କପିଳାସ ଭୂୟାଁ
ଗତ ଅକ୍ଟୋବର ୫ ତାରିଖରେ ମୋତେ ରମ୍ଭା ସ୍ଥିତ ପାନ୍ଥ ନିବାସରେ ଗୋଟିଏ ରାତି ରହିବାକୁ ପଡିଥିଲା। ସଂଯୋଗ ବଶତଃ ସେହି ଦିନ ହିଁ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ଏବଂ ଫେଡେରସନ ଅଫ ଇଣ୍ଡିଆନ ଚାମ୍ବର୍ସ ଅଫ କମର୍ସ ଏଣ୍ଡ ଇଣ୍ଡଷ୍ଟ୍ରି (ଫିକି) ପକ୍ଷରୁ ରାଜଧାନୀ ଭୁବନେଶ୍ଵର ଠାରେ ତିନି ଦିନିଆ ଓଡ଼ିଶା ଟ୍ରାଭେଲ ବଜାର ମହା ସମାରୋହରେ ଆରମ୍ଭ ହୋଇଥିଲା।
ମୁଖ୍ୟମନ୍ତ୍ରୀ ଏହି ଆୟୋଜନର ଉଦଘାଟନ କରିଥିଲା ବେଳେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ତଥା ପର୍ଯ୍ୟଟନ ସଚିବ ଓ ନିର୍ଦ୍ଦେଶକଙ୍କ ସମେତ ସ୍ଥାନୀୟ ହୋଟେଲ ବ୍ୟବସାୟୀ ଓ ଟୁର ଅପରେଟରମାନେ ସେଠାରେ ଉପସ୍ଥିତ ଥିଲେ। ଏହି ଟ୍ରାଭେଲ ବଜାରରେ ବିଶ୍ଵର ୨୩ଟି ଦେଶରୁ ୬୦ ଜଣ ବିଦେଶୀ ଓ ଦେଶ ମଧ୍ୟରୁ ୨୦ ଜଣ ଦେଶୀୟ ଟୁର ଅପରେଟର ଯୋଗ ଦେଇଥିଲେ। ଉଦ୍ଦେଶ୍ୟ ହେଲା କି ଯେ ଓଡ଼ିଶାରେ ପର୍ଯ୍ୟଟନ ବିକାଶକୁ କିପରି ବହୁଗୁଣ ବୃଦ୍ଧି କରାଯାଇ ପାରିବ।
ଟ୍ରାଭେଲ ବଜାର ଅବସରରେ ଯାହା ଜଣା ପଡିଲା ସେହି ଅନୁଯାୟୀ ଓଡ଼ିଶାରେ ପର୍ଯ୍ୟଟନର ବହୁବିଧ ବିକାଶ ହୋଇଛି। ଏହା ଆଉ କେବଳ ପାରମ୍ପରିକ ବା ଧାର୍ମିକ ପର୍ଯ୍ୟଟନରେ ସୀମିତ ହୋଇ ରହି ନାହିଁ। ବରଂ ପରିବେଶ ପର୍ଯ୍ୟଟନ, ଜଙ୍ଗଲ ପର୍ଯ୍ୟଟନ, ଜଳ ପର୍ଯ୍ୟଟନ, ବୁଦ୍ଧିଷ୍ଟ ପର୍ଯ୍ୟଟନ ପରି ବିବିଧ ପର୍ଯ୍ୟଟନ ଦ୍ଵାରା ଓଡିଶା ଆଜି ସମୃଦ୍ଧ।
ଏବେ ତ ଖେଳ ପର୍ଯ୍ୟଟନ ଏକ ଅନନ୍ୟ ଆକର୍ଷଣରେ ପରିଣତ ହେବାକୁ ଯାଉଛି।
ତେବେ ଏହିସବୁ ପର୍ଯ୍ୟଟନ ସମ୍ଭାର ପ୍ରତି ବିଶ୍ଵ ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରିବା ଅତି ଜରୁରୀ। ସେ ଦିଗରେ ସଫଳତା ହାସଲ କରିବା ପାଇଁ ଟ୍ରାଭେଲ ବଜାର ଭଳି ଆୟୋଜନ ଯଥେଷ୍ଟ ଗୁରୁତ୍ଵ ବହନ କରେ। କିନ୍ତୁ ପ୍ରଶ୍ନ ହେଉଛି ଯେ ପର୍ଯ୍ୟଟକମାନେ ଓଡ଼ିଶା ବୁଲିବାକୁ ଆସିଲେ ସେମାନଙ୍କର ଆରାମଦାୟକ ରହଣି ପାଇଁ ଆମର ଯଥେଷ୍ଟ ଭିତ୍ତିଭୂମି ରହିଛି କି?
