ଓଡ଼ିଶାଲାଇଭ୍‌ ବ୍ୟୁରୋ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲରେ ଅଭାବନୀୟ ଘଟଣା ଘଟିଛି। ବାର୍‌ହା ଶିକାର ପାଇଁ ବିଦ୍ୟୁତ ତାର ବିଛାଇଥିବା ଶିକାରୀ ସମେତ ବାର୍‌ହାର ମୃତ୍ୟୁ ଘଟିଛି।

ଜିଲ୍ଲାର ବିଭିନ୍ନ ଜଙ୍ଗଲରେ ବାର୍‌ହାମାନଙ୍କ ସଂଖ୍ୟା ବଢ଼ି ଚାଲିଛି। ବାର୍‌ହାମାନେ ଅନେକ ସମୟରେ ଜଙ୍ଗଲ ପାଖ ଗାଁରେ ପଶି ବିଲବାଡ଼ିରୁ ଫସଲ ନଷ୍ଟ କରିବାରେ ଲାଗିଛନ୍ତି। ଏପରିକି ବାର୍‌ହା ଆକ୍ରମଣରେ ପ୍ରତି ବର୍ଷ ବହୁ ଲୋକ ମୃତାହତ ହେବାରେ ଲାଗିଛନ୍ତି। ଖାଲି ବାରାହା ଲୋକ ମାନଙ୍କୁ ଆକ୍ରମଣ କରୁନାହାନ୍ତି, ଲୋକମାନେ ମଧ୍ୟ ବାର୍‌ହା ଶିକାର କରି ନିଜ ଗାଁରେ ବେପାର କରିବା ସହିତ ବାର୍‌ହା ମାଂସକୁ ବାହାରକୁ ଚାଲାଣ କରି ଭଲ ଦି ପଇସା କମାଉଛନ୍ତି।

ଶୁକ୍ରବାର ମହାକାଳପଡା ବ୍ଲକ ଜମ୍ବୁ ରେଞ୍ଜରେ ରହିଥିବା ଜମ୍ବୁ ପଞ୍ଚାୟତର ପୂର୍ବ ବେଲାରୀ ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା। ବାର୍‌ହା ଶିକାର କରିବାକୁ ନିଜ ବାଡ଼ି ପାଖରେ ଥିବା ଏକ ଧାନ ବିଲରେ ବିଦ୍ୟୁତ ତାର ବିଛାଇଥିଲା ଜଣେ ଶିକାରୀ। ବାର୍‌ହା ପାଇଁ ତାର ବିଛାଇବା ଶିକାରୀ ବିଜୁ ମିର୍ଦ୍ଦା ପାଇଁ ମହଙ୍ଗା ପଡ଼ିଛି। ବାର୍‌ହା ସହିତ ନିଜେ ବିଜୁ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ପ୍ରାଣ ହରାଇଛନ୍ତି।

ବିଜୁ ମିର୍ଦ୍ଦାର ବାଡ଼ି ପାଖରେ ଏକ ଧାନ କିଆରି ରହିଛି। ପ୍ରତିଦିନ ପାଖ ଜଙ୍ଗଲରୁ ଧାନ କିଆରିକୁ ବାର୍‌ହାମାନେ ଆସନ୍ତି। ବାର୍‌ହାମାନେ ଆସୁଥିବା ବାଟରେ ବିଜୁ ଗତ ଗୁରୁବାର ରାତିରେ ନିକଟସ୍ଥ ବିଦ୍ୟୁତ ଖୁଣ୍ଟରୁ ତାର ଟାଣି ବାରହା ଶିକାର କରିବାକୁ ଖୋଲା ଲୁହା ତାର ବିଛାଇଥିଲା। ବିଳମ୍ବିତ ରାତିରେ ସେହି ବାଟରେ ବାର୍‌ହା ଧାନ ବିଲକୁ ଆସିବା ବେଳେ ବିଦ୍ୟୁତ ତାରରେ ଛନ୍ଦି ହୋଇ ଛାଟିପିଟି ହୋଇ ରଡ଼ି ଛାଡ଼ିଥିଲା। ବାର୍‌ହା ଶିକାର ହୋଇଗଲା ବୋଲି ଭାବି ଘରେ ଥିବା ବିଜୁ ମିର୍ଦ୍ଦା ତତକ୍ଷଣାତ୍ ଘଟଣାସ୍ଥଳକୁ ଧାଇଁ ଯାଇଥିଲା। ବାର୍‌ହାଟି ସେତେବେଳକୁ ବିଦ୍ୟୁତ ତାରରେ ଲାଗି ମରି ସାରିଥିଲା।

ତାରରୁ ବିଦ୍ୟୁତ ସଂଯୋଗ ନକାଟି ଅନ୍ୟମନସ୍କ ଭାବରେ ବାର୍‌ହାଟିକୁ ଧରିବା ସମୟରେ ବିଜୁ ମଧ୍ୟ ସେହି ତାରରେ ଛନ୍ଦି ହୋଇଯାଇଥିଲା। ବାର୍‌ହା ପରି ବିଜୁ ମଧ୍ୟ ବାଡ଼େଇ କଚାଡ଼ି ହୋଇ ଚିତ୍କାର କରିବାକୁ ଲାଗିଲା। ବିଜୁର ଚିତ୍କାର ଶୁଣି ପରିବାର ଲୋକେ ପାଖ ଘର ଲୋକମାନଙ୍କୁ ଡାକ ପକାଇଥିଲେ। ପାଖ ପଡିଶା ଲୋକେ ଘଟଣା ସ୍ଥଳରେ ପହଞ୍ଚି ବିଜୁ ବିଦ୍ୟୁତ ତାରରେ ଛନ୍ଦି ହୋଇ ପଡିଥିବା ଜାଣି ଖୁଣ୍ଟରୁ ବିଦ୍ୟୁତ ବିଛିନ୍ନ କରି ଦେଇଥିଲେ। ସେତେବେଳକୁ ବିଜୁ ମିର୍ଦ୍ଦାର ପ୍ରାଣବାୟୁ ଚାଲି ଯାଇଥିଲା।

ଜମ୍ବୁ ଫରେଷ୍ଟ ରେଞ୍ଜରେ ଏକ ଅପମୃତ୍ୟୁ ମାମଲା ଋଜୁ କରାଯାଇ ମୃତ ବାର୍‌ହାର ଶବ ବ୍ୟବଚ୍ଛେଦ କରାଯାଇ ପୋତି ଦିଆଯାଇଛି। ଅନ୍ୟ ପକ୍ଷରେ ଜମ୍ବୁ ସାମୁଦ୍ରିକ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ବିଜୁ ମିର୍ଦ୍ଦାର ଶବ ବ୍ୟବଚ୍ଛେଦ ପାଇଁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରାଖାନାକୁ ପଠାଇଛି ପୋଲିସ।

୨୦୧୭ ମସିହାରେ ଏହି ମହାକାଳପଡ଼ା ବ୍ଲକର ଜଗତଯୋର ଜଙ୍ଗଲରେ ବିଦ୍ୟୁତ ତାର ବିଛାଇ ବାର୍‌ହା ଶିକାର କରିବାକୁ ଯାଇଥିବା ବିଲ ଲାଞ୍ଜୁଡା ଗାଁର ସୁଧାଂଶୁ ସେଠୀ ନାମକ ଜଣେ ଯୁବକଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା।

Comment