କପିଳାସ ଭୂୟାଁ

ଯୋଜନା ପ୍ରଣୟନକାରୀମାନଙ୍କୁ ମନେ ରଖିବାକୁ ହେବ ଯେ ସ୍ମାର୍ଟ ବସ୍ ଷ୍ଟପ୍‌ଗୁଡ଼ିକ ପୂଜା ମଣ୍ଡପ ନୁହେଁ ଯେ ଦଶହରାରେ ଦେବୀ ଦୁର୍ଗାଙ୍କ ଆବାହନ ପୂର୍ବରୁ ଆଖିବୁଜା କାମ କରି ସାରିବାକୁ ହେବ। ସେହିଭଳି ସ୍ମାର୍ଟ ବସ୍‌ ଷ୍ଟପ୍‌ଗୁଡ଼ିକ ସ୍ମାର୍ଟସିଟିର ଦୀର୍ଘସ୍ଥାୟୀ ଭିତ୍ତିଭୂମି ସହ ସମ୍ପୃକ୍ତ ହୋଇଥିବାରୁ ଓ ଅତ୍ୟାଧୁନିକ ଢଙ୍ଗରେ ନିର୍ମାଣ କରିବାର ଯୋଜନା ଥିବାରୁ ସେଗୁଡ଼ିକୁ ତରବରିଆ ଭାବେ ନିର୍ମାଣ କରିବା ଆଦୌ ଉଚିତ ନୁହେଁ।

ହକି ବିଶ୍ଵକପ୍ ଆୟୋଜନ ବେଳକୁ ସେଗୁଡ଼ିକ ତିଆରି ହୋଇପାରିଥିଲେ ଭଲ ହୋଇଥାନ୍ତା, କିନ୍ତୁ ଉପଯୁକ୍ତ ବୈଷୟିକ ଜ୍ଞାନ କୌଶଳ ସଂଯୋଗ କ୍ରମେ ସେଗୁଡ଼ିକ ନିର୍ମାଣ କରିବା ଦରକାର ଥିବାରୁ ଯଦି ତିଆରି ହୋଇପାରି ନଥିବ ତେବେ କିଛି କଥାନାହିଁ। କାରଣ ଦୀର୍ଘସ୍ଥାୟୀ ଭିତ୍ତିଭୂମି ନିର୍ମାଣ ବେଳେ ଆବଶ୍ୟକୀୟ ସମୟ ନେବା ଅତି ଜରୁରୀ।

ଅବଶ୍ୟ ଯୋଜନାପ୍ରଣୟନକାରୀମାନେ ଏ ବିଷୟରେ ସଚେତନ। ତେଣୁ ୨୦୧୮ ଜାନୁୟାରୀ ମାସରେ ସେମାନେ ଏକ ଚାରି ଥାକିଆ ସହରାଞ୍ଚଳ ବସ ଆଧୁନିକୀକରଣ ଯୋଜନା ପ୍ରସ୍ତୁତ କରିଥିଲେ। ସେହି ଅନୁଯାୟୀ ୨୦୧୭-୧୮ରେ ଯୋଜନାର ପ୍ରଥମ ପର୍ଯାୟରେ ପୂର୍ବରୁ ଚାଲୁଥିବା ୧୧୦ଟି ପୁରୁଣା ବସ୍ ସହ ୫୦ଟି ଷ୍ଟାଣ୍ଡାର୍ଡ ଏସି ବସ୍, ୫୦ଟି ଷ୍ଟାଣ୍ଡାର୍ଡ ନନ-ଏସି ବସ୍ ଓ ୧୦୦ଟି ମିଡିୟମ ବସ୍, ଅର୍ଥାତ ସମୁଦାୟ ୨୦୦ଟି ନୂଆ ବସ୍ ଯୋଗ କରି ଏକ ମଜଭୁତ ଗମନାଗମନ ସେବା ବ୍ୟବସ୍ଥା କାର୍ଯ୍ୟକାରୀ ହେବ।

