ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଓଡ଼ିଶାରେ ସାଇବର ଅପରାଧୀଙ୍କ ମୟାଜାଲ
  • ସାଇବର ଅପରାଧୀଙ୍କ ନୂଆ କୌଶଳ ‘ଫିସିଙ୍ଗ ଆଟାକ’
  • ଚତୁରତାର ସହ କମ୍ପ୍ୟୁଟରରୁ ଚୋରି ହେଉଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ
  • ଓଡ଼ିଶା ପୋଲିସ ପାଇଁ ବଡ଼ ଚାଲେଞ୍ଜ
  • ଟେର୍ ପାଉନି ପୋଲିସ

କଟକ: ଓଡ଼ିଶାରେ ଏବେ ସାଇବର ଅପରାଧୀଙ୍କ ଅପରାଧ କୌଶଳ ଜାଣିଲେ ଯେକେହି ଚକିତ ହେଇଯିବେ।  ‘ଫିସିଙ୍ଗ ଅଟାକ’ ମାଧ୍ୟମରେ କମ୍ପ୍ୟୁଟର କିମ୍ବା ମୋବାଇଲ ବ୍ୟବହାରକାରୀଙ୍କ ଅଜାଣତରେ ଅତି ଚତୁରତାର ସହିତ ଘଟୁଛି ଅପରାଧ। ତାଙ୍କର ୟୁଜରନେମ, ପାସୱାର୍ଡ, ଗୁରୁତ୍ୱପୂର୍ଣ୍ଣ ଏବଂ ବ୍ୟକ୍ତିଗତ ତଥ୍ୟ ପ୍ରତ୍ୟେକ ଦିନ ଚୋରି ହେଇଯାଉଛି। କିନ୍ତୁ ସାମାନ୍ୟତମ ସୁରାଗ ପାଇବା ମୁସ୍କିଲ ହେଉଛି।

ଏ ପ୍ରକାର ଅପରାଧ ଓଡ଼ିଶା ପୋଲିସ ପାଇଁ ବଡ଼ ଚାଲେଞ୍ଜ ସୃଷ୍ଟି କରିଛି। ୨୦୧୩ରୁ ୨୦୧୬ ମଧ୍ୟରେ ଓଡ଼ିଶାରେ ଯେତେ ସଂଖ୍ୟାରେ ସାଇବର ଅପରାଧ ଘଟିଛି, ଅଧାରୁ ଅଧିକ ଘଟଣାରେ ଅପରାଧିଙ୍କ ସମ୍ପର୍କରେ କୌଣସି ପ୍ରକାର ତଥ୍ୟ ମିଳିନଥିବା ସୂଚନା ମିଳିଛି।

ଫିସିଙ୍ଗ ଆଟାକ କ’ଣ?

ସାଇବର ଦୁନିଆରେ ଏବେ ‘ଫିସିଙ୍ଗ ଅଟାକ’ ଆତଙ୍କ। ବ୍ୟାଙ୍କ ଗ୍ରାହକଙ୍କ ଇ-ମେଲର ଇନବକ୍ସରେ ଆସୁଥିବା ବ୍ୟାଙ୍କର ନକଲି ଲିଙ୍କ ମାଧ୍ୟମରେ ହେଉଛି ଏ ପ୍ରକାର ଆଟାକ। ତାକୁ ହିଁ କୁହାଯାଏ ଫିସଙ୍ଗ ଆଟାକ। ଉକ୍ତ ନକଲି ଲିଙ୍କ ଖୋଲିଲେ ଅବିକଳ ଅସଲି ବ୍ୟାଙ୍କର ୱେବସାଇଟ ଭଳି ପେଜ୍ କମ୍ପ୍ୟୁଟର ସ୍କ୍ରିନରେ ଆସିଯାଏ। ବ୍ୟାଙ୍କ ଗ୍ରାହକ ଜଣକ ସେଥିରେ ନିଜର ଅନଲାଇନ ଵ୍ୟାଙ୍କିଂର ନାମ ଓ ପାସୱାଡ୍ ଦେଇ କୋଣସି ପ୍ରକାର ଟ୍ରାନଜାକସନ୍ କଲେ ସାଇବର ଅପରାଧୀ ଅତି ସହଜରେ ପାସୱାଡ୍ କପି କରି ନେଇଯାଏ। ପରେ ତାକୁ ନିଜେ ବ୍ୟବହାର କରି ଗ୍ରାହକଙ୍କ ବ୍ୟାଙ୍କ ଖାତାରୁ ସମସ୍ତ ଟଙ୍କା ଲୁଟି ନିଏ।

