ଓଡ଼ିଶାଲାଇଭ୍ ବ୍ୟୁରୋ

ଉଛୁଳି ପଡ଼ୁଛି କେନ୍ଦ୍ରାପଡ଼ା ସହର। ବାଜା ବାଜଣା ସାଙ୍ଗକୁ ଘଣ୍ଟ ଘଣ୍ଟାର ଶବ୍ଦରେ କମ୍ପୁଛି ସହର। ସକାଳ ୯ଟା ଠାରୁ ପୁରୁଣା ମଟରଷ୍ଟାଣ୍ଡ ଥାନପତି ବାହାରି ସାହି ପରିକ୍ରମା କରି କେଶପୁର ବଜାର ମେଳଣ ପଡ଼ିଆରେ ଭୋଗଖାଇ ସାରିଲେଣି। ଏପଟେ ନୁଆ ମଟରଷ୍ଟାଣ୍ଡ ଥାନପତି ଗଜଲକ୍ଷ୍ମୀ ମେଢ଼ ପୁରୁଣା ମଟରଷ୍ଟାଣ୍ଡ ଆଡେ ବାହାରି ଚାଲିଛନ୍ତି। ପରେପରେ କାକଟ ମଙ୍ଗଳା ଗଜଲକ୍ଷ୍ମୀ ପୁରୁଣା ମଟରଷ୍ଟାଣ୍ଡ ମେଳଣ ପଡ଼ିଆ ଆଡ଼େ ବାହାରି ସାରିଛନ୍ତି।

ପ୍ରାୟ ସମସ୍ତ ପୂଜା ମଣ୍ଡପ ଛାଡ଼ି ସାରିଲେଣି ମେଢ଼ମାନେ। ନୂଆ ମଟରଷ୍ଟାଣ୍ଡ ପଟୁ ୨୫ଟି ମେଢ଼ ରହିଥିବା ବେଳେ ସାନ୍ତସାହି ପାଖରେ ରହିଛନ୍ତି ୨୧ଟି ମେଢ଼। ପାଗ ଅନୁକୂଳ ରହିଥିବାରୁ ସାରା ଜିଲ୍ଲାର ବିଭିନ୍ନ ଅଞ୍ଚଳ ସହିତ ବାହାର ଜିଲ୍ଲାରୁ ଦର୍ଶକ ମାନେ ଗଜଲକ୍ଷ୍ମୀଙ୍କ ମେଳଣ ଦେଖିବାକୁ ପହଞ୍ଚିଛନ୍ତି କେନ୍ଦ୍ରାପଡ଼ାରେ।

ବହୁ ମେଢ଼ମାନଙ୍କରେ ଆନ୍ଧ୍ର ଓ ବ୍ରହ୍ମପୁରରୁ ନାମୀଦାମୀ ବାଦ୍ୟ ବାଦକ ଦଳ ମେଳଣରେ ସାମିଲ ହୋଇଛନ୍ତି। ରଙ୍ଗୀନ ଆଲୋକ ସଜ୍ଜାରେ ଠାକୁରାଣୀ ମେଢ଼ ଉପରେ ଢଳିଢଳି ଯାଉଥିବା କମନିୟ ଦୃଶ୍ୟ ଦର୍ଶକ ମାନଙ୍କୁ ଆନମନା କରୁଛି। ସହରରେ ଅନୁଷ୍ଠିତ ଏହି ମେଳଣ ଉତ୍ସବରେ ଯୋଗ ଦେଉଥିବା ମେଢ଼ମାନଙ୍କ ମଧ୍ୟରେ ପୁରୁଣା ମଟରଷ୍ଟାଣ୍ଡ ଥାନପତି ଗଜଲକ୍ଷ୍ମୀ, ନୁଆ ମଟରଷ୍ଟାଣ୍ଡ ଥାନପତି ଗଜଲକ୍ଷ୍ମୀ ଓ କାକଟ ମଙ୍ଗଳା ଗଜଲକ୍ଷ୍ମୀଙ୍କୁ ଭକ୍ତମାନେ ନିଜ କାନ୍ଧରେ ବୁହାଇ ନେବାର ଅନନ୍ୟ ପରମ୍ପରା ରହିଛି।

