ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅବିନାଶ ପାଇଟାଳ ଓରଫ ମୂଷା ହତ୍ୟାକାଣ୍ଡ ଉପରୁ ପରଦା ହଟାଇବା ଦାବିରେ ତେଜିଲା ଆନ୍ଦୋଳନ।

କେନ୍ଦ୍ରାପଡ଼ା: ଅବିନାଶ ପାଇଟାଳ ଓରଫ ମୂଷା ହତ୍ୟାକାଣ୍ଡ ଘଟଣାରେ ମହାକାଳପଡ଼ା ଥାନାର ପୂର୍ବତନ ଅଧିକାରୀ ଶ୍ୟାମଘନ ବେହେରାଙ୍କ ଗିରଫ ଦାବିରେ ତେଜିଲା ଆନ୍ଦୋଳନ। କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମୃତ ମୂଷାଙ୍କ ପରିବାର ଓ ଗ୍ରାମବାସୀ ତିନି ଦିନ ହେଲା ଅନଶନରେ ବସିଛନ୍ତି। ଆଜି କେନ୍ଦ୍ରାପଡ଼ା ଜିଲ୍ଲା କଂଗ୍ରେସ ଓ ଚୌଦ୍ୱାର-କଟକ  ବିକାଶ ପରିଷଦ ସଦସ୍ୟମାନେ, ସୂଚନା ଅଧିକାର କର୍ମୀ ଏବଂ ମହାକାଳପଡ଼ା ବ୍ଲକ ୟୁଥ ଫୋରମର ସଦସ୍ୟମାନେ ଆଜି ଅନଶନରେ ସାମିଲ ହୋଇଥିଲେ।

ଏକ ଚୋରି ଅଭିଯୋଗରେ ମହାକାଳପଡ଼ା ପୋଲିସ ମୂଷାକୁ ଗିରଫ କରିଥିଲା। ଅଚାନକ ମୂଷାର ମୃତଦେହକୁ ଜଣଙ୍କ ସିଡି ଘର ତଳୁ ଝୁଲନ୍ତା ଅବସ୍ଥାରେ ଠାବ କରାଯାଇଥିଲା।  ମୂଷାକୁ ପୋଲିସ ପିଟି ପିଟି ହତ୍ୟା କରି ଝୁଲାଇ ଦେଇଥିବା ପରିବାର ଲୋକ ଅଭିଯୋଗ କରିଥିଲେ। ଏନେଇ ତତ୍କାଳୀନ ମହାକାଳପଡ଼ା ଥାନା ଅଧିକାରୀ ଶ୍ୟାମଘନ ବେହେରାଙ୍କ ବିରୋଧରେ ନରହତ୍ୟା ଅଭିଯୋଗ ରୁଜୁ ହୋଇଥିଲା।  ଏହି ଘଟଣାକୁ ୨୦ ଦିନ ବିତିଥିଲେ ମଧ୍ୟ ଥାନା ଅଧିକାରୀଙ୍କୁ ପୋଲିସ ଗିରଫ କରୁନି। ଏହାର ପ୍ରତିବାଦରେ ପରିବାର ଲୋକ ଜିଲ୍ଲାପାଳଙ୍କ ଅଫିସ ଆଗରେ ଅନଶନ କରିଛନ୍ତି।

ମୂଷା ମୃତ୍ୟୁ ରହସ୍ୟ ଉପରୁ ପରଦା ହଟାଇବା ପାଇଁ ପୋଲିସ ଡିଜି କ୍ରାଇମବ୍ରାଞ୍ଚ ତଦନ୍ତ ଆଦେଶ ଦେଇଥିଲେ। ଇତି ମଧ୍ୟରେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରୁ କ୍ରାଇମବ୍ରାଞ୍ଚ ଶବ ବ୍ୟବଚ୍ଛେଦ ରିପୋର୍ଟ ସଂଗ୍ରହ କରିଛି। ହେଲେ ତତ୍କାଳୀନ ପୋଲିସ  ଅଧିକାରୀ ଶ୍ୟାମଘନ ବେହେରାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନି। ଏହାକୁ ନେଇ ଏବେ ଆନ୍ଦୋଳନ ତେଜିଛି।