ମାରାତ୍ମକ ‘ଷ୍ଟେଗାନୋଗ୍ରାଫି’

ସେହିପରି ସାଇବର ଦୁନିଆରେ “ଷ୍ଟେଗାନୋଗ୍ରାଫି” ସବୁଠୁ ବଡ଼ ବିପଦ ଓ ମାରାତ୍ମକ। ସାଇବର ଅପରାଧିମାନେ ଆକର୍ଷଣୀୟ କିମ୍ବା ଉତ୍ତେଜିତ ଫଟୋ ଫାଇଲ(ଜେପିଇଜି ଏକ୍ସଟେନସନ)ରେ ଗୋପନୀୟ ଭାବେ ମାରାତ୍ମକ ପ୍ରୋଗ୍ରାମିଙ୍ଗ ଫାଇଲ(ଇଏକ୍ସି) ଆଟାଚ୍ କରିଥାନ୍ତି। ସେଗୁଡ଼ିକ ସୋସିଆଲ ମିଡିଆ ଓ ହ୍ଵାଟ୍ସଆପ ଜରିଆରେ ଭାଇରାଲ କରାଯାଏ। ଏହି ଫଟୋଗୁଡ଼ିକ ପ୍ରତି ଆକର୍ଷିତ ହେଇ କୌଣସି ବ୍ୟକ୍ତି ମୋବାଇଲ କିମ୍ବା କମ୍ପ୍ୟୁଟରରେ ଖୋଲିବା ମାତ୍ରକେ ଆପଣା ଛାଏଁ ପ୍ରୋଗ୍ରାମିଂ ଫାଇଲ କମ୍ପ୍ୟୁଟର ଫାଇଲରେ ଇନଷ୍ଟଲ୍ ହେଇଯାଏ।

ଯଦ୍ୱାରା ବ୍ୟବହାରକାରୀ ନିଜ କମ୍ପ୍ୟୁଟର କିମ୍ୱା ମୋବାଇଲରେ କୌଣସି କାର୍ଯ୍ୟ କଲେ ବି ସେସବୁର ସ୍କ୍ରିନ ସଟ୍ ସାଇବର ଅପରାଧୀଙ୍କ ନିକଟକୁ ଇନଷ୍ଟଲ ହେଇଥିବା ପ୍ରୋଗ୍ରାମିଂ ଫାଇଲ ଜରିଆରେ ଯାଇଥାଏ। ପାସୱାଡ୍ ସମେତ ଅନେକ ମୂଲ୍ୟବାନ ଓ ବ୍ୟକ୍ତିଗତ ତଥ୍ୟ ଅପରାଧୀ ଅତି ସହଜରେ ଏପରି ଢଙ୍ଗରେ ଚୋରି କରି ନେଇଥାଏ।

କି ବୋର୍ଡ ହ୍ୟାକିଂ

ଅନ୍ୟ ଏକ ଅପରାଧ କୌଶଳ ହେଲା ‘କି ବୋର୍ଡ ହ୍ୟାକିଂ’। ଏ ପ୍ରକାର କୌଶଳ ଦ୍ୱାରା କମ୍ପ୍ୟୁଟର ବ୍ୟବହାରକାରୀ ନିଜ ଘର କିମ୍ବା ଅଫିସ ‘କି ବୋର୍ଡ’ରେ ଯାହା କିଛି ବି ଲେଖୁଛନ୍ତି, ସେସବୁର ତଥ୍ୟ ସାଇବର ଅପରାଧୀଙ୍କ ନିକଟକୁ ଚାଲିଯାଏ। ତେଣୁ ଏସବୁ ପ୍ରତି ସାବଧାନ ରହିବା ପାଇଁ ସାଇବର ବିଶେଷଜ୍ଞମାନେ ପରାମର୍ଶ ଦିଅନ୍ତି।

