ଓଡ଼ିଶାଲାଇଭ୍‌ ବ୍ୟୁରୋ

ଛତିଶଗଡ଼ରେ ନିର୍ବାଚନ ସଂକ୍ରାନ୍ତୀୟ ଖବର ସଂଗ୍ରହ କରିବା ବେଳେ ଦୂରଦର୍ଶନ ଟିମ୍‌ ଉପରେ ମାଓ ହମ୍‌ଲା।

ଛତିଶଗଡ଼ରେ ବାଜିଛି ନିର୍ବାଚନ ବିଗୁଲ୍। ମାଓ ଅଧ୍ୟୁଷିତ ରାଜ୍ୟ ଛତିଶଗଡ଼ରେ ନଭେମ୍ବର ୧୧ ତାରିଖରେ ହେବ ବିଧାନସଭା ନିର୍ବାଚନ। ନକ୍ସଲ ପ୍ରଭାବିତ ଛତିଶଗଡ଼ର ଦାନ୍ତେୱାଡ଼ାରେ ଉନ୍ନୟନମୂଳକ କାମ କେତେଦୂର ହୋଇଛି ଏବଂ ନିର୍ବାଚନ ମାହୋଲ କେମିତି ଅଛି ସେନେଇ ନୂଆଦିଲ୍ଲୀରୁ ଖବର ସଂଗ୍ରହ କରିବାକୁ ଦୂରଦର୍ଶନର ତିନି ଜଣିଆ ଟିମ୍ ଆସିଥିଲେ।

ବିଡ଼ମ୍ବନାର ବିଷୟ ଖବର ସଂଗ୍ରହ କରୁଥିବା ବେଳେ ଦୂରଦର୍ଶନ ଟିମ୍‌କୁ ମାଓବାଦୀ ଟାର୍ଗେଟ କରିଥିଲେ। ମାଓବାଦୀଙ୍କ ଗୁଳିରେ ଟଳି ପଡ଼ିଛନ୍ତି ଦୂରଦର୍ଶନର କ୍ୟାମେରାମ୍ୟାନ ଅଚ୍ୟୁତାନନ୍ଦ ସାହୁ। ତାଙ୍କ ଘର ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକର ଘୁଷୁରାମୁଣ୍ଡା ଗାଁରେ।

ଅଚ୍ୟୁତାନନ୍ଦ ଦୂରଦର୍ଶନରେ ଗ୍ରେଡ୍-୨ ଭିଡିଓ ଜର୍ଣ୍ଣାଲିଷ୍ଟ ଭାବେ କାମ କରୁଥିଲେ। ତାଙ୍କୁ ସରକାର ସହିଦର ମାନ୍ୟତା ଦେଇଛନ୍ତି। କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ତାଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରାଯାଇଛି।

ନକ୍ସଲ ପ୍ରଭାବିତ ଦାନ୍ତେୱାଡ଼ାରେ ଖବର ସଂଗ୍ରହ କରୁଥିବା ଦୂରଦର୍ଶନ ଟିମ୍‌କୁ ସହାୟତା କରୁଥିଲେ ସୁରକ୍ଷା କର୍ମୀ। କିନ୍ତୁ ଖବର ସଂଗ୍ରହ କରୁ କରୁ ସେମାନେ ମାଓବାଦୀଙ୍କ ଆମ୍ବୁସ୍ ଭିତରେ ଫସି ଯାଇଥିଲେ।

ଦୂରଦର୍ଶନ ଟିମ୍ ଏବଂ ସୁରକ୍ଷା କର୍ମୀଙ୍କ ଉପରକୁ ଗୁଳି ଚାଳନା କରିଥିଲେ ମାଓବାଦୀ। ସୁରକ୍ଷା କର୍ମୀମାନେ ପାଲଟା ଗୁଳି ଚାଳନା କରିଥିଲେ। ହେଲେ ମାଓବାଦୀଙ୍କ ଗୁଳିରେ ଦୁଇ ସୁରକ୍ଷା କର୍ମୀଙ୍କ ସମେତ ଦୂରଦର୍ଶନର କ୍ୟାମେରାମ୍ୟାନ ଅଚ୍ୟୁତାନନ୍ଦ ଟଳି ପଡ଼ିଥିଲେ। ସହିଦ ଦୁଇ ଯବାନ ହେଉଛନ୍ତି ଏଏସ୍‌ଆଇ ରୁଦ୍ର ପତାପ ଏବଂ ଇନ୍ସପେକ୍ଟର ମଙ୍ଗଲରାମ।

ମାଓବାଦୀଙ୍କ ଗୁଳିରେ ଦୂରଦର୍ଶନ ଟିମ୍‌ର ଜଣେ ସଦସ୍ୟ ଏବଂ ଦୁଇ ଜଣ ସୁରକ୍ଷା କର୍ମୀ ଆହତ ହୋଇଛନ୍ତି।

ମାଓବାଦୀଙ୍କର ଏଭଳି ଆକ୍ରମଣକୁ କଡ଼ା ଭାଷାରେ ନିନ୍ଦା କରିଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂ।

ସେ କହିଛନ୍ତି, “ଦୂରଦର୍ଶନର କ୍ୟାମେରାମ୍ୟାନ ଏବଂ ସୁରକ୍ଷା କର୍ମୀମାନେ ସେମାନଙ୍କ କର୍ତ୍ତବ୍ୟ କରୁଥିଲେ। ନିର୍ବାଚନ ସଂକ୍ରାନ୍ତୀୟ ଖବର ସଂଗ୍ରହ କରୁଥିବା ବେଳେ ଏହି ଆକ୍ରମଣ କରିଛନ୍ତି ମାଓବାଦୀ। ଏହା ଅତି ନିନ୍ଦନୀୟ। ମାଓବାଦୀମାନେ ଦୂରଦର୍ଶନ ଟିମ୍ ଏବଂ ସୁରକ୍ଷା କର୍ମୀମାନଙ୍କ ଉପରେ କେବଳ ଆକ୍ରମଣ କରି ନାହାନ୍ତି, ସେମାନେ ଭାରତୀୟ ଗଣତନ୍ତ୍ର ଉପରେ ଆକ୍ରମଣ କରିଛନ୍ତି।”

Comment