ଭିତ୍ତିଭୂମି କହିଲେ ଯଥେଷ୍ଟ ସଂଖ୍ୟାରେ ଆରାମ ଦାୟକ ହୋଟେଲ ହେଉଛି ସର୍ବ ପ୍ରଥମ ଆବଶ୍ୟକତା। ତାହା ଓଡ଼ିଶାରେ ଅଛି କି?
ଟିକିଏ ଗଭୀର ଭାବେ ଦେଖିଲେ ଆମେ ଜାଣି ପାରିବା ଯେ ଆରାମଦାୟକ ହୋଟେଲ କହିଲେ ଏଭଳି ପ୍ରାୟ ସମସ୍ତ ହୋଟେଲ ଭୁବନେଶ୍ଵର ଓ ପୁରୀଠାରେ ହିଁ ରହିଛି। କେତୋଟି ହାତ ଗଣତି ହୋଟେଲ ଗୋପାଳପୁରଠାରେ ଅଛି। ଏବେ ଅବଶ୍ୟ ଚିଲିକା ନିକଟରେ କିଛି ହୋଟେଲ ତିଆରି ହୋଇଛି। କଟକରେ ତିଆରି ହୋଇଥିବା ହୋଟେଲଗୁଡ଼ିକ ଉପରେ ଯଥେଷ୍ଟ ଭରସା କରାଯାଇ ପାରିବ ନାହିଁ।
ଭିତ୍ତିଭୂମି ଦୃଷ୍ଟିରୁ ଦେଖିଲେ ଆଶ୍ଵାସନାର କଥା ହେଉଛି ଯେ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ପକ୍ଷରୁ ଓଡ଼ିଶାର ବଛା ବଛା ୨୦ଟି ପର୍ଯ୍ୟଟନ ସ୍ଥଳୀରେ ପାନ୍ଥ ନିବାସ ରହିଛି। ଏତେ ସଂଖ୍ୟକ ରହଣି ସ୍ଥଳ, ତାହା ପୁଣି ବଛା ବଛା ପର୍ଯ୍ୟଟନ ସ୍ଥଳ ନିକଟରେ ରହିବା ନିଶ୍ଚୟ ଗୁରୁତ୍ଵପୂର୍ଣ୍ଣ। କୌଣସି ଘରୋଇ କମ୍ପାନି ଏହାର ସମକକ୍ଷ ନୁହନ୍ତି।
ରାଜ୍ୟରେ ପର୍ଯ୍ୟଟନର ବିକାଶ ପାଇଁ ୧୯୭୯ ମସିହାରେ ବିଭିନ୍ନ ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକମାନଙ୍କ ଆରାମଦାୟକ ରହଣି ପାଇଁ ପାନ୍ଥ ନିବାସଗୁଡ଼ିକର ପରିକଳ୍ପନା କରା ଯାଇଥିଲା। ସେ ମଧ୍ୟରୁ ଚିଲିକା ହ୍ରଦକୁ ଉପଭୋଗ କରିବା ପାଇଁ ଯେଉଁ ଦୁଇଟି ପାନ୍ଥ ନିବାସ ତିଆରି ହୋଇଥିଲା ସେଥିରୁ ରମ୍ଭା ସ୍ଥିତ ପାନ୍ଥ ନିବାସ ଅନ୍ୟତମ। ସାମଗ୍ରିକ ଦୃଷ୍ଟିରୁ ବିଚାର କଲେ ଅନ୍ୟ କୌଣସି ମାଲିକାନାରେ ଏତେ ସଂଖ୍ୟାରେ ହୋଟେଲ ନାହିଁ। ତେଣୁ ରାଜ୍ୟରେ ଯଦି ପର୍ଯ୍ୟଟନର ବିକାଶ ପାଇଁ ସମୁଚିତ ପଦକ୍ଷେପ ନିଆଯାଏ, ତେବେ ପାନ୍ଥ ନିବାସଗୁଡ଼ିକ ବିନା ତାହା ସମ୍ଭବ ନୁହେଁ।
