କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ

କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକର ବନ୍ଧସାହି ଗାଁରେ ଘଟିଛି ହୃଦୟବିଦାରକ ଘଟଣା। ଦୁଇ ପୁଅଙ୍କୁ ଝୁରୁଛି ମା’।

ଉଜୁଡ଼ିଗଲା ସୁଖର ସଂସାର। ସାପ କାମୁଡ଼ାରେ ଆରପାରିକୁ ଚାଲିଗଲେ ଦୁଇ ଭାଇ। ଏକା ସାଙ୍ଗରେ ଦୁଇ ପୁଅଙ୍କୁ ହରାଇ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି ବାପା, ମା’। ଏହି ହୃଦୟ ବିଦାରକ ଘଟଣାଟି ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକର ବନ୍ଧସାହି ଗାଁରେ। ଏହି ଦୁଃଖଦ ଘଟଣା ସାରା ଜିଲ୍ଲାରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି।

ସ୍କୁଲରେ ଶିକ୍ଷକ ଅଧିକ ପାଠ ଦେଇଥିଲେ ଘରୁ ପଢ଼ି ଆସିବା ପାଇଁ। ସାନ ଭାଇ କୃତିବାସ ଘରେ ପାଠ ପଢ଼ୁପଢ଼ୁ ଶୋଇ ପଡ଼ୁଥିବାରୁ ବଡ଼ଭାଇ ଉଦୟ ତାଙ୍କୁ ତାଗିଦ କରୁଥିଲା। ପାଠ ନପଢ଼ି ଯଦି ସ୍କୁଲକୁ ଯିବୁ ସବୁ ପିଲା ଶ୍ରେଣୀରେ ସାରଙ୍କ ପ୍ରଶ୍ନର ଉତ୍ତର ଦେବେ। ତୁ ନକହି ପାରିଲେ ତତେ ଲାଜ ଲାଗିବ ବୋଲି ବଡ଼ ଭାଇ ସାନ ଭାଇକୁ କହିଥିଲା।

ବଡ଼ ଭାଇଙ୍କର ଏହି କଥାରେ ନିଦ ଭାଙ୍ଗି ଯାଇଥିଲା କୃତିବାସର। ଦୁଇ ଭାଇ ପାଠ ପଢ଼ାରେ ବିଭୋର ହୋଇଗଲେ। ରାତି ଅଧିକ ହୋଇଯାଇ ଥିବାରୁ ମା’ ଆସି ଖାଇବାକୁ ଡାକିଥିଲେ। ଖାଇଦେଇ ଶୀଘ୍ର ଶୋଇବାକୁ ଦୁଇ ଭାଇଙ୍କୁ କହିଥିଲେ ମା’।

ମା’ଙ୍କ କଥାରେ ଦୁଇ ଭାଇ ଉଦୟ ଓ କୃତିବାସ ଖାଇଦେଇ ଶୋଇ ପଡ଼ିଥିଲେ। ହେଲେ ଉଦୟ ଓ କୃତିବାସଙ୍କ ପାଇଁ ଏହି ରାତି ଯେ ଶେଷ ରାତି ହେବ କାହାକୁ ଜଣାଥିଲା?

ଗୁରୁବାର ରାତିରେ ଘରେ ସମସ୍ତେ ଶୋଇଥିବା ବେଳେ ହଠାତ ଚିତ୍କାର କରିଥିଲେ ସାନ ପୁଅ କୃତିବାସ। ବାପା ବାପା କହି ପାଟି କରିଥିଲେ। କ’ଣ ଗୋଟେ କାମୁଡ଼ି ଦେଲା କହି ଚିଲ୍ଲେଇଥିଲେ। ପୁଅର ଚିତ୍କାର ଶୁଣି ବାପା ପ୍ରଭାକର ସାହୁଙ୍କର ନିଦ ଭାଙ୍ଗିଗଲା। ପୁଅଙ୍କ ଶୋଇବା ଘରକୁ ଦୌଡ଼ିଗଲେ ପ୍ରଭାକର। ସାନପୁଅ ବିଛଣାରେ ବସି ଚିତ୍କାର କରୁଥିବା ବେଳେ ବଡପୁଅ ଉଦୟ ହାତକୁ ଏକ ବିଷଧର ସାପ କାମୁଡ଼ି ଧରିଥିବା ଦେଖିଥିଲେ। ପ୍ରଭାକର ଆଉ କିଛି ବିଚାର ନକରି ସାପର ଲାଞ୍ଜକୁ ଭିଡ଼ିଆଣି ଫୋପାଡ଼ି ଦେଇଥିଲେ। ସେତେବେଳକୁ ସାପ ଦଂଶନରେ ଦୁଇ ପୁଅ ଛଟପଟ ହେଉଥିଲେ।

