ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚାଷୀଙ୍କୁ ନେଇ ରାଜଧାନୀରେ ହାଇଭୋଲଟେଜ ଡ୍ରାମା। ଜାତୀୟ ରାଜପଥ ପାଲଟିଲା ରଣକ୍ଷେତ୍ର।

ଚାଷୀଙ୍କୁ ଡରିଲେ ସରକାର! ରାଜଧାନୀ ଭୁବନେଶ୍ୱରରେ ଅନ୍ନଦାତାଙ୍କୁ ପୂରାଇ ଦେଲେନି। ପୋଲିସ ଲଗାଇ ରାଜଧାନୀର ପ୍ରବେଶ ପଥରେ ଅଟକାଇଲେ। ଶେଷରେ ଚାଷୀ ଜାତୀୟ ରାଜପଥ ଅବରୋଧ କରିବାରୁ ପୂରା ରାଜଧାନୀରେ ଅଚଳାବସ୍ଥା ସୃଷ୍ଟି ହେଲା। ଜାତୀୟ ରାଜପଥରେ ଅଟକି ରହିଲା ଶହଶହ ଗାଡ଼ି।

ଚାଷୀ ଆନ୍ଦୋଳନ ଏବଂ ଟ୍ରାଫିକ ଜାମ୍‌କୁ ନେଇ ପୋଲିସ ପ୍ରଶାସନ ନାକେଦମ ହୋଇଯାଇଥିଲା। ଚାଷୀ ସେମାନଙ୍କ ଜିଦରେ ଅଟଳ ରହିଥିବା ବେଳେ ପୋଲିସ ଘାଣ୍ଟି ହୋଇଯାଇଥିଲା।

ଚାଷୀଙ୍କୁ ଡର କାହିଁକି?

ନବ ନିର୍ମାଣ କୃଷକ ସଙ୍ଗଠନ ପ୍ରାଇସ୍, ପ୍ରେଷ୍ଟିଜ ଓ ପେନସନ ଦାବିରେ ବାରମ୍ବାର ଆନ୍ଦୋଳନକୁ ଓହ୍ଲାଇଛି। ବିଭିନ୍ନ ଜିଲ୍ଲାରେ ଆନ୍ଦୋଳନ କରି ସରକାରଙ୍କ ନିଦ ହଜାଇ ଦେଇଛି। ଗତ ମାର୍ଚ୍ଚ ମାସରେ ଚାଷୀମାନେ ଭୁବନେଶ୍ୱର ପିଏମ୍‌ଜିରେ ଧାରଣାରେ ବସିଥିଲେ।  ସରକାର ସେମାନଙ୍କ ଦାବି ପୂରଣ କରିବାକୁ ଦାବି କରିଥିଲେ।

ଶେଷରେ ସରକାର ନଇଁଥିଲେ। ଶାସକ ଦଳର ମନ୍ତ୍ରୀ ଏବଂ ବିଧାୟକମାନେ ଆସି ଆନ୍ଦୋଳନରତ ଚାଷୀଙ୍କ ସହ ଆଲୋଚନା କରିଥିଲେ। ସେମାନଙ୍କ ଦାବି ପୂରଣ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ୬ ମାସ ପରେ ସରକାର ପ୍ରତିଶ୍ରୁତି ପୂରଣ ନକରିବାରୁ ଚାଷୀ ପୁଣି ରାଜରାସ୍ତାକୁ ଓହ୍ଲାଇଛନ୍ତି। ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନରୁ ହଟିବେ ନାହିଁ ବୋଲି ଘୋଷଣା କରିଥିଲେ। ଏହା ସରକାରଙ୍କୁ ଚିନ୍ତାରେ ପକାଇଥିଲା। ଏଣୁ ଚାଷୀଙ୍କୁ ରାଜଧାନୀ ମନା କରିଥିଲେ ସରକାର।

ତରବରିଆ ମନ୍ତ୍ରିସ୍ତରୀୟ କମିଟି

ରାଜଧାନୀକୁ ଆଜି ଘେରିଥିଲେ ଚାଷୀ। କଟକ ପଟୁ ଆସିଥିବା ଚାଷୀ ହଂସପାଳ ବ୍ରିଜ ପାଖରେ ରାସ୍ତା ଅବରୋଧ କରିଥିବା ବେଳେ ଖୋର୍ଦ୍ଧା ପଟୁ ଆସିଥିବା ଚାଷୀ ତମାଣ୍ଡୋ ପାଖରେ ଅବରୋଧ କରିଥିଲେ। ଫଳରେ ଉଭୟ ପଟେ ଶହ ଶହ ଗାଡ଼ି ଅଟକି ରହିଥିଲା। ଭୁବନେଶ୍ୱରକୁ ଆସୁଥିବା ସାଧାରଣ ଯାତ୍ରୀ ହନ୍ତସନ୍ତ ହୋଇଥିଲେ। ଚାଷୀଙ୍କୁ ତୁଷ୍ଟିକରଣ ପାଇଁ ସରକାର ତରବରିଆ ଭାବେ ମନ୍ତ୍ରିସ୍ତରୀୟ କମିଟି ଗଠନ କରିଛନ୍ତି। କିନ୍ତୁ ଏହି କମିଟିକୁ ଧୋକା ବୋଲି କହିଛନ୍ତି ଚାଷୀ।