ମୃତ ଅବିନାଶଙ୍କ ପତ୍ନୀ, ଦୁଇ ବର୍ଷର ପୁଅ ସମେତ ତାଙ୍କ ବାପା, ମାଆ, ଭାଇ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ତିନି ଦିନ ହେଲା ଆମରଣ ଅନଶନରେ ବସିଛନ୍ତି। ମାର୍ଶାଘାଇ ଥାନା ଅନ୍ତର୍ଗତ ବାଲଣା ଗାଁର ମୃତ ଅବିନାଶଙ୍କ ପରିବାରକୁ ଉଚିତ ନ୍ୟାୟ ପ୍ରଦାନ ଦାବିରେ ଏହି ଅନଶନ ଯୋଡି ହୋଇଛି କେନ୍ଦ୍ରାପଡା ଜିଲ୍ଲା କଂଗ୍ରେସ ।

ଜିଲ୍ଲା କଂଗ୍ରେସର ସଭାପତି ଚିନ୍ମୟ ପ୍ରସାଦ ବେଉରା, ପୁର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରାଙ୍କ ସମେତ ବହୁ କଂଗ୍ରେସ କର୍ମୀ ଅନଶନସ୍ଥଳକୁ ଯାଇ ପ୍ରଶାସନର ଉଦାସୀନତାକୁ ଦାୟୀ କରିଥିଲେ।

କଟକ ଚୌଦ୍ୱାର ବିକାଶ ପରିଷଦର ସଭାପତି ବିଶ୍ୱରଞ୍ଜନ ସେଠୀ, କଟକ ଜିଲ୍ଲା ସୂଚନା ଅଧିକାରର ଆବାହକ ଜିତେନ୍ଦ୍ର ସାହୁ, କେନ୍ଦ୍ରାପଡ଼ା ଜିଲ୍ଲା ସୂଚନା ଅଧିକାର ଅଭିଯାନର ଆବାହକ ରଞ୍ଜନ ଦାସ ଓ ତାଙ୍କ ସମର୍ଥକ ଏବଂ ମହାକାଳପଡ଼ା ୟୁଥ ଫୋରମର ସଦସ୍ୟମାନେ ଅନଶନରେ ସାମିଲ ହୋଇ ତତ୍କାଳୀନ ଥାନା ଅଧିକାରୀଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି।

ଏପଟେ ପୋଲିସ କହୁଛି ଯେ ତଦନ୍ତରେ ସ୍ୱଚ୍ଛତା ପାଇଁ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ତଦନ୍ତ ଭାର କ୍ରାଇମବ୍ରାଞ୍ଚ ହାତକୁ ଦେଇଛନ୍ତି। ଏଥିରେ ଜିଲ୍ଲା ପୋଲିସର କିଛି କରିବାର ନାହିଁ। କ୍ରାଇମ ବ୍ରାଞ୍ଚର ବରିଷ୍ଠ ଅଧିକାରୀମାନେ ବିଭିନ୍ନ ସମୟରେ ଘଟଣାସ୍ଥଳ ସମେତ ମୃତ ଅବିନାଶଙ୍କ ଘରକୁ ଯାଇ ତଦନ୍ତ କରିଛନ୍ତି। ଏହାଛଡା ସ୍ଥାନୀୟ ଲୋକମାନଙ୍କୁ ଭେଟି ଘଟଣାର ଯାଞ୍ଚ କରିଛନ୍ତି। ତେବେ ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ପୋଲିସର ନିରବତା ଘଟଣାକୁ ଅଧିକ ରହସ୍ୟାବୃତ କରିଦେଇଛି। ଏହା ଚର୍ଚ୍ଚିତ ଘଟଣା ଉପରୁ କ୍ରାଇମବ୍ରାଞ୍ଚ ପୋଲିସ କେବେ ପରଦା ହଟାଇବ ତାହାକୁ ନେଇ ସମସ୍ତେ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି।

ହତ୍ୟାକାରୀକୁ ଉଚିତ ଦଣ୍ଡ ଦେବାକୁ ଦାବି କରିଛନ୍ତି ପରିବାରବର୍ଗ। ତିନି ଦିନ ଧରି ଅନଶନରେ ବସିଥିବା ମୃତ ଅବିନାଶଙ୍କ ପରିବାର ଲୋକଙ୍କର ସ୍ୱାସ୍ଥ୍ୟବସ୍ଥାରେ ଅବନତି ହେଉଛି। ଗତକାଲି ସେମାନଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଡାକ୍ତଖାନାରୁ ସେମାନେ ପୁଣି ଅନଶନସ୍ଥଳକୁ ଫେରି ଆସିଛନ୍ତି।

Comment