ଓଡ଼ିଶାଲାଇଭ୍‌ ବ୍ୟୁରୋ

ଶ୍ରୀମନ୍ଦିର ଫଟୋ ସୋସିଆଲ ମିଡିଆରେ ଭାଇରାଲ କରି ନିଲମ୍ବିତ ହୋଇଛନ୍ତି ସମୁଦ୍ର କୂଳ ଥାନା ସବ୍‌ଇନ୍ସିପେକ୍ଟର।

ପୁରୀ ଶ୍ରୀମନ୍ଦିରରେ ପ୍ରବେଶ କରିବା ପାଇଁ ସରକାର କେତେ କ’ଣ କଟକଣା କରିଛନ୍ତି। ସିଂହଦ୍ୱାରରେ ପୋଲିସ ମୁତୟନ କରି ଜଣ ଜଣ କରି ଭକ୍ତଙ୍କୁ ଯାଞ୍ଚ କରି ଶ୍ରୀମନ୍ଦିର ଭିତରକୁ ଛଡ଼ା ଯାଉଛି। ହେଲେ ଆଜି ଏହି ନିୟମ ଭାଙ୍ଗିଛନ୍ତି ଜଣେ ପୋଲିସ ବାବୁ। ମହାଳୟା ଉପଲକ୍ଷେ ପିଣ୍ଡଦାନ କରି ଏହି ପୋଲିସ ଅଧିକାରୀ ଜଣକ ଶ୍ରୀମନ୍ଦିର ଭିତର ଫଟୋ ସୋସିଆଲ ମିଡିଆରେ ଭାଇରାଲ କରିଛନ୍ତି।

ଏହି ପୋଲିସ ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି। ହେଲେ ବାଇଶି ପାହାଚକୁ ସେ କେମିତି ମୋବାଇଲ ଫୋନ ନେଲେ ତାହା ଚର୍ଚ୍ଚାର ବିଷୟ ପାଲଟିଛି।

ବାଇଶି ପାହାଚରେ ବସି ଶ୍ରୀମନ୍ଦିର ଫଟୋ ଭାଇରାଲ କରିଥିବା ପୋଲିସ ଅଧିକାରୀ ଜଣକ ହେଉଛନ୍ତି ଦିଲ୍ଲୀପ ପଣ୍ଡା। ସେ ପୁରୀ ସମୁଦ୍ର କୂଳ ଥାନାର ସବ୍‌ଇନ୍ସିପେକ୍ଟର। ପିତୃପୁରୁଷଙ୍କୁ ପିଣ୍ଡଦାନ କରିବା ପାଇଁ ଦିଲ୍ଲୀପ ଆଜି ଶ୍ରୀମନ୍ଦିର ବାଇଶି ପାହାଚକୁ ଆସିଥିଲେ। ପିଣ୍ଡଦାନ କରି ସାରିବା ପରେ ବାଇଶି ପାହାଚରେ ବସି ଫଟୋ ଉଠାଇଥିଲେ। ଏହି ଫଟୋକୁ ସେ ନିଜ ଫେସବୁକ୍‌ ଆକାଉଣ୍ଟରେ ପୋଷ୍ଟ କରିଥିଲେ।

ଏହି ଖବର ପ୍ରଚାର ହେବା ପରେ ଦିଲ୍ଲୀପ ସୋସିଆଲ ମିଡିଆରୁ ସବୁ ଫଟୋ ଡିଲିଟ କରିଦେଇଛନ୍ତି।

ଶ୍ରୀମନ୍ଦିର ଭିତରେ କଡ଼ା କଟକଣା ଥିବା ସତ୍ତ୍ୱେ ପୋଲିସ ଅଧିକାରୀ କେମିତି ଫଟୋ ଉଠାଇଲେ ଏବଂ ଏଥିପାଇଁ କିଏ ଅନୁମତି ଦେଲା ତାକୁ ନେଇ ଚାଲିଛି ଖୋଳତାଡ଼।

“ଘଟଣାର ତଦନ୍ତ ଚାଲିଛି। ସେ କେଉଁ ପରିସ୍ଥିତିରେ ବାଇଶି ପାହାଚରେ ଫଟୋ ଉଠାଇଲେ ଏବଂ ଏଥିପାଇଁ କିଏ ଦାୟୀ ସେନେଇ ଖୋଳତାଡ଼ ଚାଲିଛି। ତାଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି”, କହିଛନ୍ତି କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶି।

ଗତ ଜୁନ୍ ମାସରେ ପୁରୀ ଶ୍ରୀମନ୍ଦିରର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହାକୁ ନେଇ ଖୋଳତାଡ଼ କରିଥିଲା ପୋଲିସ। ଶ୍ରୀମନ୍ଦିର ଫଟୋ ବାରମ୍ବାର ଭାଇରାଲ ହେଉଥିବାରୁ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Comment