“ଭୁବନେଶ୍ୱରକୁ ପଦଯାତ୍ରାରେ ଆସିଥିବା ଚାଷୀମାନଙ୍କୁ ବଳପୂର୍ବକ ରାସ୍ତାରେ ଅଟକାଇବା ଦୁର୍ଭାଗ୍ୟଜନକ। ଚାଷୀ ପ୍ରତିନିଧିଙ୍କ ସହ ଆଲୋଚନା କରିବା ପାଇଁ ମୁଖ୍ୟମନ୍ତ୍ରୀ ଯେଉଁ ମନ୍ତ୍ରିସ୍ତରୀୟ କମିଟି ଗଠନ କରିଛନ୍ତି ତାହା ଧୋକ୍କା। ତରବରିଆ ଭାବେ କମିଟି ଗଠନ କରାଯାଇଥିବାରୁ ଏଥିରେ କୌଣସି ସମସ୍ୟା ସମାଧାନ ହୋଇପାରିବ ନାହିଁ”, କହିଛନ୍ତି ନବ ନିର୍ମାଣ କୃଷକ ସଙ୍ଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର।

ନେତାଙ୍କୁ ଗାଁ ମନା, ଜୋରଦାର ହେବ ଆନ୍ଦୋଳନ

ହକ୍ ପାଇଁ ରାଜରାସ୍ତାକୁ ଆସିଥିବା ଚାଷୀଙ୍କୁ ସରକାର ରାଜଧାନୀରେ ପୂରାଇ ଦେଇ ନାହାନ୍ତି। ଏହାକୁ ଚାଷୀମାନେ ଗ୍ରହଣ କରିପାରି ନାହାନ୍ତି। ୧୪୪ ଧାରା ଲଗାଇ ଚାଷୀଙ୍କୁ ବଳପୂର୍ବକ ଗିରଫ କରାଯାଇଥିବାରୁ ଚାଷୀ-ପୋଲିସ ମୁହାଁମୁହିଁ ହୋଇଛନ୍ତି। ଏହାର ଜବାବରେ ଚାଷୀମାନେ କହିଛନ୍ତି, “ଆମକୁ ରାଜନଧାନୀ ମନା ହୋଇଥିବାରୁ ନେତାଙ୍କୁ ଗାଁରେ ପୂରାଇ ଦିଆଯିବ ନାହିଁ”।

ଅକ୍ଷୟ କୁମାର କହିଛନ୍ତି ଯେ ଏଣିକି ନେତାମାନେ ଗାଁରେ ପଶି ପାରିବେ ନାହିଁ। ଭୋଟ ଗ୍ରହଣ ପାଇଁ ପୋଲିଂ ବାକ୍ସ ଗାଁକୁ ଯିବ ନାହିଁ। ପ୍ରତି ଗାଁରେ ଚାଷୀ ଆନ୍ଦୋଳନ ଜୋରଦାର ହେବ।

କର୍ଡନ ଭାଙ୍ଗିଲେ ଚାଷୀ, ପୋଲିସ ନାକେଦମ

ଚାଷୀମାନଙ୍କୁ ରାଜଧାନୀରେ ପୂରାଇ ନଦେବା ପାଇଁ ପୋଲିସକୁ ନାକେଦମ ହେବାକୁ ପଡ଼ିଛି। ଚାଷୀଙ୍କ ଆକ୍ରୋଶ ଏବଂ ବିପର୍ଯ୍ୟସ୍ତ ଟ୍ରାଫିକ ପରିଚାଳନାକୁ ନେଇ ସାଧାରଣ ଲୋକଙ୍କ ହୋ-ହଲ୍ଲା ପୋଲିସର ଚିନ୍ତା ବଢ଼ାଇ ଦେଇଥିଲା। ହଜାର ହଜାର ଚାଷୀ ରାଜଧାନୀ ଅଭିମୁଖେ ଆସୁଥିବା ପୋଲିସ ଜାଣି ମଧ୍ୟ ଟ୍ରାଫିକ ପରିଚାଳନା ପାଇଁ କୌଣସି ପଦକ୍ଷେପ ନେଇ ନଥିଲା। ସହର ଉପକଣ୍ଠ ଏବଂ ସହରରେ ଟ୍ରାଫିକ ପରିଚାଳନା ବିପର୍ଯ୍ୟସ୍ତ ହୋଇଯାଇଥିଲା। ପୋଲିସ ଚାଷୀଙ୍କୁ ଅଟକାଇବା ପାଇଁ ତନ୍ନ ତନ୍ନ କରି ବିଭିନ୍ନ ଗାଡ଼ି ଯାଞ୍ଚ କରୁଥିବାରୁ ଲୋକେ ଅସନ୍ତୋଷ ପ୍ରକାଶ କରିଥିଲେ।

