ଭାସ୍କର ପରିଛା

ଯେ କୌଣସି କବିତା ସଂକଳନର ନାମକରଣରୁ ହିଁ ବେଶ୍ ଜାଣିହେବ କବିତାର ଅନ୍ତଃସ୍ୱର, କବି ଜଣକ କିଏ ଓ କ’ଣ ସେ କହିବାକୁ ଚାହାଁନ୍ତି। ଅଜେୟ ରାଉତଙ୍କ ଏହି କବିତା ସଂକଳନର ନାମକରଣ ନିଶ୍ଚିତ ଭାବେ ଚମତ୍କାର। ଜଣେ ଧୂଳିମାଟି ମଣିଷର ହୃଦୟ ଭିତରୁ ବାହାରି ଆସିଥିବା କବିତା ବି ସେହିମାନଙ୍କ ପାଇଁ ହିଁ ଲେଖା ହୋଇଥିବ ଏହା କହିବାର ଆବଶ୍ୟକତା ନାହିଁ।

ଓଡ଼ିଆ ସାହିତ୍ୟରେ ବାମପନ୍ଥୀ/ସମାଜବାଦୀ ବିଚାରଧାରା ସମ୍ବଳିତ କବିତାର ପହଞ୍ଚ ଏତେ ସମୃଦ୍ଧ ନୁହେଁ ଯଦିଓ ଗୋଟିଏ ସମୟରେ ଏହି ରାଜନୀତିକ ଆଦର୍ଶବାଦକୁ ନେଇ ଢେର ସାହିତ୍ୟ ଲେଖା ହେଉଥିଲା। ସମୟ ବଦଳିବା ସହିତ ଜୀବନର ସଂଜ୍ଞା ହିଁ ଯେତେବେଳେ ବଦଳିଯାଏ ସୃଜନ ବି ସେହି ପରିବର୍ତ୍ତନର ଶିକାର ହେବାକୁ ବାଧ୍ୟ। ଉଦାରୀକରଣ ଓ ଗ୍ଲୋବାଲାଇଜେସନ ପରେ ସାଧାରଣ ଜୀବନଚର୍ଯ୍ୟାର ଯେଉଁଭଳି ଦ୍ରୁତ ରୂପାନ୍ତରଣ ହୋଇଚାଲିଛି ସେଥିରେ ନିଚ୍ଛକ ବାମପନ୍ଥୀ ଚିନ୍ତାଧାରା ପ୍ରସୂତ କବିତାର ଉଦ୍‌ଗୀରଣ ବୋଧହୁଏ ଆଉ ହେଉନାହିଁ। ଯେଉଁମାନେ ଏ ଧରଣର କବିତା ଲେଖୁଥିଲେ ସେମାନେ ହୁଏତ ଚୁପ୍ ହୋଇଯାଇଛନ୍ତି ଅଥବା ନିଜ ରାସ୍ତା ବଦଳାଇଛନ୍ତି।

ଦରିଦ୍ର, ନିଷ୍ପେସିତ, ଅସହାୟ, ଖଟିଖିଆ ଓ ଶ୍ରମିକଙ୍କ ମୁକ୍ତିକାମୀ ହେବା ଭିତରେ ସେମାନଙ୍କ ପାଇଁ କବିତା ରଚନା କରିବା ଏକ ଆୟାସସାଧ୍ୟ କାର୍ଯ୍ୟ ନିଶ୍ଚିତରେ। ଚାଷୀ, ମୂଲିଆ ଓ ଶ୍ରମିକଙ୍କ ସହ ଏକାକାର ହୋଇ ଚାଲିବା ଓ କଲମ ଧରିବା ଖୁବ୍ କମ ଲୋକଙ୍କ ପାଖରେ ସମ୍ଭବ ହୋଇଛି। ଅଜେୟ ରାଉତ ସେମାନଙ୍କ ମଧ୍ୟରୁ ଜଣେ। ସାହିତ୍ୟିକ ଚେତନା ଓ ସ୍ଫୁରଣର ବନ୍ୟା ଆପଣା ଛାଏଁ ଆସେ ତାକୁ ଅଟକାଇବା ସମ୍ଭବ ନୁହେଁ। ଅଜେୟ ରାଉତଙ୍କ କ୍ଷେତ୍ରରେ ତାହା ହିଁ ହୋଇଛି। ବାମପନ୍ଥୀ ଆଦର୍ଶକୁ ଅନୁସରଣ କରି ଆସିବା ଭିତରେ ସେ ଯେତେବେଳେ ଯେଉଁ କବିତା ଲେଖିଛନ୍ତି ସେଗୁଡ଼ିକ ଜୀବନବାଦୀ ହେବାକୁ ବାଧ୍ୟ। ଆଉ ସେହି ମାର୍ମିକ ପରିପ୍ରକାଶର ସଂକଳନ ଏହି ଗ୍ରନ୍ଥ। ସମଗ୍ର ଜୀବନର କାବ୍ୟିକ ଅଭିବ୍ୟକ୍ତି ଆଲୋଚ୍ୟ ସଂଗ୍ରହ।୧୯୫୬ରୁ ୨୦୧୭ – ଷାଠିଏ ବର୍ଷରୁ ଅଧିକ ସମୟ ଧରି ସେ ଯେତେ କବିତା ଲେଖିଛନ୍ତି ସେ ସବୁ ସ୍ଥାନ ପାଇଛି ଏହି ସଂକଳନରେ।