ବିଶେଷଜ୍ଞମାନେ କୁହନ୍ତି, କମ୍ପ୍ୟୁଟର କିମ୍ବା ମୋବାଇଲରେ ଅନଲାଇନ ପେମେଣ୍ଟ ସମୟରେ ଉନ୍ନତମାନର ଆଣ୍ଟିଭାଇରସ୍ ଓ ଫାୟାରୱାଲ ଇନଷ୍ଟଲ୍ କରିବା ନିହାତି ଆବଶ୍ୟକ। କୌଣସି ଅଜଣା କିମ୍ବା ଅବାଞ୍ଛିତ ଆପ୍ଲିକେସନ ଡାଉନଲୋଡ ନକରିବା ଉଚିତ। ଅନଲାଇନରେ କୌଣସି ପ୍ରକାର ବ୍ୟାଙ୍କିଙ୍ଗ ଟ୍ରାନଜାକସନ ବେଳେ ବ୍ରାଉଜରରେ ଥିବା କୁକିଜ ଏବଂ ହିଷ୍ଟ୍ରି ଡିଲିଟ କରିବା ନିହାତି ଆବଶ୍ୟକ। ସୋସିଆଲ୍ ମିଡିଆରେ ଅଜଣା ଲିଙ୍କଠାରୁ ଯଥା ସମ୍ଭବ ଦୁରେଇ ରହିବାକୁ ବିଶେଷଜ୍ଞମାନେ ସତର୍କ କରିଛନ୍ତି।

ବଢ଼ୁଛି ସାଇବର କ୍ରାଇମ

ଓଡିଶା ପୋଲିସ ବିଭାଗର ତଥ୍ୟ କହୁଛି, ରାଜ୍ୟରେ ୨୦୧୩ ବର୍ଷରେ ମୋଟ ୧୦୪ ସାଇବର ଅପରାଧ ସଂକ୍ରାନ୍ତ ମାମଲା ରୁଜୁ ହୋଇଛି। ଏଥିରେ ପୋଲିସ ୬୨ ଜଣଙ୍କୁ ଗିରଫ କରିଛି। ସେହିପରି ୨୦୧୪ରେ ୧୨୪ଟି ମାମଲା ରୁଜୁ ହେଉଥିବା ବେଳେ ୧୭ଜଣ ଅଭିଯୁକ୍ତଙ୍କୁ ଗିରଫ କରଯାଇଛି।

୨୦୧୫ରେ ୩୮୬ଟି ମାମଲା ରୁଜୁ ହୋଉଛି। ଏହି ବର୍ଷ ୧୧୦ ଜଣଙ୍କୁ ଗିରଫ କରାଯାଇଛି। ୨୦୧୬ରେ ୩୧୭ଟି ମାମଲା ରୁଜୁ କରଯାଇଛି। ପୋଲିସ ଘଟଣାର ତଦନ୍ତ କରି ମୋଟ ୧୫୦ ଜଣଙ୍କୁ ଗିରଫ କରିଛି। ଗତ ଚାରି ବର୍ଷର ସାଇବର ଅପରାଧ ରେକର୍ଡ ଯଦି ଅନୁଶୀଳନ କରାଯାଏ, ତେବେ ବାର୍ଷିକ ରୁଜୁ ହେଉଥିବା ମୋଟ ମାମଲାରେ ଅଧାରୁ କମ ଘଟଣାରେ ପୋଲିସ ସାଇବର ଅପରାଧୀଙ୍କୁ ଧରିବାରେ ସକ୍ଷମ ହୋଇପାରୁଛି।

ଓଡ଼ିଶା ପୋଲିସ ସାଇବର ଅପରାଧୀଙ୍କୁ ଆକଟ କରିବାର ବିଗତ ଚାରି ବର୍ଷ ଭିତରେ ସକ୍ଷମ ହୋଇପାରି ନାହିଁ। ଗ୍ରାହକ କିମ୍ବା କମ୍ପ୍ୟୁଟର ବ୍ୟବହାରକାରୀ ସତର୍କ ନରହିଲେ ଅପରାଧ କୌଣସି ମୁହୂର୍ତ୍ତରେ ବି ଘଟିପାରେ।

Comment