ପୂର୍ବରୁ ଥିବା ମାଷ୍ଟରକାଣ୍ଟିନସ୍ଥିତ ବସ୍ ଟର୍ମିନାଲ, ପୋଖରୀପୁଟରେ ଥିବା ବସ ଡିପୋ ଏବଂ ଚନ୍ଦ୍ରଶେଖରପୁର ଓ ଘାଟିକିଆରେ ଥିବା ଓ ଡି ଟର୍ମିନାଲଗୁଡ଼ିକ ସହ ଆଉ ଦୁଇଟି ନୂଆ ବସ୍ ଡିପୋ ଯୋଗ କରାଯିବ। ଏହି ପର୍ଯାୟର କାର୍ଯ୍ୟକୁ ୨୦୧୮ ଅକ୍ଟୋବର ମାସ ଶେଷ ସୁଦ୍ଧା, ଅର୍ଥାତ ନଭେମ୍ବର ମାସରେ ହେବାକୁ ଥିବା ହକି ବିଶ୍ଵକପ ଆଗରୁ କାର୍ଯ୍ୟକାରୀ କରାଯିବ।

ଉଲ୍ଲେଖନୀୟ କି ମାତ୍ର ସାତ ବର୍ଷ ପୂର୍ବରୁ ୧୨୫ଟି ବସ୍‌କୁ ନେଇ ଯେଉଁ ଭୁବନେଶ୍ୱର ପୁରୀ ଟ୍ରାନ୍ସପୋର୍ଟ ସେବା ଆରମ୍ଭ ହୋଇଥିଲା ସେଥିରୁ ୧୫ଟି ବସ୍ ଆଉ ସେବାରେ ଲାଗୁନାହିଁ। ହୁଏତ ଯାନ୍ତ୍ରିକ ତ୍ରୁଟି କାରଣରୁ ଏପରି ହୋଇଥାଇପାରେ। ଯାନ୍ତ୍ରିକ ବିଘଟନ ଏକ ନିୟମିତ ପ୍ରକ୍ରିୟା। ଏହି ଯାନ୍ତ୍ରିକ ବିଘଟନ ଯୋଗୁ କାଳକ୍ରମେ କେତେକ ବସ୍ ରାସ୍ତାରେ ଚଳାଚଳ କରିବା ପାଇଁ ଅଯୋଗ୍ୟ ହୁଏ। ତେଣୁ, ଏହି ଯାନ୍ତ୍ରିକ ବିଘଟନ ପ୍ରକ୍ରିୟାକୁ ଦୃଷ୍ଟିରେ ରଖି ଆଗକୁ କେତେ ବସ୍‌କୁ ସେବାରୁ ହଟାଇବାକୁ ପଡ଼ିବ ଓ ଆଉ କେତେ ନୂଆ ବସ୍ ଯୋଗ କରିବାକୁ ହେବ ତାହାର ଯୋଜନା ପୂର୍ବରୁ ପ୍ରସ୍ତୁତ କରାଯିବା ଏବଂ ସେହି ଅନୁଯାୟୀ ପଦକ୍ଷେପ ନିଆଯିବା ଦରକାର।

