ଓଡ଼ିଶାଲାଇଭ୍‌ ବ୍ୟୁରୋ

କେନ୍ଦ୍ରାପଡ଼ା: ‘କେବଳ ପ୍ରେମିକାର ଇଜ୍ଜତ ରକ୍ଷା ପାଇଁ ପ୍ରତିଶୋଧ ନେଲି’ – ଏ ହେଉଛି ପାଗଳପ୍ରେମୀ ଭବାନିଶଙ୍କର ଓଝାର ବୟାନ।

ଭବାନି ହେଉଛି ସେହି ବ୍ୟକ୍ତି, ଯିଏ ଗତ ୯ ତାରିଖ ରାତିରେ କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ଅନ୍ତର୍ଗତ ପାଟଳିପଙ୍କ ଗାଁରେ ଗୋଟିଏ ପରିବାର ଉପରେ ଏସିଡ୍ ଢ଼ାଳି ଛୁ ହୋଇଯାଇଥିଲା।

ଗତ ୯ ତାରିଖ ରାତିର ଘଟଣା। ପାଟଳିପଙ୍କ ଗାଁରେ ଏସିଡ୍ ଢାଳି ହିମାଂଶୁ ବାରିକ, ତାଙ୍କ ସ୍ତ୍ରୀ ମିନତି ଓ ୨ ବର୍ଷର ଝିଅ ଶୁଭଶ୍ରୀଙ୍କୁ ଆହତ କରିବା ଘଟଣାରେ ଗିରଫ ହୋଇଛି ପ୍ରେମ ପାଗଳ ଭବାନିଶଙ୍କର ଓଝା। ଗାଁର ଜଣେ ଯୁବତୀଙ୍କ ସହିତ ଭବାନିର ପ୍ରେମ ସମ୍ପର୍କ ରହିଥିଲା। ଉଭୟଙ୍କ ଅନ୍ତରଙ୍ଗ ମୁହୂର୍ତ୍ତକୁ  ହିମାଂଶୁ ବାରିକ ଦେଖିଦେବା ସହିତ ଭବାନିକୁ ତାଗିଦ କରିଥିଲା। ବାରମ୍ବାର ତାଗିଦ କରି ଆସୁଥିବାରୁ ଭବାନି ହିମାଂଶୁଙ୍କର ଆଖି ଫୁଟାଇବାକୁ ଶପଥ ନେଇଥିଲା ବୋଲି ପୋଲିସ ନିକଟରେ ସ୍ୱୀକାର କରିଛି। ପୋଲିସ ଏସିଡ୍ ବୋତଲକୁ ମଧ୍ୟ ଜବତ କରିଛି।

ପ୍ରେମ ନିଶା କେତେ ଭୟଙ୍କର ରୂପ ନେଇପାରେ ତାହା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ପାଟଳିପଙ୍କ ଗାଁରେ। ପ୍ରେମିକାର ଇଜ୍ଜତ ରକ୍ଷା କରିବାକୁ ଯାଇ ଗାଁର ଯୁବକ ହିଂମାଶୁଙ୍କ ଉପରେ ଏସିଡ୍ ଫିଙ୍ଗି ବିକଳାଙ୍ଗ କରିଦେଇଥିବା ବେଳେ ତାଙ୍କ ସ୍ତ୍ରୀ ଏବଂ କୁନି ଝିଅକୁ ଆହତ କରିଛି କାମାନ୍ଧ ଯୁବକ ଭବାନି।

ପାଟଳିପଙ୍କ ଗାଁର ଭବାନି ଜଣେ ଯୁବତୀଙ୍କୁ ଭଲ ପାଉଥିଲା। ଯୁବତୀଙ୍କ ସହିତ ଭବାନି ଅନ୍ତରଙ୍ଗ ମୁହୂର୍ତ୍ତ କଟାଉଥିବା ବେଳେ ଏହାକୁ ଦେଖିନେଇଥିଲେ  ହିମାଂଶୁ ବାରିକ। ସମ୍ପୃକ୍ତ ଯୁବକତୀଙ୍କ ସହିତ ଖୁଲମଖୁଲା ମିଳାମିଶାକୁ ବାରମ୍ବାର ବିରୋଧ କରୁଥିଲେ ହିମାଂଶୁ। ଏହାପରେ ଭବାନି ଓ ସେହି ଯୁବତୀଙ୍କ ଗୋପନ ପ୍ରେମ ସମ୍ପର୍କକୁ ନେଇ ଗାଁରେ ଟୁପୁର ଟାପୁର ଆରମ୍ଭ ହେବାକୁ ଲାଗିଲା। ଏଥିରେ ଭବାନି ହିମାଂଶୁଙ୍କୁ ସନ୍ଦେହ କରିଥିଲା। ଗୋପନ ପ୍ରେମକୁ ନେଇ ଚର୍ଚ୍ଚା ହେବାରୁ  ଯୁବତୀ ଜଣକ ଭବାନି ଉପରେ ରାଗି ଯାଇ ସମ୍ପର୍କ ତୁଟାଇବାକୁ ଆରମ୍ଭ କରିଦେଇଥିଲା।  ଏହାକୁ ନେଇ ଭବାନି ଓ ହିମାଂଶୁଙ୍କ ମଧ୍ୟରେ ଆଗରୁ ବଚସା ହୋଇଥିଲା।