ପାଖାପାଖି ୧୮୦ଟି କବିତା ଏହି ସଂଗ୍ରହରେ ସ୍ଥାନ ପାଇଛନ୍ତି। ସମୟ କ୍ରମ ଅନୁସାରେ ଆଦ୍ୟାଶା, ମଧ୍ୟାନ୍ତର ଓ ଅପରାହ୍ଣ ଏହିଭଳି ତିନୋଟି ବିଭାଗରେ କବିତାଗୁଡ଼ିକର ଶ୍ରେଣୀ ବିଭାଗ କରାଯାଇଛି। ପଟ୍ଟାମୁଣ୍ଡାଇ ଏମଏନ ହାଇସ୍କୁଲରେ ନବମ ଶ୍ରେଣୀ ପଢ଼ିବା ବେଳେ(୧୯୫୭) ଅଜେୟ ରାଉତ ପ୍ରଥମ କବିତାଟି ଲେଖିଥିଲେ। ଏଥିରୁ ଅନୁମାନ କରି ହେବ ତାଙ୍କ ଚେତନା ଓ ଜୀବନ ସ୍ପନ୍ଦନ କେଉଁ ଆଡକୁ ଯିବାକୁ ଚାହୁଁଥିଲା। ସେହି ଆଦ୍ୟ ସ୍ୱରଟି କିଛି ଏହିଭଳି ଥିଲା: ‘ତମେ ସବୁ ଯିଏ ଲୁଟେରାଗଣ ଗରିବଙ୍କୁ ଲୁଟ କରି/ଗଢ଼ିଅଛ ତୁମର ସୁରମ୍ୟ ଅଟ୍ଟାଳିକା ଏବଂ ସ୍ୱପ୍ନର ମହଲ/ତୁମକୁ ଏ ଚୂଡ଼ଶନ୍ତ ନୋଟିସ୍ /ହୁଅ ସାବଧାନ/ଫେରାଇଦିଅ ସେମାନଙ୍କ ଝାଳବୁହା ଧନ ନଚେତ ଭୟଙ୍କର ହେବ ପରିଣାମ।’

ଅଜେୟ ରାଉତଙ୍କ ପ୍ରତି କବିତାର ଶୀର୍ଷକ ବି ମନ କିଣିବା ଭଳି। କିଛି ସେଥିରୁ: ଅଭିମନ୍ୟୁ ବଧର ଅଛିଣ୍ଡା ପ୍ରଶ୍ନ, କାଳିମାଟି ହସ୍ପିଟାଲ ବେଡ଼ରୁ, ବରଷା ଆଗମେ, କୂଳବଧୁ, ମୁଁ ନିର୍ବାକ ତୁମେ ନିସ୍ପନ୍ଦ, ଇନ୍ଦିରା, ପାରାଦୀପ, ମଧୁଶଯ୍ୟା, ଜାନକୀ, କମ୍ରେଡ଼, ପ୍ରବଂଚିତ ଜନତାର ପ୍ରତିନିଧି, ପାର୍ବଣ ସକାଳେ, ଚତୁର୍ଥ ସାଧାରଣ ନିର୍ବାଚନ, ଚାର୍ବାକ, ଲେନିନ, ଚନ୍ଦ୍ରପୃଷ୍ଠରେ ନିଲ ଆର୍ମଷ୍ଟ୍ରଙ୍ଗ, ଜାଗରେ ଜାଗ ,ହୋ ଚି ମିନ, ଜରୁରୀ ପରିସ୍ଥିତି, କୋଣାର୍କ, କୁମୁଦିନୀର ବିଳାପ, ସେଦିନ ଚିକାଗୋର ଆକାଶେ, ମାର୍କସବାଦ, ଜନତାର ହେବ ଜୟଗାନ, ରାମ ବନାମ ବାବର, ଅବଳା ନୁହେଁ ଦୁର୍ବଳା, ହିଗସ ବୋଷନ୍ କଣିକା, ଅକୁପାଏ ୱାଲ ଷ୍ଟ୍ରୀଟ, ନିର୍ଭୟା, ରୋବଟ, ଦଶହରା ଦେବୀ ପୂଜା, ଅକ୍ଟୋବର ବିପ୍ଳବର ଶତବାର୍ଷିକୀ ଓ ମୁଁ କିଏ ଆଦି।