ଦୁଇ ପୁଅଙ୍କ ଆଖିରେ ଲୁହ ଦେଖି ମା’ ରେବତୀ କୋହ ସମ୍ବରଣ କରିପାରିଲେନି। କାନ୍ଦି କାନ୍ଦି ପଡ଼ିଶା ଲୋକଙ୍କୁ ଡାକିଲେ। ପଡ଼ୋଶୀଙ୍କ ସହାୟତାରେ ଦୁଇ ପୁଅଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ। ଡାକ୍ତର ବୈକୁଣ୍ଠ ନାଥ ପଣ୍ଡା ଦୁଇ ଶିଶୁଙ୍କ ଚିକିତ୍ସା କରିଥିଲେ। ହେଲେ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଆମ୍ବୁଲାନ୍ସରେ କଟକ ନେବା ବାଟରେ ଦୁଇ ଜଣଙ୍କ ଶରୀର ନିସ୍ତେଜ ହେବା ଅନୁଭବ କଲେ ବାପା ପ୍ରଭାକର। ଉଭୟଙ୍କୁ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତର ମୃତ ଘୋଷଣା କରିଥିଲେ।

ଡାକ୍ତଙ୍କ କହିବା ଅନୁଯାୟୀ ବିଷଧର ସାପ କାମୁଡ଼ିଲେ ବୟସ୍କଙ୍କ ଅପେକ୍ଷା ଶିଶୁମାନଙ୍କ ଦେହରେ ଅଧିକ ବେଗରେ ବିଷ କ୍ରିୟା କରିଥାଏ । ଏହି ଦୁଇ ଶିଶୁଙ୍କୁ ଯଦି ନିକଟସ୍ଥ ପଟ୍ଟାମୁଣ୍ଡାଇ ଡାକ୍ତରଖାନାରେ ତୁରନ୍ତ ଚିକିତ୍ସା କରାଯାଇ ପାରିଥାନ୍ତା ତାହାଲେ ଦୁଇ ଶିଶୁଙ୍କ ଜୀବନ ରକ୍ଷା ହୋଇପାରିଥାନ୍ତା। ସାପ କାମୁଡ଼ିବାର ପ୍ରାୟ ୩ ରୁ ୪ ଘଣ୍ଟା ପରେ ସେମାନଙ୍କୁ କେନ୍ଦ୍ରାପଡ଼ା ଡାକ୍ତରଖାନକୁ ଅଣାଯିବା ବେଳକୁ ବିଷ ସାରା ଶରୀରକୁ ଗ୍ରାସ କରି ସାରିଥିଲା।

ଦୁଇ ପୁଅଙ୍କ ମୃତ୍ୟୁ ଖବର ଶୁଣିବା ପରେ ଚେତାଶୂନ୍ୟ ହୋଇପଡ଼ିଥିଲେ ପ୍ରଭାକର ଓ  ପତ୍ନୀ ରେବତୀ। ଯେଉଁ କୋଳରେ କାଖେଇ କୋଳେଇ ବଡ କରୁଥିଲେ ଦୁଇ ପୁଅଙ୍କୁ ସେଇ ବାପା ମା’ଙ୍କ କୋଳରେ ଚାଲିଗଲା ଦୁଇ ଭାଇଙ୍କ ଜୀବନ।

ଭୂମିହୀନ ପ୍ରଭାକର ମୁଲ ମଜୁରି ଲାଗି ଦୁଇ ପୁଅଙ୍କୁ ପାଠ ପଢ଼ାଉଥିଲେ। ବଡ଼ପୁଅ ଉଦୟ ଅଷ୍ଟମ ଶ୍ରେଣୀରେ ପାଠ ପଢ଼ୁଥିବା ବେଳେ ସାନ ପୁଅ କୃତିବାସ ପାଠ ପଢୁଥିଲେ ୨ୟ ଶ୍ରେଣୀରେ। ଦୁଇ ପୁଅଙ୍କୁ ପାଠ ପଢ଼ାଇ ପ୍ରଭାକର ଯେଉଁ ସ୍ୱପ୍ନ ଦେଖିଥିଲେ ତାହା ଚୁର୍‌ମାର୍ ହୋଇଗଲା।

Comment