ଓଡ଼ିଶାଲାଇଭ୍ ବ୍ୟୁରୋ

ଟାଟା ଷ୍ଟିଲ ପକ୍ଷରୁ କୋଲକାତାଠାରେ ଆୟୋଜିତ ହେବାକୁଯାଉଛି ଦେଶର ପ୍ରଥମ ଆନ୍ତର୍ଜାତିକ ଚେସ୍ ଟୁର୍ଣ୍ଣାମେଣ୍ଟ।

ଟାଟା ଷ୍ଟିଲ ପକ୍ଷରୁ ଦେଶର ପ୍ରଥମ ଆନ୍ତର୍ଜାତିକ ଚେସ୍ ଟୁର୍ଣ୍ଣାମେଣ୍ଟ ଆସନ୍ତା ନଭେମ୍ବର ମାସରେ କୋଲକାତାଠାରେ ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତାକୁ ଟାଟା ଷ୍ଟିଲ ଚେସ୍ ଇଣ୍ଡିଆ ନଭେମ୍ବର ୯ରୁ ୧୪ ତାରିଖ ପର୍ଯ୍ୟନ୍ତ ଆୟୋଜିତ କରିବ।

ଏଥିରେ ଭାରତର ବିଶ୍ୱନାଥନ ଆନନ୍ଦଙ୍କ ସମେତ ବିଶ୍ୱରେ ବର୍ତ୍ତମାନ ଖେଳୁଥିବା ଗ୍ରାଣ୍ଡମାଷ୍ଟରମାନେ ଅଂଶଗ୍ରହଣ କରିବେ। କୋଲକାତାର ପ୍ରମୁଖ ସାଂସ୍କୃତିକସ୍ଥଳୀ ଇଣ୍ଡିଆନ କାଉନସିଲ ଫର କଲଚରାଲ ରିଲେସନଠାରେ ରାପିଡ଼ ଓ ବ୍ଲିଜ୍ ଫର୍ମାଟରେ ଖେଳାଯିବାକୁ ଥିବା ଏହି ପ୍ରତିଯୋଗୀତାରେ ବିଶ୍ୱର ୧୧ ଜଣ ଶୀର୍ଷସ୍ତରୀୟ ଖେଳାଳି ଭାଗ ନେବେ।

ନେଦରଲାଣ୍ଡଠାରେ ଅନୁଷ୍ଠିତ ଟାଟା ଷ୍ଟିଲ ଚେସ୍ ଟୁର୍ଣ୍ଣାମେଣ୍ଟର ନିର୍ଦ୍ଦେଶକ ଜେରୋଏନ ଭାନ ଡ଼େନ ବର୍ଗ ଟାଟା ଷ୍ଟିଲ ଚେସ୍ ଇଣ୍ଡିଆର ନିର୍ଦ୍ଦେଶକ ଭାବେ ଦାୟିତ୍ୱ ତୁଲାଇବେ। ୯, ୧୦ ଓ ୧୧ ତାରିଖରେ ପ୍ରତିଯୋଗୀମାନେ ଏକକ ପର୍ଯ୍ୟାୟ ରାପିଡ଼ ଟୁର୍ଣ୍ଣାମେଣ୍ଟ ଖେଳିବେ।

ଏହାପରେ ୧୩ ଓ ୧୪ ତାରିଖରେ ଡବଲ ରାଉଣ୍ଡ ବ୍ଲିଜ ଟୁର୍ଣ୍ଣାମେଣ୍ଟ ଖେଳିବେ। ଟାଟା ଷ୍ଟିଲ ଚେସ୍ ଇଣ୍ଡିଆ ଆନ୍ତର୍ଜାତିକ ଚେସ୍ ମହାସଂଘ କାର୍ଯ୍ୟକ୍ରମର ଅଂଶବିଶେଷ ଅଟେ।

ଏହି ୨ କାର୍ଯ୍ୟକ୍ରମର ମୋଟ୍ ପୁରସ୍କାର ରାଶି ୪୦,୦୦୦ ଆମେରିକୀୟ ଡ଼ଲାର ରଖାଯାଇଛି। ପ୍ରଥମ ପୁରସ୍କାରର ମୂଲ୍ୟ ୧୦,୦୦୦ ଡ଼ଲାର ରଖାଯାଇଥିବା ବେଳେ ଦ୍ୱିତୀୟ ପୁରସ୍କାରର ମୂଲ୍ୟ ୭୫୦୦ ଡ଼ଲାର ରଖାଯାଇଛି।

ଗେମପ୍ଲାନ ସ୍ପୋର୍ଟସ ପ୍ରାଇଭେଟ ଲିମିଟେଡ଼ ଏହି ଖେଳ ପରିଚାଳନା କରିବେ। ଟାଟା ଷ୍ଟିଲ କର୍ପୋରେଟ ସେବାର ଉପସଭାପତି ସୁନୀଲ ଭାସ୍କରନ୍ ଏହି ଅବସରରେ କହିଛନ୍ତି ଯେ, ‘ଚେସ୍ ସହ ଟାଟାର ଦୀର୍ଘଦିନର ସମ୍ପର୍କ ରହିଛି’।

ନେଦରଲାଣ୍ଡର ସମ୍ମାନଜନକ ୱିଜକୀ ଆନ ଜୀ ପ୍ରତିଯୋଗିତାର ଏହା ପ୍ରଯୋଜନା କରୁଛି। ‘କୋଲକାତା ପ୍ରତିଯୋଗିତାକୁ ନେଇ ସେ ଖୁସୀ’ ବୋଲି କହିଛନ୍ତି – ନିର୍ଦ୍ଦେଶକ ଜେରୋଏନ ଭାନ ଡ଼େନ ବର୍ଗ। ଏହାଛଡ଼ା ଗେମପ୍ଲାନ ସ୍ପୋର୍ଟସ ପ୍ରାଇଭେଟ ଲିମିଟେଡ଼ର ପରିଚାଳନା ନିର୍ଦ୍ଦେଶକ ଜିତ୍ ବାନାର୍ଜୀ କହିଛନ୍ତି, ‘ଭାରତ ପାଇଁ ଏହା ଏକ ଗୌରବର ମୁହୂର୍ତ୍ତ’।

Comment