ଓଡ଼ିଶାଲାଇଭ୍ ବ୍ୟୁରୋ
କେନ୍ଦ୍ରାପଡ଼ା: ୧୪ ବର୍ଷ ପରେ ଜନ୍ମକଲା ମା’ କୋଳକୁ ଫେରି ଆସିଛି ହଜିଲା ପୁଅ ବଳିଆ। ପୁଅକୁ ପାଇ ମା’ ଭାବବିହ୍ୱଳ ହୋଇପଡ଼ିଛନ୍ତି। ହଜିଲା ପୁଅକୁ ଦେଖିବା ପାଇଁ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକର କୁମ୍ଭାରୁଣୀ ଗାଁରେ ଲୋକଙ୍କ ଭିଡ଼ ଜମିଛି।
୧୪ ବର୍ଷ ଧରି ଲାଳନ ପାଳନ କରିଥିବା ଯଶୋଦା ମା’ ଡି ଡାଲେମାଙ୍କୁ ବଳିଆ ଝୁରୁଥିବା ବେଳେ ଜନ୍ମକଲା ମା’ ଅଗଣି ପୁଅକୁ ଫେରି ପାଇଥିବାରୁ ଖୁସିରେ ଆତ୍ମହରା ହୋଇପଡ଼ିଛି।
୨୦୦୪ ମସିହାରେ ରାୟଗଡ଼ା ବସ୍ ଷ୍ଟାଣ୍ଡରେ ୬ ବର୍ଷର ଜଣେ ଶିଶୁପୁତ୍ର କଇଁ କଇଁ ହୋଇ କାନ୍ଦି କାନ୍ଦି ଗଡ଼ି ଯାଉଥିଲା। ବାପା ବାପା କହି ପାଟି କରୁଥିଲା। ଶିଶୁପୁତ୍ରଟିର ବିକଳ ସହି ନପାରି ବସ୍ ଷ୍ଟାଣ୍ଡରେ କଦଳୀ ବିକ୍ରି କରୁଥିବା ଡି. ଡାଲାମା ନାମକ ଜଣେ ବୃଦ୍ଧା ତାଙ୍କ ସ୍ୱାମୀ ଡି. ରାଜାରାଓଙ୍କୁ ଖବର ଦେଇଥିଲେ। ରାୟଗଡ଼ା ବସ୍ ଷ୍ଟାଣ୍ଡରେ କୁଲି କାମ କରୁଥିବା ଡି.ରାଜାରାଓ ପୁଅଟିକୁ କୋଳେଇ ନେଇଥିଲେ।
ଯଦି ଶିଶୁଟିର ପରିବାର ଲୋକ ବସ୍ଷ୍ଟାଣ୍ଡରେ ଆସି ଖୋଜନ୍ତି ତାହାଲେ ତାଙ୍କୁ ତାଙ୍କ ପୁଅ ଫେରାଇ ଦେବେ ବୋଲି ଡି ରାଜାରାଓ ସ୍ଥିର କରିଥିଲେ।
କିନ୍ତୁ ଶିଶୁଟିକୁ କେହି ଖୋଜି ନଥିଲେ। ଶିଶୁଟିର ବୟସ କମ୍ ଥିବାରୁ ସେ ମଧ୍ୟ ତାର ଠିକଣା ଠିକ୍ ଭାବେ କହିପାରୁ ନଥିଲା। ଶେଷରେ ଶିଶୁଟିକୁ ବୁଝାଇ ଘରକୁ ନେଇଗଲେ ସେମାନେ। ଶିଶୁଟି ଡି ଡାଲେମାଙ୍କ ସ୍ନେହଶ୍ରଦ୍ଧାରେ ବାନ୍ଧିହୋଇ ନିଜ ପରିବାରକୁ ଭୁଲିଗଲା। ତା’ର ନା ଥିଲା ବଳିଆ। ବସ୍ ଷ୍ଟାଣ୍ଡରୁ ପାଇଥିବା ଶିଶୁଟିକୁ ନିଜ ପାଖରେ ଅଧିକ ଦିନ ରଖିବାକୁ ଆଇନର ପ୍ରତିବନ୍ଧକ ଉପୁଜିବାରୁ ଡି ଡାଲେମା ବଳିଆଙ୍କୁ ରାୟଗଡ଼ାରେ ଥିବା ଶ୍ରୀଜଗନାଥ ଆଶ୍ରମରେ ଛାଡ଼ିଦେଲେ। ଅନାଥ ଆଶ୍ରମରେ ରହି ପାଠ ପଢ଼ିଲା ବଳିଆ।