କିନ୍ତୁ ଏହି ସବୁ ପାନ୍ଥ ନିବାସଗୁଡ଼ିକ କେଉଁ ଅବସ୍ଥାରେ ଅଛି? ମୋଟାମୋଟି ଭାବେ ଏଗୁଡ଼ିକର ଅବସ୍ଥା ଯେ ଭଲ ନୁହେଁ ତାହା ଆମ ସମସ୍ତଙ୍କୁ ଊଣା ଅଧିକେ ଜଣା। ତେବେ ବର୍ତ୍ତମାନର ସ୍ଥିତି ଜାଣିବା ପାଇଁ ରମ୍ଭା ପାନ୍ଥ ନିବାସକୁ ଭାତ ହାଣ୍ଡିରୁ ଗୋଟିଏ ଭାବେ ଗ୍ରହଣ କରି ଅବସ୍ଥା ଆକଳନ କରାଯାଇପାରେ।
ଜାତୀୟ ରାଜପଥ ରମ୍ଭା ବାଇପାସଠାରୁ ବାଁ ପଟେ ପ୍ରାୟ ଅଢେଇ କିଲୋମିଟର ଗଲେ ପଡ଼ିବ ରମ୍ଭା ପାନ୍ଥ ନିବାସ। ମୁଖ୍ୟ ଗେଟ ଦେଇ ପଶିଲା ପରେ ଗୋଟିଏ ଲାମ୍ବା ରାସ୍ତା ଲମ୍ବି ଯାଇଛି ପାନ୍ଥ ନିବାସ ନିକଟକୁ। ରାସ୍ତାର ଉଭୟ ପଟେ ଧାଡ଼ି ଧାଡ଼ି ଗଛ ଓ ଆଲୋକ ବ୍ୟବସ୍ଥା ଯେ କୌଣସି ପର୍ଯ୍ୟଟକ ପାଇଁ ଅତି ଆକର୍ଷଣୀୟ। ମୁଁ ଓ ମୋର ବନ୍ଧୁମାନେ ଯାଇ ସେଠାରେ ପହଞ୍ଚିଲା ବେଳକୁ ସନ୍ଧ୍ୟା ପ୍ରାୟ ସାତଟା। ଆଗରୁ ରୁମ ବୁକ କରିଥିଲୁ। ଅଭ୍ୟର୍ଥନା ପ୍ରକୋଷ୍ଠ ବା ରିସେପ୍ସନ କାଉଣ୍ଟର ଦାୟିତ୍ଵରେ ଥିବା କର୍ମଚାରୀ ସଙ୍ଗେ ସଙ୍ଗେ ଆମ ପାଇଁ ରୁମ ବ୍ୟବସ୍ଥା କରିଦେଲେ, କିନ୍ତୁ ଅତିଥିମାନଙ୍କୁ ଆନ୍ତରିକ ଭାବେ ସ୍ଵାଗତ କରିବା ପାଇଁ ଯେଉଁ ମନୋବୃତ୍ତି ରହିବା କଥା ତାହା ନଥିବା ପରି ମନେହେଲା। ସ୍ଥାନୀୟ ଲୋକ ହୋଇଥିବାରୁ ଆମେ ସେଥିପ୍ରତି କୌଣସି ଗୁରୁତ୍ଵ ଦେଲୁ ନାହିଁ। କିନ୍ତୁ ବାହାରୁ ଆସିଥିବା ପର୍ଯ୍ୟଟକମାନଙ୍କ ପାଇଁ ପହଞ୍ଚିଲା ପରେ ସେମାନଙ୍କୁ କିପରି ସ୍ଵାଗତ କରାଯାଉଛି ତାହା ଯଥେଷ୍ଟ ଗୁରୁତ୍ଵ ରଖେ।