୨୦୧୮-୧୯ ସୁଦ୍ଧା ଯୋଜନାର ଦ୍ଵିତୀୟ ପର୍ଯାୟରେ ସହରରେ ଗମନାଗମନ ବ୍ୟବସ୍ଥାକୁ ବିଦ୍ୟୁତ ଶକ୍ତି ଦ୍ଵାରା ପରିଚାଳନା କରିବା ଆରମ୍ଭ କରାଯିବ। ସହରାଞ୍ଚଳରେ ବାୟୁ ପ୍ରଦୂଷଣକୁ ରୋକିବାରେ ଏହା ବିଶେଷ ସହାୟକ ହେବ। ତେବେ କ’ଣ ସହରାଞ୍ଚଳ ଗମନାଗମନ ପାଇଁ ଏବେ ଯେଉଁ ୨୦୦ଟି ନୂଆ ବସ୍ ଆସିବ ସେଗୁଡ଼ିକ ବିଦ୍ୟୁତ ଶକ୍ତି ଦ୍ଵାରା ପରିଚାଳିତ ହେବ? ଯଦି ନୁହେଁ, ତେବେ ଏହି ଦ୍ଵିତୀୟ ପର୍ଯାୟ କାର୍ଯ୍ୟକ୍ରମ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ କିପରି ଆରମ୍ଭ ହେବ? ବିଶ୍ଵର ବଡ଼ ବଡ଼ ସହରରେ, ଏପରିକି କଲିକତାରେ ମଧ୍ୟ ସହରାଞ୍ଚଳ ଗମନାଗମନ ପାଇଁ ବିଦ୍ୟୁତ ଶକ୍ତି ପରିଚାଳିତ ଟ୍ରାମ ସେବା ଯୋଗାଇ ଦିଆଯାଉଛି। ତେବେ ବେଳ ଥାଉ ଥାଉ ଏଠାରେ ଟ୍ରାମ ବ୍ୟବସ୍ଥା ଲାଗୁ କରିବା ପାଇଁ ଯୋଜନା କରାଯାଉ ନାହିଁ କାହିଁକି? ଟ୍ରାମ ଦ୍ଵାରା ଗମନାଗମନ ବ୍ୟବସ୍ଥା କରାଗଲେ ଯାତ୍ରା ସୁଗମ, ଶସ୍ତା ଓ ସମୟାନୁବର୍ତ୍ତୀ ହୋଇ ପାରିବା ସହ ସହରର ବାୟୁ ପ୍ରଦୂଷଣକୁ ବହୁ ମାତ୍ରାରେ ରୋକାଯାଇ ପାରିବ।

୨୦୧୯-୨୦ ସୁଦ୍ଧା ଯୋଜନାର ତୃତୀୟ ପର୍ଯାୟରେ ରାଜଧାନୀ ଭୁବନେଶ୍ଵର ସହ ଏହାର ଚତୁଃପାର୍ଶ୍ଵରେ ଥିବା କଟକ, ଖୋର୍ଦ୍ଧା ଓ ପୁରୀ ପରି ସହର ଏବଂ ଅନ୍ୟାନ୍ୟ ଛୋଟ ବଡ଼ ସ୍ଥାନକୁ ଗମନାଗମନ ବ୍ୟବସ୍ଥା ସହ ସଂଯୋଗ କରାଯିବ। ସେତେବେଳେ ପୁରୁଣା ହୋଇଯାଇଥିବା ୧୧୦ ବସ୍‌କୁ ସେବାରୁ ହଟାଇ ଦେବା ସହ ଅଧିକ ୩୦୦ ବସ୍ ଯୋଗ କରାଯିବ।

ସେହିଭଳି ୨୦୨୭ ସୁଦ୍ଧା ଯୋଜନାର ଚତୁର୍ଥ ପର୍ଯାୟରେ ପ୍ରଥମ ପର୍ଯାୟରେ ଯୋଗ କରାଯାଇଥିବା ୨୦୦ ବସ୍‌କୁ ସେବାରୁ ହଟାଇବା ସହ ଅଧିକ ୪୦୦ ନୂଆ ବସ୍ ଆଣି ଅଧିକ ପ୍ରାୟ ୨୦ରୁ ୨୫ ଲକ୍ଷ ଲୋକଙ୍କୁ ସହରାଞ୍ଚଳ ବସ୍ ସେବା ଯୋଗାଇ ଦେବାକୁ ଯୋଜନା କରାଯାଇଛି।

