ଓଡ଼ିଶାଲାଇଭ୍ ବ୍ୟୁରୋ
ଅମୃତସରରେ ୬୦ ଲୋକଙ୍କ ମୃତ୍ୟୁ ପାଇଁ ରେଳବିଭାଗ ଦାୟୀ ନୁହେଁ ବୋଲି ସଫାସଫା ମନା କରିଦେଇଛନ୍ତି ଫିରୋଜପୁର ଡିଆରଏମ୍। ୪ ସପ୍ତାହ ମଧ୍ୟରେ ତଦନ୍ତ ରିପୋର୍ଟ ମାଗିଛନ୍ତି ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ।
ବିଜୟାଦଶମୀରେ ପଞ୍ଜାବର ଅମୃତସରରେ ଶୁକ୍ରବାର ଘଟିଯାଇଛି ହୃଦୟବିଦାରକ ଘଟଣା। ଏହା ସମଗ୍ର ଦେଶକୁ କରି ଦେଇଛି ସ୍ତବ୍ଧ। ରେଳଧାରଣରେ ଠିଆ ହୋଇ ରାବଣ ପୋଡ଼ିର ମଜା ନେଉଥିବା ବେଳେ ଜଳନ୍ଧରରୁ ଅମୃତସର ଯାଉଥିବା ଦ୍ରୁତଗାମୀ ଡିଏମୟୁ ଟ୍ରେନ ଲୋକଙ୍କ ଉପରକୁ ଚଢ଼ିଯାଇଥିଲା। ମୃତ୍ୟୁ ସଂଖ୍ୟା ୬୦ରେ ପହଞ୍ଚିଥିବା ବେଳେ ଏଥିପାଇଁ ରେଳ ବିଭାଗର କୌଣସି ଭୁଲ୍ ନାହିଁ ବୋଲି କହିଛନ୍ତି ଫିରୋଜପୁର ଡିଆର୍ଏମ୍।
ତଦନ୍ତ ରିପୋର୍ଟ ମାଗିଲେ ମୁଖ୍ୟମନ୍ତ୍ରୀ
ଅମୃତସର ଦୁର୍ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ। ଏହି ହୃଦୟବିଦାରକ ଘଟଣାର ତଦନ୍ତ ରିପୋର୍ଟ ୪ ସପ୍ତାହ ଭିତରେ ଦେବା ପାଇଁ ଅମରିନ୍ଦର ଜଳନ୍ଧର ଡିଭିନାଲ କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି, “ଏପର୍ଯ୍ୟନ୍ତ ଅଧିକାଂଶ ମୃତଙ୍କ ପରିଚୟ ମିଳିସାରିଛି। ମାତ୍ର ୯ଟି ମୃତ ଶରୀରର ଚିହ୍ନଟ ହୋଇନାହିଁ। ଏନେଇ ଉଦ୍ୟମ ଜାରି ରହିଛି।”
ଦୁର୍ଘଟଣାରେ ମୃତ ବ୍ୟକ୍ତିଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରିଛନ୍ତି ପଞ୍ଜାବ ସରକାର। ସେହିଭଳି ଆହତମାନଙ୍କ ଚିକିତ୍ସା ରାଜ୍ୟ ସରକାର ବିନା ମୂଲ୍ୟଷଣ କରିବେ ବୋଲି ଘୋଷଣା କରିଛନ୍ତି। ଏହି ଦୁର୍ଘଟଣା ସମଗ୍ର ପଞ୍ଜାବକୁ ଥରାଇ ଦେଇଛି ବୋଲି ଅମରିନ୍ଦର ସିଂ ସକାଳେ ଟୁଇଟ୍ କରି ଜଣାଇଥିଲେ।
ଭୁଲ ମାନୁନି ରେଳବିଭାଗ
ଦୁର୍ଘଟଣା ପଛରେ ପ୍ରକୃତରେ କାହାର ଭୁଲ୍ ରହିଛି ଏନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ଫିରୋଜପୁରର ଡିଆର୍ଏମ୍ ବିବେକ କୁମାରଙ୍କ ବୟାନ ଘଟଣାକୁ ଭିନ୍ନ ମୋଡ଼ ଦେଇଛି।