କବିତା ସଙ୍କଳନଟିର ଅନ୍ୟ ଏକ ବିଶେଷତ୍ୱ ହେଉଛି ପ୍ରତିଟି କବିତା ସମ୍ପର୍କରେ କବି ଦେଇଥିବା ପାଦଟୀକା। କେଉଁ କବିତା କେଉଁଠି ଓ କେତେବେଳେ ଲେଖାଯାଇଥିଲା ଏବଂ ପୃଷ୍ଠଭୂମିଟି କ’ଣ ଏହି ଟିକିନିଖି ବିବରଣୀରୁ କବିତାର ମାର୍ମିକ ଆବେଦନ କେବଳ ବୁଝିହେବ ତାହା ନୁହେଁ ପାଠକକୁ ଘଟଣା ଓ ଚରିତ୍ରଗୁଡ଼ିକୁ ମନେପକାଇବାରେ ମଧ୍ୟ ସହାୟକ ହେବ।

ଅଜେୟ ରାଉତଙ୍କ କବିତାଗୁଡ଼ିକ ତୀକ୍ଷ୍ଣ କେବଳ ନୁହେଁ ଏହାର ଆପ୍ରୋଚ ମଧ୍ୟ ନିରାଡ଼ମ୍ବର। ଶବ୍ଦ ସଂଯୋଜନାରେ ଆଦୌ କ୍ଳିଷ୍ଟତା ନାହିଁ କି ଗୌରଚନ୍ଦ୍ରିକା ନାହିଁ। ଯାହା କହିବ ତ ସିଧା କହିବ ଭଳି କବିତା। ଉଦାହରଣ ସ୍ୱରୂପ: ‘ଦି ଗ୍ରାଣ୍ଡ ଡିଜାଇନ’ କବିତାକୁ ନିଅନ୍ତୁ: ‘ବିଶ୍ୱବିଖ୍ୟାତ ପଦାର୍ଥ ବିଜ୍ଞାନୀ ଷ୍ଟିଫେନ୍ ହକିଂ ପ୍ରମାଣ କରି ଦେଖାଇଛନ୍ତି/ବିଶ୍ୱ ଗଠନରେ କାମ କରିଛି, ଆଜିବି କାମ କରୁଛି କେବଳ ନେଚୁରାଲ ଲ’/ତେଣୁ କହିଲେ ଦୃଢ଼ ସ୍ୱରେ ଏଠି ନାହିଁ ସ୍ଥାନ କୌଣସି ‘ଗଡ଼’ର।’

କିମ୍ବା ୧୯୬୪ ଫେବୃଆରୀ ୧୬ ତାରିଖରେ ପାରାଦୀପ ରାସ୍ତାରେ ସରସ୍ୱତୀ ପୂଜା ପାଇଁ ନୈବେଦ୍ୟ ନେଇ ଯାଉଥିବା ବେଳେ ଟ୍ରକ ମାଡ଼ିଯାଇ ଯେଉଁ ବାଳକଟିର ମୃତ୍ୟୁ ଘଟିଲା ତାହାରି ଉଦ୍ଦେଶ୍ୟରେ ଲିଖିତ କବିତା ‘ପାରାଦୀପ’: ‘ପଥଚାରୀ, ଦୂର ହୋ ଯାଅ ଦୂର ହୋ ଯାଅ ପଥଚାରୀ/ ଏ ଯେ ଅଲଂଘ୍ୟ ନିର୍ଦ୍ଦେଶ/ଚାଲୁଅଛି ପାରାଦୀପ ଲାଇନରେ ହେଭି ଡିଜେଲ ଟ୍ରକ, ପଚାଶ ମାଇଲ ସ୍ପିଡରେ ପୁଣି ପଞ୍ଜାବୀ ଡ୍ରାଇଭର/କିଏ ସେ ଗୋଟାଏ ଚପଳମତି ବାଳକ /ଆସ୍ପର୍ଦ୍ଧା ତାର ସୀମାତୀତ/ହାତେ ଧରି ପୂଜା ଡାଲା ଚାଲୁଅଛି ରାଜପଥ ପରେ ??/ଆହା! ଅର୍ଦ୍ଧସ୍ଫୁରିତ ସେ ଆର୍ତ୍ତଚିତ୍କାର ନିମିଷକେ ଚାପି ହେଇଗଲା ଯନ୍ତ୍ର ମାନବର ପାଦ ତଳେ, ଉଡ଼ିଗଲା ପ୍ରାଣବାୟୁ।'(ଏହି କବିତାଟି ସେ ଲେଖିଥିଲେ ଭଦ୍ରକ କଲେଜ କନିକା ଛାତ୍ରାବାସରେ ରହୁଥିବା ବେଳେ)।

