ଓଡ଼ିଶାଲାଇଭ୍‌ ବ୍ୟୁରୋ

ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍‌ ଡି ତିୱାରୀଙ୍କର ଆଜି ଦେହାନ୍ତ ଘଟିଛି। ଦିଲ୍ଲୀର ସାକେତସ୍ଥିତ ମ୍ୟାକ୍ସ ହସ୍ପିଟାଲରେ ସେ ନିଶ୍ୱାସ ଛାଡ଼ିଛନ୍ତି। ସବୁଠୁ ବଡ଼ କଥା ହେଉଛି ଆଜି ତିୱାରୀଙ୍କ ଜନ୍ମଦିନ। ଜନ୍ମଦିନରେ ହିଁ ତାଙ୍କର ମୃତ୍ୟୁ ହୋଇଛି।

ଏନ୍‌ ଡି ତିୱାରୀଙ୍କ ଦେହାନ୍ତରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତ ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଶୋକ ପ୍ରକାଶ କରିଛନ୍ତି।

“ତିୱାରୀଙ୍କ ଦେହାନ୍ତ ମୋ’ ପାଇଁ ବିଶେଷ କ୍ଷତି ସୃଷ୍ଟି କରିଛି। ସେ ଦଳଗତ ରାଜନୀତିରୁ ବହୁ ଉପରେ ଥିଲେ। ତାଙ୍କ ଦେହାନ୍ତ ଭାରତୀୟ ରାଜନୀତିରେ ଏକ ଅପୂରଣୀୟ କ୍ଷତି ସୃଷ୍ଟି କରିଛି। ଏହି କ୍ଷତି ଭରଣା କରିବା ସମ୍ଭବ ନୁହେଁ”, କହିଛନ୍ତି ତ୍ରିବେନ୍ଦ୍ର ସିଂ ରାୱତ।

କଂଗ୍ରେସ ନେତା ଏନ୍‌ ଡି ତିୱାରୀ ଗତ କିଛିଦିନ ହେଲା ଅସୁସ୍ଥ ଥିଲେ। ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା।

୧୯୭୬-୭୭, ୧୯୮୪-୮୫, ୧୯୮୮-୧୯୮୯ରେ ସେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ରହିଥିଲେ। ୨୦୦୨ରୁ ୨୦୦୭ ଯାଏଁ ସେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ରହିଥିଲେ।

ଏହାସହ ୧୯୮୬-୮୭ରେ ରାଜୀବ ଗାନ୍ଧିଙ୍କ ସରକାରରେ ତିୱାରୀ କେନ୍ଦ୍ର ବୈଦେଶିକ ମନ୍ତ୍ରୀ ରହିଥିଲେ। ୨୦୦୭ରୁ ୨୦୦୯ ପର୍ଯ୍ୟନ୍ତ ସେ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ମଧ୍ୟ ରହିଥିଲେ।

Comment