ଏହି ଚାରି ପର୍ଯାୟର ସହରାଞ୍ଚଳ ଗମନାଗମନ ଯୋଜନାରୁ ଜଣାପଡ଼ୁଛି ଯେ ଆମେ ମାତ୍ର ଦଶରୁ ପନ୍ଦର ବର୍ଷର ପରିକଳ୍ପନା କରିଛୁ। ଦଶରୁ ପନ୍ଦର ବର୍ଷ ହେଉଛି ଏକ ସ୍ୱଳ୍ପ ସମୟ ଅବଧି। ତେବେ ଯୋଜନା ପ୍ରଣୟନକାରୀମାନେ ଅତ୍ୟାଧୁନିକ ପ୍ରାଣାଳୀରେ ଯେଉଁ ଦୀର୍ଘସ୍ଥାୟୀ  ସ୍ମାର୍ଟ ବସ୍ ଷ୍ଟପ୍‌ଗୁଡ଼ିକ ତିଆରି କରିବାକୁ ଯାଉଛନ୍ତି ତାହା କ’ଣ ମାତ୍ର ଦଶରୁ ପନ୍ଦର ବର୍ଷ ପାଇଁ? ତା’ ପରେ କଣ ପୁଣି ଥରେ ସବୁ କିଛି ଭଙ୍ଗା ଗଢ଼ା ହେବ?

ଦୀର୍ଘସ୍ଥାୟୀ ଯୋଜନା କହିଲେ ସାଧାରଣତଃ ତାହା ବୁଝାଏ ଯେ ଅନ୍ତତଃ ଦୁଇଟି ପିଢ଼ି ତାହାକୁ ଭୋଗ କରିବେ। ଦୁଇଟି ପିଢି ସର୍ବନିମ୍ନ ୩୦ରୁ ୪୦ ବର୍ଷକୁ ବୁଝାଏ ବୋଲି କହିଲେ କିଛି ଭୁଲ ହେବ ନାହିଁ। ସ୍ମାର୍ଟସିଟି ଭୁବନେଶ୍ଵରକୁ ଏହାର ଚତୁଃପାର୍ଶ୍ଵସ୍ଥ ଅନ୍ୟ ସହର ସଂଯୁକ୍ତ କରି ଯେଉଁ ସହରାଞ୍ଚଳ ଗମନାଗମନ ବ୍ୟବସ୍ଥା ଆମେ ଲାଗୁ କରିବାକୁ ଯାଉଛୁ, ୨୦୫୦ ସୁଦ୍ଧା ସେଥିରେ ଅନ୍ୟୂନ ୪୦ ଲକ୍ଷ ଲୋକଙ୍କୁ ସେବା ଯୋଗାଇଦେବା ପାଇଁ ବ୍ୟବସ୍ଥା ରହିବା ଦରକାର। ସେହି ଅନୁଯାୟୀ ଆମର ଯୋଜନାଗୁଡ଼ିକ ସୁପରିକଳ୍ପିତ ହେବା ଗୁରୁତ୍ୱପୂର୍ଣ୍ଣ।

ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ସହ ଭବିଷ୍ୟତର ଗମନାଗମନ ସେବା ଯୋଗାଇବା ପାଇଁ ଟ୍ରାମ ଓ ମେଟ୍ରୋ ବା ଭୂତଳ ରେଳ ବ୍ୟବସ୍ଥା ହେଉଛି ସର୍ବୋତ୍କୃଷ୍ଟ। ଫ୍ଲାଏ ଓଭର ତିଆରି କରିବା ଓ ବସ୍ ସେବାକୁ ତ୍ୱରାନ୍ୱିତ କରିବା ସହ ୨୦୩୦-୫୦କୁ ଦୃଷ୍ଟିରେ ରଖି ଆମ ଯୋଜନା ପ୍ରଣୟନକାରୀମାନେ କିପରି ବିଦ୍ୟୁତ ଶକ୍ତି ଦ୍ଵାରା ସଞ୍ଚାଳିତ ଟ୍ରାମ ଓ ମେଟ୍ରୋ ରେଳ ଚଳାଚଳ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇପାରିବ ସେ ଦିଗରେ ଭାବିବା ଦରକାର।

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ତଥା ଜାତୀୟ ପୁରସ୍କାରପ୍ରାପ୍ତ ଚଳଚିତ୍ର ନିର୍ଦ୍ଦେଶକ) 

Comment