ପ୍ରଥମ ମହଲାରେ ଆମ ରୁମଗୁଡ଼ିକ ନିକଟକୁ ସିଡ଼ି ଚଢି ଗଲା ବେଳକୁ ଲାଗିଲା ଯେ ଜାଗାଟି ଯଥେଷ୍ଟ ପରିଷ୍କାର ପରିଚ୍ଛନ୍ନ ନୁହେଁ। ସିଡ଼ି ତଳ ଜାଗାଟିରେ ନାନାଦି ଅଦରକାରୀ ଜିନିଷ ପଡି ରହିଛି ଯାହା କି ଅତି ଦୃଶ୍ୟକଟୁ। ରୁମଗୁଡ଼ିକ ଅତି ପ୍ରଶସ୍ତ। କିନ୍ତୁ ଆବଶ୍ୟକତା ମୁତାବକ ଆଲୋକିତ ନୁହେଁ। ଡବଲ ବେଡଟି ଏକ ଆଡିଆ ହୋଇ ବାଥ ରୁମ ପଟକୁ ପଡିଥିଲା ବେଳେ ତାର ବିପରୀତ କାନ୍ଥ ଉପରେ ରହିଛି ଟିଭି ଓ ତା’ ତଳକୁ ଛୋଟ ଟେବୁଲଟିଏ ପଡିଛି। ବାଥ ରୁମର ବିପରୀତ ଦିଗରେ, ଅର୍ଥାତ ରୁମରେ ପଶିବା ପଟେ ରହିଛି ଡ୍ରେସିଂ ଟେବୁଲ ଓ ସେଠାରେ କୌଣସି ଆଲୋକ ବ୍ୟବସ୍ଥା ନାହିଁ। ବାଥ ରୁମ ପାଖକୁ ଲାଗି ରହିଛି ଗୋଟିଏ ପ୍ରଶସ୍ତ ବସିବା ଜାଗା। ସେଠାରେ ରହିଛି ଦୁଇଟି ଚେୟାର ଓ ଗୋଟିଏ ସେଣ୍ଟର ଟେବୁଲ, ଏବଂ ଲୁଗା ରଖିବା କିମ୍ବା ଶୁଖାଇବା ପାଇଁ ଗୋଟିଏ ଆଲଣା। କିନ୍ତୁ ଆଲମାରି କାହିଁ ? ଆଦୌ ନାହିଁ!
ଆଲମାରିଟିଏ ଯେ କୌଣସି ପର୍ଯ୍ୟଟକଙ୍କର ସାଧାରଣ ଆବଶ୍ୟକତା। ଯଦି ଆଲମାରିଟିଏ ନାହିଁ ଜଣେ ପର୍ଯ୍ୟଟକ ତାଙ୍କର ଜିନିଷପତ୍ର କେଉଁଠାରେ ରଖିବେ?
ପଶିବା ଦ୍ଵାରକୁ ଭିତର ପଟୁ ଖୋଲିବା ପାଇଁ ହାଣ୍ଡଲ ନାହିଁ, ଅଛି ଚାରିଟା ବଡ ବଡ ସ୍କୃର ଶେଷ ଅଂଶ। ଡବଲ ବେଡରେ ପଡିଥିବା ବେଡସିଟ ଦିଶୁଛି ଅତି କୋତରା ଓ ମଇଳା। ଦିଆଯାଇଥିବା ତଉଲିଆଗୁଡ଼ିକ ଅତି ପୁରୁଣା। ବେଡସିଟ ଓ ତଉଲିଆଗୁଡ଼ିକୁ ଯେ ନିୟମିତ ଭାବେ ବଦଳାଇ ନୂଆ କିଣା ଯାଏ, ସତେ ଯେମିତି ସେ କଥା ପରିଚାଳନା ଦାୟିତ୍ଵରେ ଥିବା କର୍ମଚାରୀମାନେ ଭୁଲି ଯାଇଛନ୍ତି!
