ଓଡ଼ିଶାଲାଇଭ୍ ବ୍ୟୁରୋ

ବୁଧବାର ପୂର୍ବାହ୍ନରେ ଦେଶର ୪୬ତମ ପ୍ରଧାନ ବିଚାରପତି ଭାବେ ଶପଥ ଗ୍ରହଣ କଲେ ଜଷ୍ଟିସ ରଞ୍ଜନ ଗୋଗୋଇ।
ବୁଧବାର ପୂର୍ବାହ୍ନରେ ସୁପ୍ରିମ୍କୋର୍ଟର ୪୬ତମ ପ୍ରଧାନ ବିଚାରପତି ଭାବେ ଜଷ୍ଟିସ ରଞ୍ଜନ ଗୋଗୋଇ ରାଷ୍ଟ୍ରପତି ଭବନର ଦରବାର ହଲରେ ଶପଥ ଗ୍ରହଣ କରିଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି।
ଜଷ୍ଟିସ୍ ଗୋଗୋଇ ୨୦୧୯ ନଭେମ୍ବର ଶେଷ ପର୍ଯ୍ୟନ୍ତ ଭାରତର ପ୍ରଧାନ ବିଚାରପତି ରୂପେ ଦାୟିତ୍ୱ ତୁଲାଇବେ।

ଭାରତର ପ୍ରଧାନ ବିଚାରପତି ହେବାରେ ଉତ୍ତରପୂର୍ବାଞ୍ଚଳରୁ ସେ ହେଉଛନ୍ତି ପ୍ରଥମ ବ୍ୟକ୍ତି। ଆଜିର ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ଗୃହମନ୍ତ୍ରୀ ରାଜନାଥ ସିଂହ, ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ, ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ, ଆଇନମନ୍ତ୍ରୀ ରବିଶଙ୍କର ପ୍ରସାଦ ପ୍ରମୁଖ ଉପସ୍ଥିତ ଥିଲେ।
ଶପଥ ଗ୍ରହଣ କରିବା ସାରିବାପରେ ଉତ୍ସବରେ ଉପସ୍ଥିତ ଥିବା ନିଜ ମାଆଙ୍କ ପାଦ ଛୁଇଁ ପ୍ରଣାମ କରି ଜଷ୍ଟିସ ଗୋଗୋଇ ତାଙ୍କ ଆସନରେ ବସିଥିଲେ।
ଗତ କିଛିଦିନ ହେଲା ଯେପରି ଭାବରେ ସୁପ୍ରିମକୋର୍ଟ ଅନେକ ଐତିହାସିକ ଓ ଗୁରୁତ୍ୱପୂର୍ଣ୍ଣ ରାୟ ଦେଉଛନ୍ତି, ସେଥିପାଇଁ ଏବେ ନୂତନ ଭାବରେ ଶପଥ ଗ୍ରହଣ କରିଥିବା ବିଚାରପତିଙ୍କ ଉପରେ ସମସ୍ତଙ୍କର ନଜର ରହିଛି।