ବ୍ରିଟିଶ ଅମଳରୁ କାକଟ ମଙ୍ଗଳା ମେଢ଼ ନିକଟରେ ଚାଲି ଆସୁଥିବା ଆଖଡ଼ା ଖେଳ ଏବେବି ଚାଲୁ ରହିଛି। ଏଥିରେ ମୁଦ୍ଗର ଖେଳ, ଢାଲ ଓ ଖଣ୍ଡା ଖେଳ, ବାଡି ଖେଳ, ନିଆଁ ଖେଳ, ଛୁରୀଖେଳ ଆଦି ପ୍ରଦର୍ଶନ କରାଯାଇ ଆସୁଅଛି।

ଏହି ମେଳଣ ସମୟରେ ମେଢ଼ ନିକଟରେ ବୁଢ଼ାଠାରୁ ଆରମ୍ଭ କରି ପିଲା ଯାଏଁ ଏକାଠି ମିଶି ଆଖଡ଼ା ଖେଳିବାର ପରମ୍ପରା ରହିଛି। ଏହି ଆଖଡ଼ା ଖେଳ ପ୍ରଥମେ କାକଟ ମଙ୍ଗଳା ଠାରୁ ପୁରୁଣା ମଟରଷ୍ଟାଣ୍ଡ ପର୍ଯ୍ୟନ୍ତ ଖେଳା ଯାଉଥିଲା କିନ୍ତୁ ଗଣ୍ଡଗୋଳ ହେବାରୁ ପ୍ରଶାସନ ଆଖଡ଼ା ଖେଳକୁ ବନ୍ଦ କରି ଦେଇଥଲେ। କେବଳ ଠାକୁରାଣୀଙ୍କ ମେଢ଼ ବାହାରିବା ସମୟରେ କେବଳ କାକଟ ମଙ୍ଗଳାଙ୍କ ଛାମୁରେ ଆଖଡ଼ା ଖେଳକୁ ସିମିତ କରାଯାଇଛି।

ବୁଧବାର ରାତି ୧୨ ଟା ସୁଦ୍ଧା କେଶପୁର ବଜାର ମେଳଣ ପଡ଼ିଆରୁ ପୁରୁଣା ମଟରଷ୍ଟାଣ୍ଡ ମେଳଣ ପଡ଼ିଆ ଓ ନୂଆ ମଟରଷ୍ଟାଣ୍ଡ ପଟୁ ପୁରୁଣା ମଟରଷ୍ଟାଣ୍ଡ ମେଳଣ ପଡ଼ିଆରେ ସମସ୍ତ ମେଢ଼ମାନେ ପହଞ୍ଚିବାକୁ ପ୍ରଶାସନ ସମୟ ନିର୍ଘଣ୍ଟ କରିଛନ୍ତି। ଲକ୍ଷାଧିକ ଭକ୍ତମାନଙ୍କ ଘହଳି ଲାଗିରହିଥିବାରୁ ବ୍ୟାପକ ପୋଲିସ ବ୍ୟବସ୍ଥା କରିଛି ପ୍ରଶାସନ। ଜନଗହଳି ବଢିଯାଇଥିବାରୁ ନିର୍ଦ୍ଧାରିତ ସମୟ ନିର୍ଘଣ୍ଟ ମଧ୍ୟରେ ମେଢ଼ମାନେ ମେଳଣ ପଡିଆରେ ପହଞ୍ଚିବା ଉପରେ ସନ୍ଦେହ ସୃଷ୍ଟି ହୋଇଛି। ଯଦି ମେଢ଼ମାନେ ନିର୍ଦ୍ଧାରିତ ସମୟରେ ପହଞ୍ଚି ପାରିବେ ତେବେ ଗୁରୁବାର ସକାଳ ୧୦ଟାରେ ମେଢ଼ମାନଙ୍କ ନିକଟରେ ସମୁହ ଭୋଗଲାଗି ହୋଇପାରିବ।

କେନ୍ଦ୍ରାପଡ଼ା ଜିଲ୍ଲାପାଳ ଦାଶରଥୀ ଶତପଥୀ ଓ ଏସପି ନିତିଶେଖର ପୁରୁଣା ମଟରଷ୍ଟାଣ୍ଡ ମେଳଣ ପଡ଼ିଆର କଣ୍ଟ୍ରୋଲ ରୁମରେ ବସି ମେଳଣରେ ଶାନ୍ତି ଶୃଙ୍ଖଳା ରକ୍ଷା ଉପରେ ମନିଟରିଂ କରୁଛନ୍ତି।

Comment