ପଚାଶ ଦଶକରେ ପଟ୍ଟାମୁଣ୍ଡାଇରେ ହାତରେ ଲେଖା ଯାଉଥିବା କବିତାଠାରୁ ବାବରୀ ମସଜିଦ ଭଙ୍ଗାର ପଚିଶ ବର୍ଷ ଅବସରରେ ମାଷ୍ଟର କ୍ୟାଣ୍ଟିନ୍ ଘରେ ଲେଖାହୋଇଥିବା ଫେସବୁକ କବିତା ପର୍ଯ୍ୟନ୍ତ ଅଜେୟ ରାଉତଙ୍କ କବିତା ଲେଖାରେ ବିରାମ ନାହିଁ। କବିତାଗୁଡ଼ିକର ଆତ୍ମା ଓ ଆଙ୍ଗିକତା ଉଲ୍ଲେଖନୀୟ। ଜଣେ ବାମପନ୍ଥୀ ଚିନ୍ତକ ହିସାବରେ ଏବଂ ପରିବର୍ତ୍ତନର ସପକ୍ଷବାଦୀ ଭାବରେ ଆଲୋଚ୍ୟ କବିତା ସଙ୍କଳନର କବିତାଗୁଡ଼ିକ ଚିନ୍ତା ଉଦ୍ରେକକାରୀ, ରୋଚକ, ମାନବଧର୍ମୀ ଓ ଚେତନାକୁ ଆନ୍ଦୋଳିତ କରିବା ଭଳି। ଜୀବନର ନିଚ୍ଛକ ଅନୁଭବରୁ ଯେଉଁସବୁ କବିତା ଲେଖା ହୁଏ ତାହାର ଆବେଦନ ସମ୍ପୂର୍ଣ୍ଣ ନିଆରା। ସଂକଳନରେ ସ୍ଥାନ ପାଇଥିବା କବିତାଗୁଡ଼ିକର ଆବେଦନ ଚମତ୍କାର। ପଢ଼ିଲା ବେଳେ ଲାଗିବ ଆପଣ ସେହି ସେହି ପର୍ଯ୍ୟାୟ ଦେଇ ଗତି କରିଛନ୍ତି। କବିତା ସଙ୍କଳନର ସାଜସଜ୍ଜା ଓ ପରିପାଟୀ ଖୁବ୍ ନିଖୁଣ ଓ ଆକର୍ଷକ।

ସମାଜବାଦୀ ପଥରେ ଯାତ୍ରା କରୁକରୁ ଅନ୍ତର ଭିତରୁ ଯେଉଁସବୁ କବିତା ଉତୁରି ଆସିଛି ସେହି କାବ୍ୟିକ ଅଭିବ୍ୟକ୍ତିର ପରିପ୍ରକାଶ ଏହି ସଂକଳନ। ଏଥିପାଇଁ ଅଧ୍ୟାପକ କୃଷ୍ଣ ଚରଣ ବେହେରା, ଅଧ୍ୟାପକ ବୈଷ୍ଣବ ଚରଣ ବଳ ଓ ବାଞ୍ଛାନିଧି ମହାନ୍ତି ପ୍ରମୁଖଙ୍କ ପ୍ରେରଣାକୁ ସ୍ୱୀକାର କରିବା ବେଳେ ଉପୋଦଘାତରେ ଅଜେୟ ରାଉତ ଲେଖିଛନ୍ତି : ଏହି କବିତାଗୁଡ଼ିକୁ କବିତା ଭଳି ନପଢ଼ି ମଣିଷ ଜୀବନର ଗାଥା ରୂପେ ପାଠ କରିବାକୁ ଅନୁରୋଧ।

ଅନ୍ତଃସ୍ଫୁରଣ/ଜଣେ ଧୂଳିମାଟି ମଣିଷର ଲେଖକ: ଅଜେୟ ରାଉତ ପ୍ରକାଶକ: ଅରୋଶ୍ରୀ ପବ୍ଲିକେସନ ଆଇଆରସି ଭିଲେଜ, ଭୁବନେଶ୍ୱର ମୂଲ୍ୟ : ୩୦୦ ଟଙ୍କା ୨୦୧୮

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ତଥା ଓଡ଼ିଶାଲାଇଭ୍‌ର ପରାମର୍ଶଦାତା ସମ୍ପାଦକ)

Comment