ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟର ଜିଲ୍ଲା  ମୁଖ୍ୟ ଚିକିତ୍ସାଳୟ ଗୁଡିକର ଅବସ୍ଥା ସଙ୍ଗୀନ ହୋଇପଡ଼ିଛି। ନିଜେ ସରକାର ଏ କଥା ହାଇକୋର୍ଟରେ ମାନିଛନ୍ତି। ଅଧିକାଂଶ ସିଡିଏମଓଙ୍କ ଅଫିସରେ ଆବଶ୍ୟକୀୟ ଚିକିତ୍ସା ଉପକରଣ ନାହିଁ। ସ୍ପେଶାଲିଷ୍ଟ ଡାକ୍ତର ନାହାନ୍ତି କି ଆବଶ୍ୟକୀୟ କର୍ମଚାରୀ ବି ନାହାନ୍ତି। ଏହି ବିଷୟ ସରକାରଙ୍କ ଆଫିଡେଭିଟରୁ ଜଣାପଡ଼ିଛି ।ରାଜ୍ୟର ସ୍ୱାସ୍ଥ୍ୟସେବାକୁ ଘରୋଇ ହସ୍ପିଟାଲ ଓ ନର୍ସିଂହୋମର ଶୋଷଣରୁ ମୁକ୍ତ କରିବା ପାଇଁ ହାଇକୋର୍ଟରେ ଦାଖଲ ହୋଇଥିବା ଏକ ଜନସ୍ୱାର୍ଥ ମାମଲାର ଜବାବରେ ସରକାର ଉକ୍ତ ବିଷୟ ନ୍ୟାୟାଳୟକୁ ଜଣାଇଛନ୍ତି।

ହାଇକୋର୍ଟର ଜଣେ ଆଇନଜୀବୀ ଚିତ୍ତରଞ୍ଜନ ମହାନ୍ତି ତାଙ୍କ ଜନସ୍ୱାର୍ଥ ମାମଲାରେ ସରକାରୀ ଚିକିତ୍ସାଳୟଗୁଡ଼ିକର ଅବ୍ୟବସ୍ଥା ସମ୍ପର୍କରେ କୋର୍ଟର ଦୃଷ୍ଟି ଆକର୍ଷଣ କରିବା ସହ ମୁଖ୍ୟ ଚିକିତ୍ସାଳୟ ମାନଙ୍କରେ ଯଥେଷ୍ଟ ଔଷଧ,ଜୀବନ ବଞ୍ଚାଇବା ଔଷଧ ଓ ଅତ୍ୟାବଶକୀୟ ଉପକରଣ ରଖିବାକୁ ନିର୍ଦ୍ଦେଶ ଦେବା ସକାଶେ ସେ ପ୍ରାର୍ଥନା କରିଛନ୍ତି।

ଆବେଦନକାରୀ ଶ୍ରୀ ମହାନ୍ତି ଅଭିଯୋଗ କରିଛନ୍ତି ଯେ ଜିଲ୍ଲା ହସ୍ପିଟାଲରେ ନିହାତି ଆବଶ୍ୟକ ପଡ଼ୁଥିବା ଉପକରଣ ହୁଏତ ରଖାଯାଉ ନାହିଁ କିମ୍ବା ଯେଉଁଠି ବି ଅଛି ସେ ଗୁଡ଼ିକୁ ଜାଣିଶୁଣି ଅକାମୀ କରି ଦିଆ ଯାଉଛି ଯାହା ଫଳରେ କି ଘରୋଇ କ୍ଲିନିକ ଓ ଲ୍ୟାବକୁ ଚିକିତ୍ସା ତଥା ପରୀକ୍ଷା ପାଇଁ ରୋଗୀ ଯିବାକୁ ବାଧ୍ୟ ହେଉଛନ୍ତି।ଏହା ଦ୍ୱାରା ରୋଗୀ ମାନଙ୍କୁ ଅଯଥା ଖର୍ଚ୍ଚାନ୍ତ ହେବାକୁ ପଡ଼ୁଛି ବୋଲି ଅଭିଯୋଗ କରାଯାଇଛି।

