ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ବୀର ସୁରେନ୍ଦ୍ର ସାଏଙ୍କ ନାଁରେ ନାମିତ ହେଲା ଝାରସୁଗୁଡ଼ା ଏୟାରପୋର୍ଟ
  • ଉଡ଼ାନ ଯୋଜନାରେ ଏହା ହେଉଛି ଦେଶର ୩୨ତମ ବିମାନ ବନ୍ଦର
  • ରାୟପୁରକୁ ଉଡ଼ିଲା ପ୍ରଥମ ବିମାନ
  • ପୂର୍ବ ଭାରତର ବିକାଶ ଆମର ଲକ୍ଷ୍ୟ: ମୋଦି
  • ଝାରସୁଗୁଡ଼ା ଏୟାରପୋର୍ଟ ପାଇଁ ରାଜ୍ୟ ଦେଇଛି ୭୫ କୋଟି: ନବୀନ

ପ୍ରତୀକ୍ଷାର ଅନ୍ତ ଘଟିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଝାରସୁଗଡ଼ା ବିମାନବନ୍ଦରକୁ ଜାତି ଉଦ୍ଦେଶ୍ୟରେ ଲୋକାର୍ପିତ କରିଛନ୍ତି। ଲୋକାର୍ପଣ ପରେ ଝାରସୁଗୁଡ଼ା ବିମାନ ବନ୍ଦରରୁ ରାୟପୁରକୁ ପ୍ରଥମ ବିମାନ ଉଡ଼ିଛି। ଏହାକୁ ପ୍ରଧାନମନ୍ତ୍ରୀ ମୋଦି ଶୁଭାରମ୍ଭ କରିଥିଲେ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ଗଣେଶୀ ଲାଲ୍ ବିମାନବନ୍ଦର ଲୋକାର୍ପଣ ବେଳେ ଉପସ୍ଥିତ ଥିଲେ।  ଏହି ବିମାନବନ୍ଦର ଉଡ଼ାନ (ଉଡ଼େ ଦେଶ କା ଆମ୍ ନାଗରିକ) ଯୋଜନାରେ ସାମିଲ ହୋଇଛି। ଉଡ଼ାନ ଯୋଜନାର ୩୨ତମ ଏୟାରପୋର୍ଟ ହେଉଛି ଝାରସୁଗୁଡ଼ା ବିମାନ ବନ୍ଦର।

ଝାରସୁଗୁଡ଼ା ବିମାନ ବନ୍ଦର ହେଉଛି ପଶ୍ଚିମ ଓଡ଼ିଶାର ପ୍ରଥମ ବିମାନବନ୍ଦର। ୨୧୦ କୋଟି ଟଙ୍କା ବ୍ୟୟରେ ଏହା ନିର୍ମାଣ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ଝାରସୁଗୁଡ଼ା ଏୟାରପୋର୍ଟରୁ ଭୁବନେଶ୍ୱର, ରାୟପୁର ଏବଂ ରାଞ୍ଚିକୁ ବିମାନ ସେବା ମିଳିବ। ପରେ ଦେଶର ଅନ୍ୟ ପ୍ରମୁଖ ସହରକୁ ବିମାନସେବା ଶୁଭାରମ୍ଭ କରାଯିବ।

ଏହି ଅବସରରେ ଝାରସୁଗୁଡ଼ା ବିମାନ ବନ୍ଦରକୁ ବିଶିଷ୍ଟ ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ନାଁରେ ନାମିତ କରାଯାଇଛି।

“ଓଡ଼ିଶାବାସୀଙ୍କର ପ୍ରତୀକ୍ଷାର ଅନ୍ତ ଘଟିଛି। ଦୀର୍ଘ ବର୍ଷ ପରେ ଓଡ଼ିଶାରେ ଦ୍ୱିତୀୟ ବିମାନ ବନ୍ଦର କାର୍ଯ୍ୟକ୍ଷମ ହୋଇଛି। ବୀର ସୁରେନ୍ଦ୍ର ସାଏଙ୍କ ନାମରେ ଏହି ଏୟାରପୋର୍ଟକୁ ନାମିତ କରାଯାଇଛି। ଓଡ଼ିଶାର ପ୍ରମୁଖ ସ୍ଥାନରେ ଏହି ବିମାନ ବନ୍ଦର ରହିଥିବାରୁ ବିଭିନ୍ନ ଲୋକେ ବିମାନସେବା ପାଇବେ। ଏହି ବିମାନ ବନ୍ଦର ଯୋଗୁଁ ପଶ୍ଚିମ ଓଡ଼ିଶାର ବିକାଶ ହୋଇପାରିବ”, କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ମୋଦି ଆହୁରି କହିଛନ୍ତି ଯେ କେନ୍ଦ୍ର ସରକାର ପୂର୍ବ ଭାରତର ବିକାଶ ପାଇଁ ସବୁବେଳେ ଉଦ୍ୟମ କରି ଆସୁଛନ୍ତି। ପୂର୍ବ ଭାରତର ବିକାଶ ପାଇଁ କେନ୍ଦ୍ର ସରକାର ଅନେକ ଯୋଜନା ପ୍ରଣୟନ କରିଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, “ଝାରସୁଗୁଡ଼ା ବିମାନ ବନ୍ଦର ପାଇଁ ରାଜ୍ୟ ସରକାର ୧୨୦ ଏକର ଜମି ଯୋଗାଇ ଦେଇଛନ୍ତି। ରାଜ୍ୟ ରାଜକୋଷରୁ ଏହି ବିମାନ ବନ୍ଦର ପାଇଁ ରାଜ୍ୟ ସରକାର ୭୫ କୋଟି ଟଙ୍କା ଦେଇଛନ୍ତି। ଝାରସୁଗୁଡ଼ା ବିମାନ ବନ୍ଦରର ନାଁ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ନାମରେ ନାମିତ କରିବା ଲାଗି ରାଜ୍ୟ ସରକାର ସଙ୍କଳ୍ପ ପାରିତ କରିଥିଲେ। ଏହା ଆଜି ତାଙ୍କରି ନାଁରେ ନାମିତ ହୋଇଛି। ଏହା ହେଉଛି ବୀର ସୁରେନ୍ଦ୍ର ସାଏଙ୍କ ପ୍ରତି ଶ୍ରେଷ୍ଠ ସମ୍ମାନ।”

ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁ କହିଛନ୍ତି, “ଦେଶରେ ବିମାନସେବାରେ ଅଭୁତପୂର୍ବ ସଫଳତା ମିଳିଛି। ୫୦ ମାସରେ ୫୬ଟି ନୂଆ ବିମାନ ବନ୍ଦର ଏବଂ ୩୬ଟି ନୂଆ ହେଲିପ୍ୟାଡ ନିର୍ମାଣ କରାଯାଇଛି। ଆଗାମୀ ୧୫ ବର୍ଷ ଭିତରେ ୧୦୦ଟି ନୂଆ ଏୟାରପୋର୍ଟ ନିର୍ମାଣ କରିବାକୁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି।”

Comment