ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗଜପତି ଜିଲ୍ଲା ରାୟଗଡ଼ ବ୍ଲକର ଆତଙ୍କପୁର ଗାଁରେ ହୃଦୟବିଦାରକ ଘଟଣା। ଝିଅର ଶବ କାନ୍ଧରେ ବୋହି ୮ କିଲୋମିଟର ଚାଲିଲେ ବାପା।

କଳାହାଣ୍ଡି ଜିଲ୍ଲାର ଦାନ ମାଝି ନିଜ ସ୍ତ୍ରୀର ଶବକୁ କାନ୍ଧରେ ବୋହିବା ଘଟଣା ଅନ୍ତର୍ଜାତୀୟ ସ୍ତରରେ ଆଲୋଡ଼ନ ସୃଷ୍ଟି କରିଥିଲା। ଆଜି ପୁଣି ଏମିତିକ ଏକ ହୃଦୟବିଦାରକ ଚିତ୍ର ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ରାୟଗଡ଼ ବ୍ଲକର ଆତଙ୍କପୁର ଗାଁରେ। ଝିଅର ଶବକୁ କାନ୍ଧରେ ବୋହି ବାପା ୮ କିଲୋମିଟର ଚାଲିବା ଘଟଣା ପ୍ରଶାସନକୁ ଅଡ଼ୁଆରେ ପକାଇଛି।

ତିତ୍‌ଲି ବାତ୍ୟା ଗଜପତି ଜିଲ୍ଲାରେ ତାଣ୍ଡବ ରଚି ଚାଲିଯାଇଛି। ଏଥିରେ ପ୍ରାୟ ୫୭ ଜଣ ଲୋକଙ୍କର ମୃତ୍ୟୁ ଏବଂ ୧୦ ଜଣ ନିଖୋଜ ହୋଇଥିବା ସରକାର କହୁଛନ୍ତି। ଏବେ ନିଖୋଜ ଥିବା ବ୍ୟକ୍ତିଙ୍କର ମୃତଦେହ ଠାବ କରାଯାଉଛି। ତିତ୍‌ଲି ଯିବାର ୮ ଦିନ ପରେ ଆତଙ୍କପୁର ଗାଁର ମୁକୁନ୍ଦ ଦୋରାଙ୍କ ଝିଅର ଶବ ଗାଁଠାରୁ ବହୁ ଦୂରରେ ଠାବ କରାଯାଇଛି।

ଝିଅର ଶବକୁ ମେଡିକାଲକୁ ନେବା ପାଇଁ ପରିବାର ଲୋକ ପୋଲିସକୁ ଖବର ଦେଇଥିଲେ। କିନ୍ତୁ ପୋଲିସ ଆସିବା ବିଳମ୍ବ ହେବାରୁ ବାପା ଝିଅର କାନ୍ଧକୁ ବୋହି ୮ କିଲୋମିଟର ଚାଲିଥିଲା। ଏହି ଖବର ପ୍ରଚାର ହେବା ପରେ ପୋଲିସ ବାବୁ ଆସି ସହଯୋଗ କରିଥିଲେ।

ଗତ ୧୧ ତାରିଖ ରାତିରେ ତିତ୍‌ଲି ପଲାସାଠାରେ ଡିଟ୍ କରିବା ପରେ ଗଞ୍ଜାମ ଏବଂ ଗଜପତି ଜିଲ୍ଲାରେ ବ୍ୟାପକ କ୍ଷତି ହୋଇଥିଲା। କାହା ଘରର ଛପର ଉଡ଼ି ଯାଇଥିଲା ତ କାହା ଘରେ ପାଣି ପଶି ଯାଇଥିଲେ। ଏହି ବାତ୍ୟାରେ ମୁକୁନ୍ଦଙ୍କ ଘର ମଧ୍ୟ ଛାରଖାର ହୋଇଯାଇଥିଲା। ୮ ବର୍ଷର ଝିଅ ବାତ୍ୟାରେ ନିଖୋଜ ଥିଲେ। କିନ୍ତୁ ଆଜି ସକାଳେ ଗାଁଠାରୁ ୮ କିଲୋମିଟର ଦୂର ଏକ ଝରଣା କୂଳରେ ଝିଅର ଶବ ପଡ଼ିଥିବା କିଛି ଲୋକ ଦେଖି ମୁକୁନ୍ଦଙ୍କୁ ଖବର ଦେଇଥିଲେ।

ଘର ଲୋକ ଝରଣାକୂଳକୁ ଦୌଡ଼ି ଆସିଥିଲେ। ଘଟଣା ସମ୍ପର୍କରେ ସ୍ଥାନୀୟ ପୋଲିସକୁ ଖବର ଦିଆଯାଇଥିଲା। କିନ୍ତୁ ପୋଲିସ ଆସିବ କହି ଆସି ନଥିଲା। ଶେଷରେ କାନ୍ଦି କାନ୍ଦି ଝିଅର ଶବକୁ ଏକ ବସ୍ତାରେ ବାନ୍ଧି ମେଡିକାଲ ଅଭିମୁଖେ ଯାଇଥିଲେ ମୁକୁନ୍ଦ। ଏହି ହୃଦୟ ବିଦାରକ ଘଟଣା ଏବେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି।

“ଦାନ ମାଝି ଘଟଣାରୁ ରାଜ୍ୟ ସରକାର କିଛି ଶିଖିଲେନି। ଯଦି ଶିକ୍ଷା ଗ୍ରହଣ କରିଥାନ୍ତେ ତାହାଲେ ଗଜପତି ଜିଲ୍ଲାରେ ଅନୁରୂପ ଘଟଣା ଦେଖିବାକୁ ମିଳି ନଥାନ୍ତା। ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ବାତ୍ୟା ପୀଡ଼ିତଙ୍କ ପ୍ରତି ସରକାରଙ୍କର ଆନ୍ତରିକତା ନାହିଁ”, ଟୁଇଟ୍ କରି କହିଛନ୍ତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା।

ଏପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବି ଫେସ୍‌ବୁକରେ ଏହି ଘଟଣାକୁ ଉଲ୍ଲେଖ କରିଛନ୍ତି। ସେ ଲେଖିଛନ୍ତି ଯେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ନିଜ ଝିଅର ଶବକୁ ବସ୍ତାରେ ମୁଣ୍ଡାଇ ବାପା ଚାଲି ଚାଲି ଯାଉଥିବା ଚିତ୍ର ପ୍ରଶାସନର ପାରିବା ପଣିଆ ଉପରେ ଆଙ୍ଗୁଠି ଉଠାଇଛି।

Comment