ବଳିଆ ଦଶମ ଶ୍ରେଣୀ ପାସ୍ କରିବା ପରେ ଅନାଥ ଆଶ୍ରମର ମାଲିକ ଗୋପିନାଥ ସାହୁ ବଳିଆର ସରଳତା ଓ ପାଠ ପଢ଼ା ପ୍ରତି ଆଗ୍ରହକୁ ଦେଖି ରାୟଗଡ଼ାଠାରେ ଥିବା ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟର ଗୀତମ୍ କଲେଜରେ ଡିପ୍ଲୋମାରେ ନାମ ଲେଖାଇ ଦେଇଥିଲେ। ଇତି ମଧ୍ୟରେ ବଳିଆ ସେହି କଲେଜରୁ ଡିପ୍ଲୋମା ପାସ୍ କରିସାରିଛି।
ବଳିଆର ନିଜ ଘର କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକର କୁମ୍ଭାରୁଣୀ ଗାଁରେ। ବଳିଆଙ୍କ ବଡ଼ବାପା ଉମେଶ ରଥ କୋରାପୁଟର ଦଶମନ୍ତପୁରଠାରେ ରହି ଠାକୁର ପୂଜା କରନ୍ତି। ବଡ଼ଭାଇ ରମେଶଙ୍କ ନିକଟକୁ ୨୦୦୪ ମସିହାରେ ତାଙ୍କ ସାନଭାଇ କୈଳାଶ ରଥ ଗାଁରୁ ତାଙ୍କ ପୁଅ ବଳିଆକୁ ସାଙ୍ଗରେ ନେଇ ଯାଇଥିଲେ।
ମାନସିକ ବିକୃତ କୈଳାଶ କୋରାପୁଟରେ ପହଞ୍ଚିବା ପୂର୍ବରୁ ରାୟଗଡ଼ା ବସ୍ ଷ୍ଟାଣ୍ଡରେ ସମ୍ଭବତଃ ତାଙ୍କର ଏହି ଶିଶୁପୁତ୍ରଟିକୁ ଛାଡ଼ିଦେଇ କେଉଁଆଡ଼େ ଚାଲିଯାଇଛନ୍ତି ଯେ ତାଙ୍କର ଏଯାଏଁ ଖୋଜ ଖବର ନାହିଁ। ସ୍ୱାମୀ କୈଳାଶ ଓ ପୁଅ ବଳିଆର କୌଣସି ସନ୍ଧାନ ନପାଇ ବହୁ ଠାକୁର ଠାକୁରାଣୀଙ୍କ ନିକଟରେ ଅଧିଆ ପଡ଼ିଥିଲେ। କିନ୍ତୁ ଠାକୁର ତାଙ୍କ ଦୁଃଖ ଶୁଣିଲେନି।
ଗତ ୨୦୧୭ ମସିହାରେ ଜଣେ ଯୁବକ ହଠାତ ଅଗଣିଙ୍କ ଘରେ ପହଞ୍ଚିଥିଲେ। ସେ ତାଙ୍କର ହଜିଥିବା ପୁଅ ବୋଲି ପରିଚୟ ଦେଲେ। ଅଗଣି ମଧ୍ୟ ତାଙ୍କୁ ସହଜରେ ଗ୍ରହଣ କରି ନେଇଥିଲେ। ହେଲେ କିଛିଦିନ ରହିବା ପରେ ଯୁବକ ଜଣକ ଅଗଣିଙ୍କଠାରୁ ଟଙ୍କା ପଇସା ଧରି ଚମ୍ପଟ ମାରିଥିଲା।ଏବେ କିନ୍ତୁ ଅଗଣିଙ୍କ କୋଳକୁ ତାଙ୍କର ଜନ୍ମିତ ପୁଅ ବଳିଆ ଫେରି ଆସିଛି।
