ଓଡ଼ିଶାଲାଇଭ ବ୍ୟୁରୋ

ରେଳ ଟ୍ରାକରେ ଫସିଲା ଟ୍ୟାଙ୍କର। ଏପରି ଏକ ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ଅଞ୍ଚଳରେ। ଶୁକ୍ରବାର ସକାଳେ ଏକ ଟ୍ୟାଙ୍କରର ବ୍ରେକ୍‌ ଫେଲ ହୋଇଯିବାରୁ ମୁନିଗୁଡ଼ା ନିକଟରେ ଥିବା ରେଳ ଲାଇନ ଉପରକୁ ମାଡ଼ିଯାଇଥିଲା। ଫଳରେ ମୁନିଗୁଡା ରାୟଗଡ଼ା ମଧ୍ୟରେ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ ହୋଇଛି।

ଟ୍ୟାଙ୍କରଟି ବିଶାଖାପାଟଣାରୁ ଆଲୁମିନିୟମ ପାଉଡର ବୋଝେଇ କରି ଝାରସୁଗୁଡ଼ା ଅଭିମୁଖେ ଯିବାବେଳେ ହଠାତ୍‌ ମୁନିଗୁଡ଼ା ରେଳ ଫାଟକ ନିକଟରେ ବ୍ରେକ୍‌ ଫେଲ ହୋଇଯାଇଥିଲା। ତେବେ ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ବହୁ ଧନଜୀବନ ଅଳ୍ପକେ ରକ୍ଷା ପାଇଯାଇଛି। ବ୍ରେକ ଫେଲ ହୋଇଥିବା ଜାଣି ଡ୍ରାଇଭର ଗାଡ଼ିକୁ ବାଧ୍ୟ ହୋଇ ରେଳ ଲାଇନ ଆଡ଼କୁ ବୁଲାଇ ଦେଇଥିଲେ। ଫଳରେ ନିକଟରେ ଥିବା ବସ୍‌ଷ୍ଟାଣ୍ଡ ଓ ଉଠା ଦୋକାନୀମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

ତେବେ ଡ୍ରାଇଭରଙ୍କ ଏପରି ସାହସିକତା କାର୍ଯ୍ୟକୁ ଜନସାଧାରଣ ପ୍ରଶଂସା କରୁଥିବାବେଳେ ଶୀଘ୍ର ରେଳ ଲାଇନରୁ ଟ୍ୟାଙ୍କରଟିକୁ ହଟାଇବାକୁ ରେଳ କର୍ମଚାରୀଙ୍କୁ ଅନୁରାଧ କରିଥିଲେ। ଡ୍ରାଇଭର ଜଣକ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ଥିବା ଜଣାପଡ଼ିଛି। ଘଟଣା ପରେ ମୁନିଗୁଡ଼ା ରେଳ ଷ୍ଟେସନରେ ଗାନ୍ଧୀ ଧାମ ପୁରୀ ଏକ୍ସପ୍ରେସ ବହୁ ସମୟ ଧରି ଅଟକି ରହିଥିଲା। ଏହାପରେ ମୁନିଗୁଡ଼ା ରେଳବାଇ ପୋଲିସ ସହ କର୍ମଚାରୀ ପହଞ୍ଚି ତଦନ୍ତ କରିଥିଲେ। ବର୍ତ୍ତମାନ ଲାଇନରେ ଟ୍ରେନ୍‌ ଚଳାଚଳ ସ୍ୱାଭାବିକ ହୋଇଥିବା ଜଣାପଡିଛି।

Comment