ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜଧାନୀ ଭୁବନେଶ୍ୱରରେ ଯେଉଁମାନେ ଟ୍ରାଫିକ ନିୟମ ଭାଙ୍ଗୁଛନ୍ତି ସେମାନଙ୍କ ପାଇଁ ନୂଆ ଖବର। ପରିବହନ ବିଭାଗ ଆଗରୁ ଯେଉଁଭଳି ରସିଦ କାଟୁଥିଲା ଆଗକୁ ତାହା କରିବ ନାହିଁ। ବିଭାଗ ପକ୍ଷରୁ ଏଚଡିଏଫସି ବ୍ୟାଙ୍କ ସହିତ ଏକ ବୁଝାମଣା ପତ୍ର ସ୍ୱାକ୍ଷର ହୋଇଛି, ଯେଉଁଥିରେ କି ଏବେ ଇ ଚାଲାଣ ମିଳିବ।

ଲୋକମାନଙ୍କୁ ଏଣିକି ଗାଡ଼ି ଟିକସ, ସ୍ପଟ ଚେକିଂ ବେଳେ ଦିଆଯାଉଥିବା ଜରିମାନା ଓ ଅନ୍ୟାନ୍ୟ ଦେୟ ଡିଜିଟାଲ ପଦ୍ଧତିରେ କରିବାକୁ ପଡ଼ିବ। ପରିବହନ କମିଶନର ସଂଜୀବ ପଣ୍ଡା ଓ ଏଚଡିଏଫସି ବ୍ୟାଙ୍କର ଓଡ଼ିଶା ମୁଖ୍ୟ ଦେବାଶିଷ ସେନାପତିଙ୍କ ମଧ୍ୟରେ ସ୍ୱାକ୍ଷରିତ ବୁଝାମଣା ପତ୍ର ଅନୁସାରେ ବ୍ୟାଙ୍କ ପକ୍ଷରୁ ବିଭିନ୍ନ ଆର୍‌ଟିଓ ଅଫିସରେ ୧୬୨ଟି ପିଓଏସ (ପଏଣ୍ଟ ଅଫ ସେଲ) ମେସିନ ବସାଯିବ। ସେହିଭଳି ବ୍ୟାଙ୍କ ତରଫରୁ ୧୯୫ଟି ଇ-ଚାଲାଣ ମୋବାଇଲ ଯନ୍ତ୍ର ଯୋଗାଇ ଦିଆଯିବ। ଏହା ମାଧ୍ୟମରେରେ ଫାଇନ ଆଦାୟ କରାଯିବ।

ମୋବାଇଲ ଇ-ଚାଲାଣ ଯନ୍ତ୍ରକୁ ସାରଥୀ ଓ ବାହାନ ଡାଟାବେସ ସହିତ ଯୋଡ଼ି ଦିଆଯିବ ଯାହାଫଳରେ କି ଜାଗା ମୁଣ୍ଡରେ ଚାଲାଣ ବାହାରିବ। ଲୋକେ ଡେବିଟ ଓ କ୍ରେଡିଟ କାର୍ଡରେ ମଧ୍ୟ ପେମେଣ୍ଟ କରିପାରିବେ। ବାହାନ ଡାଟାବେସରେ ଗାଡି ପଞ୍ଜିକରଣ, ଟିକସ ଆଦାୟ, ଫିଟନେସ ଓ ଅନ୍ୟାନ୍ୟ ସେବା ପାଇଁ ଅର୍ଥ ପୈଠ କରାଯିବ। ଅପରପକ୍ଷରେ ସାରଥୀ ଡାଟାବେସ୍ ହେଉଛି ଡ୍ରାଇଭିଂ ଲାଇସେନ୍ସ, ଲରନର ଲାଇସେନ୍ସ, ଡ୍ରାଇଭିଂ ସ୍କୁଲ ପାଇଁ। ଜଣେ ଅଧିକାରୀ କହିଛନ୍ତି ଯେ ଯେଉଁମାନେ ଜୋରିମାନା ଦେଉଛନ୍ତି ସେମାନଙ୍କୁ ଏହି ଇ-ଚାଲାଣ ଦିଆଯିବ।

Comment