ବଳିଆ ଦିନେ ତାର ଜଣେ ସାଙ୍ଗକୁ ତା’ର ପିଲାଦିନର କାହାଣୀ କହିଥିଲା। ଘର କଥା କହିବା ସହିତ କୋରାପୁଟରେ ରହୁଥିବା ତାର ବଡ଼ବାପାଙ୍କ କଥା ମଧ୍ୟ ମନେପକାଇ କହିଥିଲା। ଦିନେ ବାଇକରେ ବଳିଆ ତାର ସାଙ୍ଗ ସହ କୋରାପୁଟ ଯାଇଥିଲେ। ଦସମନ୍ତପୁରଠାରେ ରହୁଥିବା ତାଙ୍କର ବଡ଼ବାପା, ବଡ଼ ମା’ ଓ ଭାଇଙ୍କୁ ନିଜର ପରିଚୟ ଦେବା ପରେ ବଡ଼ବାପା ଉମେଶ ରଥ ହଜିଥିବା ବଳିଆଙ୍କୁ ଚିହ୍ନିପାରିଲେ। ଏ ସମ୍ପର୍କରେ ଉମେଶ ତତକ୍ଷଣାତ ଗାଁରେ ରହୁଥିବା ତାଙ୍କ ଭାଇବୋହୂ ଅଗଣିଙ୍କ ନିକଟକୁ ଖବର ଦେଇଥିଲେ। ଅଗଣି ତାଙ୍କ ବଡ଼ପୁଅ ରାଜେନ୍ଦ୍ରକୁ ସାଙ୍ଗରେ ନେଇ ପହଞ୍ଚି ଯାଇଥିଲେ କୋରାପୁଟରେ। କୋରାପୁଟରେ ବଳିଆଙ୍କୁ ପାଇ ଭାବ ବିହ୍ୱଳ ହୋଇପଡ଼ିଥିଲେ ଉଭୟ ମା’ ଓ ପୁଅ।
୧୪ ବର୍ଷ ପରେ ହଜିଲା ପୁଅକୁ ଦେଖି ମା’ ଭାବବିହ୍ୱଳ ହୋଇଯାଇଥିଲେ। ଉଭୟଙ୍କ ଆଖିରୁ ବହି ଯାଉଥିଲା ଆନନ୍ଦର ଲୁହ। ପୁଅ ଠାରୁ ସମସ୍ତ କାହାଣୀ ଶୁଣିବା ପରେ ଉମେଶଙ୍କୁ ସାଥିରେ ନେଇ ରାୟଗଡ଼ା ଆସିଥିଲେ ଅଗଣି। ରାୟଗଡ଼ାରେ ବଳରାମଙ୍କ ପାଳିତା ମା ଡି. ଡାଲେମା ଓ ପାଳିତା ପିତା ଡି. ରାଜାରାଓଙ୍କୁ ଭେଟିଥିଲେ। ଶେଷରେ ବଳିଆଙ୍କର ସମସ୍ତ ପାରିବାରିକ ସମ୍ପର୍କକୁ ବୁଝାବୁଝି କରି ସାରିବା ପରେ ଅଗଣିଙ୍କୁ ତାଙ୍କର ହଜିବା ପୁଅକୁ ଫେରେଇ ଦେବାକୁ ରାଜି ହୋଇଥିଲେ ଡି. ଡାଲେମା।
୧୪ ବର୍ଷ ପରେ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକର ନିଜ ଜନ୍ମ ମାଟିରେ ପାଦ ଦେଇଛନ୍ତି ବଳିଆ। ଗାଁଠାରୁ ଆଖପାଖ ତିନିଗାଁର ଲୋକେ ରୁଣ୍ଡ ହେଉଛନ୍ତି ଅଗଣିଙ୍କ ଘରେ। ହଜି ଯାଇଥିବା ବଳିଆ ବଡ଼ ହୋଇ ପୁଣି ତାଙ୍କ ଗାଁକୁ ଫେରିଥିବାରୁ ଗାଁ ଲୋକଙ୍କ ମନରେ ଆନନ୍ଦର ସୀମା ନାହିଁ। ଏପଟେ ପାଳିତା ମା’ ଡି. ଡାଲେମାଙ୍କୁ ଝୁରି ହେଉଛି ବଳିଆ। ହେଲେ ବଳିଆଙ୍କୁ ହଜେଇ ଦେଇଥିବା ତାଙ୍କର ବାପା କୈଳାଶଙ୍କର ପତ୍ତା ମିଳୁନି।

















