ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଲଗାତାର ୫ ଥର ମୂଳ ଦରମା ବୃଦ୍ଧିରେ ରୋକ
  • ଚାକିରି କାଳ ମଧ୍ୟରେ ହୋଇଥିବା ନିଲମ୍ବନ ଦିନଗୁଡ଼ିକୁ ନିୟମିତ କରାଯିବ ନାହିଁ
  • ୨୫୭ ସହକାରୀ ଶିକ୍ଷକଙ୍କୁ ପ୍ରଧାନଶିକ୍ଷକ ପଦବୀକୁ ପଦୋନ୍ନତି ଦେବା ଅଭିଯୋଗ

କେନ୍ଦ୍ରାପଡ଼ା ଜିଲ୍ଲା ଶିକ୍ଷା ଅଧିକାରୀ ଭାବରେ କାର୍ଯ୍ୟ କରୁଥିବା ଡକ୍ଟର ଉଦୟନାଥ ମାଝିଙ୍କ ବିରୋଧରେ ଆସିଛି ଗୁରୁତର ଅଭିଯୋଗ। ଏଥିପାଇଁ ତାଙ୍କୁ ବିଭିନ୍ନ ଦଣ୍ଡରେ ଦଣ୍ଡିତ କରିଛନ୍ତି ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ।

ଉଦୟନାଥ ୧୯୯୭ ମସିହାରେ ଯାଜପୁର-୨ ଜିଲ୍ଲା ଶିକ୍ଷା ପରିଦର୍ଶକ ଥିବା ବେଳେ ୨୫୭ ଜଣ ସହକାରୀ ଶିକ୍ଷକଙ୍କୁ ପ୍ରଧାନ ଶିକ୍ଷକ ପଦବୀକୁ ପଦୋନ୍ନତି ଦେଇଥିଲେ। ଏହା ତାଙ୍କର କ୍ଷମତା ପରିସର ବାହାରେ ରହିଥିଲା। ଏହି ଘଟଣା ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଦୃଷ୍ଟିକୁ ଆସିବା ପରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଶ୍ରୀ ମାଝିଙ୍କ ଉପରେ ଏକ ଚାର୍ଜ ଫ୍ରେମ କରିଥିଲେ।

ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତାଙ୍କ ଉପରେ ଏହି ବେଆଇନ ଚାର୍ଜ ଫ୍ରେମ କରିଥିବା ଦର୍ଶାଇ ଶ୍ରୀ ମାଝି ରାଜ୍ୟ ପ୍ରାଶାସନିକ ଟ୍ରିବ୍ୟୁନାଲର ଆଶ୍ରୟ ନେଇଥିଲେ। ରାଜ୍ୟ ପ୍ରାଶାସନିକ ଟିବ୍ୟୁନାଲ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଏହି ବେଆଇନ ଚାର୍ଜ ଫ୍ରେମ ଆଦେଶକୁ ନାକଚ କରି ଦେଇଥିଲେ। ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଟିବ୍ୟୁନାଲଙ୍କ ଏହି ଆଦେଶକୁ ନେଇ ଉଚ୍ଚନ୍ୟାୟାଳୟରେ ଅପିଲ କରିଥିଲେ। ଉଚ୍ଚ ନ୍ୟାୟାଳୟ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଚାର୍ଜ ଫ୍ରେମ ଆଦେଶକୁ କାଏମ ରଖି ରାଜ୍ୟ ପ୍ରାଶାସନିକ ଟ୍ରିବ୍ୟୁନାଲଙ୍କ ଆଦେଶକୁ ଖାରଜ କରିଦେଇଥିଲେ।

ହାଇକୋର୍ଟଙ୍କ ଆଦେଶ ବଳରେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏହି ଘଟଣାରେ ତଦନ୍ତ କରିବାକୁ ରାଜ୍ୟ ଟିଇ ଆଣ୍ଡ ଏସ୍ଇଆରଟିର ନିର୍ଦ୍ଦେଶକଙ୍କୁ ଦାୟିତ୍ୱ ଦେଇଥିଲେ। ଟିଇ ଆଣ୍ଡ ଏସ୍ଇଆରଟିର ନିର୍ଦ୍ଦେଶକ ରାଜ୍ୟ ସରକାରଙ୍କୁ ତାଙ୍କର ରିପୋର୍ଟ ପ୍ରଦାନ କରିଥିଲେ। ତଦନ୍ତରେ ଶ୍ରୀ ମାଝି ଦୋଷୀ ସାବ୍ୟସ୍ତ ହୋଇଥିଲେ। ଶ୍ରୀ ମାଝି ମଧ୍ୟ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ପ୍ରଦାନ କରିଥିବା ରିପୋର୍ଟରେ ସ୍ଥାନୀୟ ଶିକ୍ଷକ ସଂଘମାନଙ୍କ ଚାପରେ ସେ ଏହି ପଦୋନ୍ନତି ଆଦେଶ ଦେଇଥିବା ସ୍ୱୀକାର କରିଛନ୍ତି।

ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଗତ ୨୭.୭.୨୦୧୮ ତାରିଖରେ ତାଙ୍କର ନୋଟିସ ନମ୍ବର ଏସ୍‌ଏମ୍‌ଇ-ଏଫ୍‌ଇ-ଓଇଏସ୍-୦୧୪୭-୨୦୧୭-୧୬୩୩୩/ଏସ୍‌ଏମ୍‌ଇରେ ଡ. ଉଦୟନାଥ ମାଝି କେନ୍ଦ୍ରାପଡା ଜିଲା ଶିକ୍ଷା ଅଧିକାରୀଙ୍କ ଠିକଣାରେ କେନ୍ଦ୍ରାପଡ଼ା ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟକୁ ପଠାଇଛନ୍ତି। ନୋଟିସ ଗ୍ରହଣ କରିବାର ୩୦ ଦିନ ମଧ୍ୟରେ ଶ୍ରୀ ମାଝିଙ୍କୁ ତାଙ୍କର ପକ୍ଷ ରଖିବାକୁ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କହିଛନ୍ତି।

ଇତି ମଧ୍ୟରେ ଉଦୟନାଥଙ୍କର ଓପେପାର ଅତିରିକ୍ତ ନିର୍ଦ୍ଦେଶକ ଭାବରେ ବଦଳି ହୋଇ ଯାଇଛି।

Comment