ବଚସା ବେଳେ ଭବାନି ହିମାଂଶୁଙ୍କୁ ଧମକ ଦେଇଥିଲା କି ଯେଉଁ ଆଖିରେ ତୁ ଆମ ଦୁହିଁଙ୍କ ମିଳାମିଶାକୁ ଦେଖିଛୁ ତୋର ସେହି ଆଖି ଦିଇଟାକୁ ଫୁଟେଇ ଦେବି।”

ହିମାଂଶୁଙ୍କ ଉପରେ ପ୍ରତିଶୋଧ ନେବାକୁ ସୁଯୋଗ ଖୋଜୁଥିଲା ଭବାନି।

ହିମାଂଶୁ ଗାଁ ବାହରେ ଏକ ନିଛାଟିଆ ସ୍ଥାନରେ ନୂଆ କୋଠାଘର ତିଆରି କରି ରହୁଛନ୍ତି। ଘରର ଝରକା, କବାଟ ଲଗା ହୋଇ ନଥିବାରୁ ପିଲାମାନେ ସେହି ଘରେ ଶୋଉଥିଲେ । ପୂର୍ବରୁ ଭବାନି ହିମାଂଶୁଙ୍କ ନୂଆ ଘରର ଚଳଣି ସମ୍ପର୍କରେ ନକ୍ସା କରି ନେଇଥିଲା। ସେ ଜାଣିଥିଲା ଯେ ହିମାଂଶୁ ଯେଉଁ ଘରେ ରାତିରେ ଶୋଉଛି ସେ ଘରର ଝରକାରେ କବାଟ ନାହିଁ।

ହଠାତ ଭବାନିର ମୁଣ୍ଡରେ ଭୁତ ସବାର ହେଲା। ଦିନ ବେଳା ପାଖ ବଜାରରୁ ଏସିଡ୍ କିଣି ଆଣି ଘରେ ରଖିଥିଲା। ରାତି ପ୍ରାୟ ୧୨ଟା ବେଳକୁ ଭବାନି ହିମାଂଶୁଙ୍କ ଘର ପାଖରେ ଏକ ଚକ୍କର କାଟି ବୁଲି ଆସିଲା। ଘରେ ସମସ୍ତେ ଶୋଇ ଯାଇଥିବା ଦେଖି ଭବାନି ଖୋଲା ଝରକା ବାଟେ ହିମାଂଶୁଙ୍କ ମୁହଁକୁ ଲକ୍ଷ୍ୟକରି ଏସିଡ୍ ଢାଳିଦେଇ ପଳାଇ ଯାଇଥିଲା।

ହିମାଂଶୁ, ତାଙ୍କ ସ୍ତ୍ରୀ ମୀନତି ଓ ଦୁଇ ବର୍ଷର କୁନି ଝିଅ ଶୁଭଶ୍ରୀ ଏସିଡ୍ ମାଡ଼ରେ ଆହତ ହୋଇଥିଲେ। ପରିବାର ଲୋକେ ଆହତମାନଙ୍କୁ ଡାକ୍ତରଖାନାକୁ ନେଇଥିଲେ। ହିମାଂଶୁଙ୍କ ଦୁଇ ଆଖିରେ ସିଧାସଳଖ ଏସିଡ୍ ମାଡ଼ ହୋଇଥିବାରୁ ତାଙ୍କର ଅବସ୍ଥା ପୂରା ଜଟିଳ ରହିଛି। ଦେହର ବିଭିନ୍ନ ଅଂଶ ମଧ୍ୟ ପୋଡ଼ିଯାଇଛି। କଟକର ଏକ ଘରୋଇ ହସ୍ପିଟାଲରେ ମୃତ୍ୟୁ ସହିତ ସଂଗ୍ରାମ କରୁଛନ୍ତି ହିମାଂଶୁ। ମାର୍ଶାଘାଇ ପୋଲିସ ହସ୍ପିଟାଲରେ ପହଞ୍ଚି ମୃତ୍ୟୁ ସହିତ ସଂଗ୍ରାମ କରୁଥିବା ହିମାଂଶୁଙ୍କ ମୃତ୍ୟୁକାଳୀନ ଜମାନବନ୍ଦି ଗ୍ରହଣ କରିଛି। ଏହି ଜମାନବନ୍ଦିରେ ହିମାଂଶୁ ପୋଲିସ ସମ୍ମୁଖରେ ଭବାନି ତାଙ୍କ ଆଖି ଫୁଟାଇ ଦେବାକୁ ଧମକ ଦେଇଥିବା ପ୍ରକାଶ କରିଥିଲେ।

ହିମାଂଶୁଙ୍କ ମୃତ୍ୟୁକାଳୀନ ଜମାନବନ୍ଦିକୁ ଆଧାର କରି ପୋଲିସ ପାଟଳିପଙ୍କ ଗାଁର ଭବାନି ଶଙ୍କର ଓଝାକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି। ଭବାନି ବିରୋଧରେ ଭାରତୀୟ ପିଙ୍ଗଳ କୋର୍ଡର ଧାରା ୩୨୬ ଏ ଓ ୩୦୭ ଦଫାରେ ମାମଲା ରୁଜୁ କରିଛି ପୋଲିସ।

Comment