ଡିଆରଏମ୍ କହିଛନ୍ତି, “ଦୁର୍ଘଟଣା ପାଇଁ ରେଳବିଭାଗ ଦାୟୀ ନୁହେଁ। କାରଣ ଲେବୁଲ୍ କ୍ରସିଂ ନିକଟରେ ରାବଣ ପୋଡ଼ି ଉତ୍ସବ ହେଉଛି ବୋଲି ରେଳ ବିଭାଗକୁ ପୂର୍ବରୁ କୌଣସି ସୂଚନା ଦିଆଯାଇ ନଥିଲା। ରେଳ ଧାରଣା ଉପରେ ଲୋକ ଛିଡ଼ା ହୋଇଥିବା ଦେଖି ଡ୍ରାଇଭର ଟ୍ରେନ୍ ସ୍ପିଡ୍ କମାଇଥିଲେ। ହର୍ଣ୍ଣ ମଧ୍ୟ ଦେଇଥିଲେ। କିନ୍ତୁ ରେଳଟ୍ରାକ୍ ଉପରୁ ଲୋକେ ହଟି ନଥିଲେ। ଟ୍ରେନର ସ୍ପିଡ୍ ୯୧ରୁ ଘଣ୍ଟାକୁ ୬୧ କିଲୋମିଟର କରିଦେଇଥିଲେ ଡ୍ରାଇଭର। ”
ଡିଆର୍ଏମ୍ ଆହୁରି କହିଛନ୍ତି ଯେ ଯଦି ଟ୍ରେନଟିକୁ ହଠାତ ବ୍ରେକ ମାରି ଅଟକାଇ ଦିଆଯାଇ ଥାନ୍ତା ତାହାଲେ ଟ୍ରେନ ସମ୍ପୂର୍ଣ୍ଣ ଓଲଟି ପଡ଼ିଥାନ୍ତା। ଟ୍ରେନରେ ଥିପା ଯାତ୍ରୀମାନେ ବିପଦରେ ପଡ଼ିଥାନ୍ତେ।
ଲୋକଙ୍କୁ ଟ୍ରେନ ପିଟିବା ପରେ ଉତ୍ତ୍ୟକ୍ତ ଲୋକେ ଟ୍ରେନକୁ ଢେଲାପଥର ଫିଙ୍ଗିଥିଲେ। ଯାତ୍ରୀମାନଙ୍କ ସୁରକ୍ଷା ଦୃଷ୍ଟିରୁ ଡ୍ରାଇଭର ଟ୍ରେନଟିକୁ ଘଟଣାସ୍ଥଳରେ ନଅଟକାଇ ଅମୃତସର ଅଭିମୁଖେ ନେଇଯାଇଥିଲେ।
ଗିରଫ ହେଲା ଡ୍ରାଇଭର
ଅମୃତସର (ପଞ୍ଜାବ)ରେ ଲୋକଙ୍କୁ ଧକ୍କା ଦେଇଥିବା ଡିଏମୟୁ ଟ୍ରେନର ଡ୍ରାଇଭରକୁ ଲୁଧିଆନା ରେଲୱେ ଷ୍ଟେସେନରୁ ଗିରଫ କରାଯାଇ ପଚରାଉଚରା କରାଯାଉଛି। ଡ୍ରାଇଭର କହିଛନ୍ତି, “ତାଙ୍କୁ ଗ୍ରୀନ୍ ସିଗନାଲ ମିଳିଥିଲା ଏବଂ ରାସ୍ତା ବି ସଫା ଥିଲା।”
ପୋଲିସର ପ୍ରାଥମିକ ତଦନ୍ତ ରିପୋର୍ଟ ଅନୁଯାୟୀ, ଲୋକମାନେ ମୋବାଇଲରେ ରାବଣ ପୋଡ଼ିର ଭିଡିଓ ରେକର୍ଡିଂ କରିବାରେ ଲାଗିଥିଲେ। ହୁଏତ ଏହି କାରଣରୁ ଟ୍ରେନ ଆସୁଥିବାର ଜାଣିପାରିନଥିଲେ। ଏହାସହ ପୋଲିସ ଏବେ ଅଣ୍ଡରଗ୍ରାଉଣ୍ଡ ହୋଇଯାଇଥିବା ରାବଣ ପୋଡ଼ି ଉତ୍ସବର ଆୟୋଜକମାନଙ୍କୁ ଖୋଜୁଛି।








ଅମୃତସରରେ ୬୦ ଲୋକଙ୍କ ମୃତ୍ୟୁ ପାଇଁ ରେଳବିଭାଗ ଦାୟୀ ନୁହେଁ ବୋଲି ସଫାସଫା ମନା କରିଦେଇଛନ୍ତି ଫିରୋଜପୁର ଡିଆରଏମ୍। ୪ ସପ୍ତାହ ମଧ୍ୟରେ ତଦନ୍ତ ରିପୋର୍ଟ ମାଗିଛନ୍ତି ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ।









