ଓଡ଼ିଶାଲାଇଭ୍ ବ୍ୟୁରୋ

ଆଉ କିଛିଦିନ ପରେ ଆରମ୍ଭ ହେବାକୁ ଯାଉଛି ଫିଫା ବିଶ୍ଵକପ୍। ପ୍ରଥମ ଥର ପାଇଁ କାତାର ଭଳି ଏକ ଆରବ ଦେଶ ଏହାର ୨୨ତମ ସଂସ୍କରଣ ଆଯୋଜନ କରିବାକୁ ଯାଉଛି। ଏହା ଆସନ୍ତା ନଭେମ୍ବର ୨୦ ତାରିଖରୁ ଆରମ୍ଭ ହୋଇ ଡିସେମ୍ବର ୧୮ ତାରିଖରେ ଶେଷ ହେବ।

ଏଥିରେ ଖେଳିବାକୁ ଥିବା ୩୨ଟି ଦେଶକୁ ୮ଟି ଗ୍ରୁପରେ ବିଭକ୍ତ କରାଯାଇଛି। ବିଶ୍ଵକପ୍‌ର ପ୍ରଥମ ମ୍ୟାଚ୍ ଦୋହାର ଅଲ ବାୟତ ଷ୍ଟାଡିୟମରେ କାତାର ଓ ଇକ୍ଵେଡର୍ ମଧ୍ୟରେ ଖେଳାଯିବ। ଏହି ବିଶ୍ଵକପ୍‌ରେ ଲିଗ୍ ପର୍ଯ୍ୟାୟ ଡିସେମ୍ବର ୨ତାରିଖରେ ଶେଷ ହେବ। ଏହାପରେ ପ୍ରତି ଗ୍ରୁପରୁ ଶ୍ରେଷ୍ଠ ୨ଟି ଦଳକୁ ନେଇ ଡିସେମ୍ବର ୩ ତାରିଖରୁ ନକ୍ଆଉଟ ପର୍ଯ୍ୟାୟ ଆରମ୍ଭ ହେବ। ଡିସେମ୍ବର ୧୩ ଓ ୧୪ ତାରିଖରେ ଏହି ବିଶ୍ଵକପ୍‌ର ଦୁଇଟି ସେମିଫଇନାଲ ଅନୁଷ୍ଠିତ ହେବ।

ଚଳିତ ବର୍ଷର ଫିଫା ବିଶ୍ଵକପ୍‌ ଆଶା ଓ ଆଶ୍ଚର୍ଯ୍ୟରେ ଭାରି ରହିଛି। ୨୦୧୮ ସଂସ୍କରଣରେ ଖେଳିନଥିବା ଘାନା, ଇକ୍ଵେଡର, ନେଦରଲାଣ୍ଡସ୍, କାମେରୁନ ଓ ଆମେରିକା ଏଥର ପ୍ରତ୍ୟାବର୍ତ୍ତନ କରିଛନ୍ତି। ୩୬ ବର୍ଷ ପରେ କାନାଡା ଏହି ବିଶ୍ଵକପ୍ ପାଇଁ ଯୋଗ୍ୟତା ଅର୍ଜନ କରିଛି। ସେହିପରି ୟୁରୋପୀୟ ଦେଶ ୱେଲସ୍ ମଧ୍ୟ ୬୪ ବର୍ଷ ପରେ ଏହି ବିଶ୍ଵକପ୍‌ରେ ଖେଳିବ।

୨୦୦୬ ମସିହା ବିଶ୍ଵକପ୍ ବିଜେତା ଇଟାଲୀ ଚଳିତବର୍ଷ ବିଶ୍ଵକପ୍ ପାଇଁ ଯୋଗ୍ୟତା ପର୍ଯ୍ୟାୟରେ ପରାସ୍ତ ହୋଇ ବାଦ ପଡ଼ିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ୟୁକ୍ରେନ୍ ଉପରେ ଆକ୍ରମଣ କରିଥିବାରୁ ଋଷିଆକୁ ଚଳିତ ବିଶ୍ଵକପ୍‌ରେ ଖେଳିବା ପାଇଁ ଅଯୋଗ୍ୟ ଘୋଷିତ କରାଯାଇଛି। ଏଥର ଦକ୍ଷିଣ ଆମେରିକୀୟ ଦେଶ ଚିଲି ଦ୍ଵିତୀୟ ଥର ପାଇଁ ବିଶ୍ଵକପ୍ ପାଇଁ ଯୋଗ୍ୟତା ଅର୍ଜନ କରିବାରେ ବିଫଳ ହୋଇଛି। ବିଶ୍ଵକପ୍‌ର ପୂର୍ବ ସଂସ୍କରଣରେ ଖେଳିଥିବା ପାନାମା, ପେରୁ, ଇଜିପ୍ଟ, କଲମ୍ବିଆ, ଆଇସଲ୍ୟାଣ୍ଡ୍ ଓ ସ୍ଵିଡେନ ଏଥର ଖେଳିବା ପାଇଁ ଯୋଗ୍ୟତା ଅର୍ଜନ କରିପାରିନାହାନ୍ତି।

