ଓଡ଼ିଶାଲାଇଭ୍‌ ବ୍ୟୁରୋ

ତିତ୍‌ଲି କ୍ଷୟକ୍ଷତି ଆକଳନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩ ଜଣିଆ ମନ୍ତ୍ରୀ ସ୍ତରୀୟ କମିଟି ଗଠନ କରିଛନ୍ତି। ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି, ଜଳସମ୍ପଦ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଏବଂ ଶକ୍ତି ମନ୍ତ୍ରୀ ସୁଶାନ୍ତ ସିଂଙ୍କୁ ନେଇ କମିଟି ଗଠନ କରାଯାଇଛି।

ଏହି ଟିମ୍ ପ୍ରଭାବିତ ଅଞ୍ଚଳ ଗଞ୍ଜାମ, ଗଜପତି ଓ ରାୟଗଡ଼ା ଜିଲ୍ଲା ଗସ୍ତ କରି କ୍ଷୟକ୍ଷତି ଆକଳନ କରିବେ। ରିଲିଫ ଏବଂ ପୁନରୁଦ୍ଧାର କାମ ତଦାରଖ କରିବେ ଏହି କମିଟି।

କନ୍ଧମାଳ ଜିଲ୍ଲାରେ ରିଲିଫ ବଣ୍ଟନ ତଦାରଖ କରିବା ପାଇଁ ମନ୍ତ୍ରୀ ଶଶୀଭୂଷଣ ବେହେରା ଏବଂ ରମେଶ ଚନ୍ଦ୍ର ମାଝିଙ୍କୁ ଦାୟିତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

ଏହାସହ ସରକାରୀ କର୍ମଚାରୀଙ୍କ ପୂଜା ଛୁଟି ମଧ୍ୟ ବାତିଲ କରିଛନ୍ତି ସରକାର। ସଚିବାଳୟ କର୍ମଚାରୀ, ବିଭାଗୀୟ ମୁଖ୍ୟ, କେନ୍ଦ୍ରାଞ୍ଚଳ ଏବଂ ଦକ୍ଷିଣାଞ୍ଚଳ ଜିଲ୍ଲାର ଜିଲ୍ଲାପାଳମାନଙ୍କର ଛୁଟି ବାତିଲ କରାଯାଇଛି।

୭ ଦିନ ଯାଏଁ ବନ୍ୟା ପ୍ରଭାବିତ ଅଞ୍ଚଳର ଲୋକଙ୍କୁ ରନ୍ଧା ଗାଦ୍ୟା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଆଜି ବନ୍ୟା ପରିସ୍ଥିତିର ସମୀକ୍ଷା କରିଛନ୍ତି। ଗଞ୍ଜାମ, ଗଜପତି, ରାୟଗଡ଼ା ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିଥିଲେ।

ବନ୍ୟା ପ୍ରଭାବିତ ଅଞ୍ଚଳରେ ଲୋକଙ୍କୁ ଆବଶ୍ୟକୀୟ ସୁବିଧା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ କ୍ଷୟକ୍ଷତି ରିପୋର୍ଟ ୭ ଦିନ ଭିତରେ ଦେବାକୁ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳମାନଙ୍କୁ କହିଛନ୍ତି।

Comment