ସରକାରଙ୍କ ପକ୍ଷରୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସ୍ୱତନ୍ତ୍ର ସଚିବ ନୃସିଂହାନନ୍ଦ ବ୍ରହ୍ମାଙ୍କ ଦ୍ଵାରା ଦାଖଲ କରାଯାଇଥିବା ସତ୍ୟପାଠରେ ସେ କହିଛନ୍ତି ଯେ ଅଧିକାଂଶ ଜିଲ୍ଲା ହସ୍ପିଟାଲରେ ଆଧୁନିକ ନିଦାନ ମେସିନ ଯଥା ସିଟି ସ୍କାନ,ଏକ୍ସରେ,ଇସିଜି, ଅଲ୍ଟ୍ରାସାଉଣ୍ଡ ଆଦି ପାଇଁ ଉପକରଣ ଥାଏ।ସେହିଭଳି ପାଥୋଲୋଜି ଉପକରଣ ମଧ୍ୟ ଉପଲବ୍ଧ।

ତେବେ ବ୍ରହ୍ମା ତାଙ୍କ ସତ୍ୟପାଠରେ ଏ କଥା ମଧ୍ୟ କହିଛନ୍ତି ଯେ ଏ ବର୍ଷର ବଜେଟରେ ବିଭିନ୍ନ ଜିଲ୍ଲା ହସ୍ପିଟାଲ ପାଇଁ ଉପକରଣ ଖରଦି ସକାଶେ ୨୫ କୋଟି ବ୍ୟବସ୍ଥା କରାଯାଇଛି।ତା ଛଡ଼ା ସରକାରଙ୍କ ପକ୍ଷରୁ  ଯେଉଁଠି ଏ ସବୁ ସୁବିଧା ନାହିଁ ସିଡିଏମଓ ମାନଙ୍କୁ ତାହା ଯୁଦ୍ଧକାଳୀନ ଭିତ୍ତିରେ  କିଣିବା ପାଇଁ କୁହାଯାଇଛି। ସରକାରଙ୍କ ସତ୍ୟପାଠ ପାଇବା ପରେ ଏହି ମାମଲାର ଶୁଣାଣି ଚଳିତ ୨୭ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି।ଏଣେ ଆବେଦନକାରୀ ଙ୍କୁ ମଧ୍ୟ ଅଧିକ ତଥ୍ୟ ଦେବା ପାଇଁ ସୁଯୋଗ ଦିଆଯାଇଛି।

ଶ୍ରୀ ମହାନ୍ତି ତାଙ୍କ ଆବେଦନରେ କହିଥିଲେ ଯେ ୩୦ ଜିଲ୍ଲା ହସ୍ପିଟାଲ ଓ ରେଫେରାଲ ହସ୍ପିଟାଲ ଯଥା କଟକ,ବୁର୍ଲା ଓ ବ୍ରହ୍ମପୁରରେ ଡାକ୍ତର ପଦବୀକୁ ଜାଣିଶୁଣି ପୂରଣ କରାଯାଉନାହିଁ କାରଣ ଏଥିରେ ଘରୋଇ ନର୍ସିଂହୋମ ଗୁଡ଼ିକର ସ୍ୱାର୍ଥ ସାଧନ ହେଉଛି। ତା’ ଛଡ଼ା ଘରୋଇ ନର୍ସିଂହୋମ ଗୁଡ଼ିକ ଟାଉଟରଙ୍କ ଜରିଆରେ ସରକାରୀ ହସ୍ପିଟାଲ ବିରୁଦ୍ଧରେ ଅପପ୍ରଚାର କରୁଛନ୍ତି ବୋଲି ଶ୍ରୀ ମହାନ୍ତି ତାଙ୍କ ଆବେଦନରେ କହିଛନ୍ତି। ଏହି ଟାଉଟରମାନେ ରୋଗୀ ଓ ତାଙ୍କ ପରିବାରକୁ ମିଛସତ କହି ସରକାରୀ ଚିକିତ୍ସାଳୟରୁ ଫେରାଇନେବା ସହ ମୋଟା କମିଶନ ପାଉଛନ୍ତି ବୋଲି ମଧ୍ୟ ଆବେଦନକାରୀ ଶ୍ରୀ ମହାନ୍ତି କହିଛନ୍ତି।

Comment