୨୦୨୨ର ଏହି ବିଶ୍ଵକପରେ ଶେଷଥର ଲାଗି ୩୨ଟି ଦଳ ଖେଳିବାକୁ ଯାଉଛନ୍ତି। ୨୦୨୬ରେ ଆମେରିକା, କାନାଡା ଓ ମେକ୍ସିକୋରେ ମିଳିତ ଭାବେ ଆୟୋଜନ ହେବାକୁ ଥିବା ଫିଫା ବିଶ୍ଵକପ୍‌ରେ ୪୮ଟି ଦେଶ ଖେଳିବାର ବ୍ୟବସ୍ଥା କରଯାଇଛି।

ଫିଫା ବିଶ୍ଵକପ୍‌ର ଏଥରର ସଂସ୍କରଣକୁ ଅଧିକ ଆକର୍ଷଣୀୟ କରିବା ପାଇଁ କାତାର ସରକାର ପ୍ରାୟ ୨୦୦ କୋଟି ଡଲାର ଖର୍ଚ୍ଚ କରିଛନ୍ତି। ଏହାଛଡା ଅନ୍ୟ ଭିତ୍ତିଭୂମି ନିର୍ମାଣ ବାବଦରେ ଆହୁରି ଅଧିକ ଟଙ୍କା ବିନିମୟ କରାଯାଇଛି, ଯାହାଫଳରେ ଏହି ବିଶ୍ଵକପଟି ଆଜି ପର୍ଯ୍ୟନ୍ତ ହୋଇସାରିଥିବା ସମସ୍ତ ଫୁଟବଲ ବିଶ୍ଵକପ୍‌ଠାରୁ ସବୁଠୁ ଦାମୀ ସାବ୍ୟସ୍ତ ହୋଇଛି।

କାତାର ବିଶ୍ଵକପ୍ ପାଇଁ ୮ଟି ନୂତନ ଷ୍ଟାଡିୟମ ନିର୍ମାଣ କରିଛି। ଏହି ସଂସ୍କରଣ ପାଇଁ ‘ଲାଇବ’ ମସ୍କଟ ରୂପେ ବଛାଯାଇଛି। ସେହିପରି ଏହି ବିଶ୍ଵକପର ଅଫିସିଆଲ ବଲକୁ ‘ଅଲ ରିହାଲା’ ନାମ ଦିଆଯାଇଛି। ଚଳିତ ବର୍ଷ ବିଶ୍ଵକପରେ କୌଣସି ଅଫିସିଆଲ ଗୀତ ବଦଳରେ ୩ଟି ଭିନ୍ନ ଗୀତକୁ ନେଇ ଏକ ସାଉଣ୍ଡ ଟ୍ରାକ୍ ପ୍ରସ୍ତୁତ କରାଯାଇଛି।

ଅନ୍ୟପଟରେ ବିଶ୍ଵକପ୍ ଭିତ୍ତିଭୂମି ନିର୍ମାଣ ପାଇଁ କାତାରରେ କାର୍ଯ୍ୟରତ ପାଖାପାଖି ୪୦୦୦ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ଦର୍ଶାଇ କେତେକ ମାନବ ଅଧିକାର ସଂଗଠନ କାତାର ସରକାରଙ୍କୁ ସମାଲୋଚନା କରିଛନ୍ତି। ଏହି ମୃତ ଶ୍ରମିକମାନଙ୍କ ମଧ୍ୟରୁ ଅଧିକାଂଶ ଦକ୍ଷିଣ ଏସୀୟ ଦେଶ ଯଥା ଭାରତ, ପାକିସ୍ତାନ, ନେପାଳ, ବାଂଲାଦେଶ ଆଦିର ହୋଇଥିବାର ସୂଚନା ମିଳିଛି। ଅନେକ ଦେଶରୁ ଏହି ବିଶ୍ଵକପ୍ ପାଇଁ ବିଭିନ୍ନ ଭିତ୍ତିଭୂମି ନିର୍ମାଣ କରିବା ଲାଗି ଆସିଥିବା ଶ୍ରମିକମାନଙ୍କ ପାଇଁ ଉପଯୁକ୍ତ ବ୍ୟବସ୍ଥା କରାଯାଇନଥିବା ତଥା ସେମାନଙ୍କ ରହିବା ଖାଇବା ଆଦିର ଉତ୍ତମ ବନ୍ଦୋବସ୍ତ ହୋଇନଥିବା ଅଭିଯୋଗ ହୋଇଛି।

ଏହି ବିଶ୍ଵକପ୍ ମାଧ୍ୟମରେ କାତର ସରକାର ନିଜ ଦେଶକୁ ଏକ ପ୍ରମୁଖ ପର୍ଯ୍ୟଟନ ହବ୍‌ରେ ପରିଣତ କରିବାକୁ ଲକ୍ଷ୍ୟ ରଖିଛନ୍ତି। ନିଜ ଦେଶର ସଂସ୍କୃତି, କଳା, ସ୍ତାପତ୍ୟ ଏବଂ ଇତିହାସକୁ ବିଶ୍ଵସ୍ତରରେ ପ୍ରଦର୍ଶନ କରିବା ପାଇଁ ବିଭିନ୍ନ ବ୍ୟବସ୍ଥା କରିଛନ୍ତି।

Tags: #FIFAWorldCup2022 #Qatar #Football #FIFA #OdishaLive #Sports

Comment