ରାତି ପାହିଲା ପରେ ଜଣେ ପର୍ଯ୍ୟଟକ ଯଦି ବାଥରୁମ୍ ସଂଲଗ୍ନ ବୈଠକ ସ୍ଥାନକୁ ଯିବେ ଓ ଝରକା ଦେଇ ସାମନାକୁ ଦେଖିବେ ତେବେ ଏତେସବୁ ନଥିବା କଥା ସେ ସମ୍ପୂର୍ଣ ପାସୋରି ଦେବେ। ଚିଲିକା ଛାତିରେ ପ୍ରକୃତିର ଯେଉଁ ଶୋଭା ତାଙ୍କ ଦୃଷ୍ଟିରେ ପଡ଼ିବ ତାହା ସହସା ତାଙ୍କୁ ଆନନ୍ଦରେ ବିଭୋର କରିଦେବ। ପ୍ରକୃତି ସେଠାରେ ପାଲଟି ଯାଇଛି ସତେ ଯେମିତି ଏକ ଅତୁଳନୀୟ ଚିତ୍ରପଟ ଯାହାର ପରିବେଶ ଅତି ଶାନ୍ତ, ସୁନ୍ଦର ଓ ଆନନ୍ଦମୟ।
ରମ୍ଭା ପାନ୍ଥ ନିବାସରେ ରହିଛି ସମୁଦାୟ ୧୮ ଟି ରୁମ ଓ ୬ ଟି କଟେଜ। ଖୁବ ଯତ୍ନ ନିଆଯାଉଥିବା ଏକ ପ୍ରଶସ୍ତ ଓ ସୁନ୍ଦର ମନଲୋଭା ବଗିଚା ଘେରି ରହିଛି କଟେଜଗୁଡ଼ିକୁ। ରୁମରୁ ବାହରି କଟେଜଗୁଡ଼ିକ ପାଖ ଦେଇ ସେହି ସୁନ୍ଦର ବଗିଚାଟି ମଝିରେ ପଡ଼ିଥିବା ରାସ୍ତା ଦେଇ ଚିଲିକା ପାଣିରେ ଥିବା ଜେଟି ପାଖକୁ ଯାଇ ହୁଏ। ସେଠାରୁ ଡଙ୍ଗା କିମ୍ବା ମୋଟର ବୋଟ ଦ୍ଵାରା ଚିଲିକା ଭିତରେ ଥିବା ବ୍ରେକଫାଷ୍ଟ ଆଇଲାଣ୍ଡ, ହନିମୁନ ଆଇଲାଣ୍ଡ, ବାର୍ଡସ ଆଇଲାଣ୍ଡ, ସାନକୁଦା ଆଇଲାଣ୍ଡ କିମ୍ବା ଘଣ୍ଟଶିଳା ପାହାଡ଼ିକୁ ବୁଲି ଯିବା ପାଇଁ ବ୍ୟବସ୍ଥା ରହିଛି।
ବାସ୍ତବ ଦୃଷ୍ଟିରୁ ବିଚାର କଲେ ପର୍ଯ୍ୟଟକମାନଙ୍କ ପାଇଁ ରମ୍ଭା ହେଉଛି ଏକ ଆଦର୍ଶ ପର୍ଯ୍ୟଟନ ସ୍ଥଳୀ। ମନୋରମ ପ୍ରକୃତି ଘେରି ରହିଥିବା ପାନ୍ଥ ନିବାସରେ ଛୁଟି କାଟିବା ପାଇଁ ଯେ କୌଣସି ପର୍ଯ୍ୟଟକ ନିଶ୍ଚୟ ଆକୃଷ୍ଟ ହେବେ। ଏହାର ଭିତ୍ତିଭୂମି ମଧ୍ୟ ଉଚ୍ଚ କୋଟୀର, କିନ୍ତୁ ଆବଶ୍ୟକତା ଅନୁଯାୟୀ ଯତ୍ନ ନିଆଯାଉ ନାହିଁ! ଏହା ଦ୍ଵାରା ପର୍ଯ୍ୟଟକ ଏଠାକୁ ଦ୍ଵିତୀୟ ଥର ଆସିବା କିମ୍ବା ଆଉ କାହାକୁ ଏଠାକୁ ଆସିବା ପାଇଁ କହିବାକୁ ଆଗ୍ରହୀ ହେବେ ନାହିଁ।
ତେଣୁ ଖାଲି ରାଜଧାନୀ ଭୁବନେଶ୍ଵରରେ ଟ୍ରାଭେଲ ବଜାର ଆୟୋଜନ କଲେ ପର୍ଯ୍ୟଟନ ବିକାଶ ହୋଇଯିବ ନାହିଁ। ନୂଆ ନୂଆ ପର୍ଯ୍ୟଟନ ସ୍ଥଳୀ ଚିହ୍ନଟ କରିବା ସହ ଉନ୍ନତ ଭିତ୍ତିଭୂମି ତିଆରି କରିବା ଓ ରମ୍ଭା ପାନ୍ଥ ନିବାସ ପରି ପୂର୍ବରୁ ରହିଥିବା ଭିତ୍ତିଭୂମିଗୁଡ଼ିକର ଆବଶ୍ୟକୀୟ ଯତ୍ନ ନେବା ସହ ଉପଯୁକ୍ତ ରକ୍ଷଣା ବେକ୍ଷଣ ପ୍ରତି ଯଥେଷ୍ଟ ଧ୍ୟାନ ଦେବା ନିହାତି ଦରକାର।
(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ତଥା ଜାତୀୟ ପୁରସ୍କାରପ୍ରାପ୍ତ ଚଳଚିତ୍ର ନିର୍ଦ୍ଦେଶକ)