ଓଡ଼ିଶାଲାଇଭ୍‌ ବ୍ୟୁରୋ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ସବ୍ ଜେଲରେ ଅନୁଷ୍ଠିତ ହେଲା କ୍ୟାମ୍ପ କୋର୍ଟ। ୧୫୭ ଜଣ ବିଚାରାଧୀନ କଏଦୀମାନଙ୍କୁ ମିଳିଲା ଜାମିନ। ଗତ ଅଗଷ୍ଟ ୨୯ ତାରିଖରୁ ଓକିଲମାନଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଯୋଗୁଁ ଅଚଳ ରହିଛି କୋର୍ଟ।

କଟକରେ ଜଣେ ଓକିଲଙ୍କୁ ପୋଲିସର ମାଡ଼ ଅଭିଯୋଗରେ ସାରା ରାଜ୍ୟରେ ଓକିଲମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଫଳରେ ରାଜ୍ୟର ସମସ୍ତ କୋର୍ଟ ଅଚଳ ହୋଇପଡ଼ିଛି। ବିଭିନ୍ନ ଅପରାଧିକ ମାମଲାରେ ପୋଲିସ ଦ୍ୱାରା ଗିରଫ ହୋଇ କୋର୍ଟ ଚାଲାଣ ହେଉଥିବା ଅଭିଯୁକ୍ତମାନଙ୍କର ବିଚାର ହୋଇ ପାରୁନାହିଁ। ଓକିଲ ଆନ୍ଦୋଳନ ଯୋଗୁଁ ରାଜ୍ୟର ବିଭିନ୍ନ ଜେଲରେ କଏଦୀମାନଙ୍କ ସଂଖ୍ୟା ଅହେତୁକ ଭାବରେ ବଢ଼ି ଚାଲିଛି। ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା ହାଇକୋର୍ଟ ପ୍ରତି ଜେଲ୍‌ରେ କ୍ୟାମ୍ପ କୋର୍ଟ ଖୋଲିବା ପାଇଁ ଗତ ଶନିବାର ଦିନ ସମସ୍ତ ଜିଲ୍ଲା ଏବଂ ଦୌରା ଜଜ୍‌ଙ୍କୁ ନିର୍ଦ୍ଦେଶ ଦେଇଥିଲେ। କ୍ୟାମ୍ପ କୋର୍ଟ ଖୋଲି ଜାମିନ ପାଇବାକୁ ଯୋଗ୍ୟ ଅଭିଯୁକ୍ତମାନଙ୍କୁ ତୁରନ୍ତ ଜାମିନ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ଏହି କ୍ରମରେ ଆଜି କେନ୍ଦ୍ରାପଡ଼ା ସବ୍ ଜେଲ ମଧ୍ୟରେ କ୍ୟାମ୍ପ କୋର୍ଟ ଖୋଲିଥିଲା। କେନ୍ଦ୍ରାପଡ଼ା ଜିଲ୍ଲା ଓ ଦୌରା ଜଜ୍‌ଙ୍କଠାରୁ ଆରମ୍ଭ କରି ଜେଏମ୍‌ଏଫ୍‌ସି କୋର୍ଟର ବିଚାରପତିମାନେ ଉପସ୍ଥିତ ରହି ବିଭିନ୍ନ ଦିଗକୁ ବିଚାର କରି ୧୫୭ ଜଣ ବିଚାରାଧୀନ କଏଦୀମାନଙ୍କୁ ଜାମିନ ପ୍ରଦାନ କରିଛନ୍ତି।

କେନ୍ଦ୍ରାପଡ଼ା ଜିଲ୍ଲାର ବାରିମୂଳଠାରେ ଥିବା ସବ୍ ଜେଲର କ୍ଷମତା ୧୯୨ ରହିଥିବା ବେଳେ ଓକିଲ ଆନ୍ଦୋଳନ ଯୋଗୁଁ କଏଦୀ ସଂଖ୍ୟା ୪୫୯ରେ ପହଞ୍ଚିଥିଲା। ଫଳରେ ଦୈନିକ ଜେଲ ମଧ୍ୟରେ ଛୋଟବଡ଼ ଗଣ୍ଡଗୋଳ ସୃଷ୍ଟି ହେଉଥିଲା।

ସୋମବାରଠାରୁ ଆରମ୍ଭ ହୋଇଥିବା କ୍ୟାମ୍ପ କୋର୍ଟ ଓକିଲମାନଙ୍କର ଆନ୍ଦୋଳନ ପ୍ରତ୍ୟାହାର ନହେବା ଯାଏଁ ଚାଲୁ ରହିବ ବୋଲି ସବ୍ ଜେଲ୍‌ର ସୁପରିଟେଣ୍ଡେଣ୍ଟ ସରୋଜ କୁମାର ବିଶ୍ୱାଳ ପ୍ରକାଶ କହିଛନ୍ତି।

Comment