ଏପଟେ ହଂସପାଳ ଏବଂ ତମାଣ୍ଡୋ ନିକଟରେ ଚାଷୀମାନେ ପୋଲିସ କର୍ଡନ ଭାଙ୍ଗି ସହର ଭିତରେ ଭିତରେ ପ୍ରବେଶ କରିବାକୁ ଉଦ୍ୟମ କରିଥିଲେ। ହେଲେ ପୋଲିସ ବାଟ ଓଗାଳିଥିଲା। ଏହାକୁ ନେଇ ପୋଲିସ ଏବଂ ଚାଷୀ ମୁହାଁମୁହିଁ ହୋଇଥିଲେ।

ଚାଷୀଙ୍କ ପ୍ରମୁଖ ଦାବି କ’ଣ?

ଚାଷୀ ଆତ୍ମହତ୍ୟାକୁ ରାଜ୍ୟ ସରକାର ଗ୍ରହଣ କରିବା, ଆତ୍ମହତ୍ୟାରେ ମୃତ୍ୟବରଣ କରୁଥିବା ଚାଷୀ ପରିବାରକୁ କ୍ଷତିପୂରଣ ଦେବା, ସର୍ବନିମ୍ନ ସହାୟକ ମୂଲ୍ୟ କୁଇଣ୍ଟାଲ ପିଛା ୩ ହଜାର ଟଙ୍କା କରିବା, ୬୦ ବର୍ଷ ବୟସର ଚାଷୀଙ୍କୁ ୫ ହଜାର ଟଙ୍କା ଲେଖାଏଁ ଭତ୍ତା ଦେବା ଆଦି ଦାବି କରିଛନ୍ତି ଚାଷୀ।

ଏହି ଦାବିକୁ ନେଇ ଗତ ୨୯ ତାରିଖରୁ ଯାଜପୁରର କୁଆଖିଆ ଏବଂ ଖୋର୍ଦ୍ଧା ବାଲୁଗାଁରୁ ଚାଷୀମାନେ ପଦଯାତ୍ରାରେ ବାହାରିଥିଲେ। ଆଜି ଭୁବନେଶ୍ୱରରେ ପହଞ୍ଚି ଲୋୟର ପିଏମଜିରେ ଶକ୍ତି ପ୍ରଦର୍ଶନ କରିବାକୁ ଘୋଷଣା କରିଥିଲେ। ଏଥିରେ ସରକାର ଅଡ଼ୁଆରେ ପଡ଼ିଯାଇଥିଲେ।

ସରକାର ଦେଲେ ଆଶ୍ୱାସନା

ଚାଷୀଙ୍କ ପାଇଁ ରାଜଧାନୀରେ ଅଚଳାବସ୍ଥା ସୃଷ୍ଟି ହେବା ପରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଗଠନ ହୋଇଛି ମନ୍ତ୍ରିସ୍ତରୀୟ କମିଟି। କୃଷି, ଅର୍ଥ ଏବଂ ସମବାୟ ମନ୍ତ୍ରୀଙ୍କୁ ନେଇ ଗଠିତ ହୋଇଛି ଏହି କମିଟି। ଦୀର୍ଘ ୭ ଦିନ ଧରି ଚାଷୀମାନେ ଆନ୍ଦୋଳନକୁ ଓହ୍ଲାଇ ସାରିଥିବା ବେଳେ ସରକାର ଏହି କମିଟି ଗଠନ କରି ନଥିଲେ। କିନ୍ତୁ ରାଜଧାନୀରେ ପହଞ୍ଚିବା ପରେ ସରକାର ଘାବରେଇ ଯାଇଥିବା ପରି ମନେହେଉଛି।

“ରାଜ୍ୟ ସରକାର ଚାଷୀମାନଙ୍କ କଲ୍ୟାଣ ପାଇଁ ଅନେକ ଯୋଜନା କରିଛନ୍ତି। ଚାଷୀଙ୍କ ପାଇଁ ସ୍ୱତନ୍ତ୍ର କୃଷି ବଜେଟ କରାଯାଉଛି। ଧାନର ଏମ୍‌ଏସ୍‌ପି ବୃଦ୍ଧି ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରାଯାଇଛି। ଆଉ ଯାହା ସମସ୍ୟା ଅଛି ମନ୍ତ୍ରିସ୍ତରୀୟ କମିଟି ମାଧ୍ୟମରେ ସମାଧାନ କରାଯିବ”, କହିଛନ୍ତି ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା।

Comment