ହେଲେ ଲୋକଙ୍କ ମୁହଁରେ ଗୋଟିଏ କଥା କି ହେ ଭଗବାନ ଆଉ ଏମିତି ହୃଦୟ ବିଦାରକ ଯନ୍ତ୍ରଣା ଆଉ କେଉଁ ମା’କୁ ନଦିଅ!

Comment