ଓଡ଼ିଶାଲାଇଭ୍ ବ୍ୟୁରୋ

କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ା ବ୍ଲକ ଅଞ୍ଚଳର ଜଣେ ଶିକ୍ଷକଙ୍କ ଦୁଷ୍କର୍ମ ଘଟଣାକୁ ନେଇ ସ୍କୁଲ ଘେରିଲେ ଗ୍ରାମବାସୀ।

ପୁଣି ଗୁରୁଙ୍କ ବିରୋଧରେ ଜଣେ ଛାତ୍ରୀ ଅସଦାଚରଣ ଅଭିଯୋଗ ଆଣିଛନ୍ତି, ଯାହା ଗୁରୁ ଶିଷ୍ୟ ସମ୍ପର୍କରେ କଳଙ୍କର ଦାଗ ଲଗେଇ ଦେଇଛି। ଘଟଣାଟି ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ା ବ୍ଲକ ଅଞ୍ଚଳର ଏକ ହାଇସ୍କୁଲରେ।

ଗୁରୁବାର ପୀଡ଼ିତାଙ୍କ ବାପା ଏହି ଅଭିଯୋଗ କରିଛନ୍ତି ମହାକାଳପଡ଼ା ବ୍ଲକର ତନ୍ତିଆପାଳ ସାମୁଦ୍ରିକ ଥାନାରେ। ଏଣେ ଏହି ଘଟଣାର ପ୍ରତିବାଦ କରି ସମ୍ପୃକ୍ତ ବିଦ୍ୟାଳୟକୁ ଘେରାଉ କରିଛନ୍ତି ସ୍ଥାନୀୟ ଗ୍ରାମବାସୀମାନେ। ଅଭିଯୁକ୍ତ ଶିକ୍ଷକ ବିଦ୍ୟାପତି ଜେନାଙ୍କ ଗିରଫ ସହ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ମହାକାଳପଡ଼ା ବ୍ଲକର ଏହି ବିଦ୍ୟାଳୟର ଖେଳ ଶିକ୍ଷକ ବିଦ୍ୟାପତି ଜେନା ଦଶମ ଶ୍ରେଣୀର ଜନୈକା ଛାତ୍ରୀଙ୍କୁ ଦୀର୍ଘ ଦିନ ହେଲା ପ୍ରେମ ନିବେଦନ କରି ଆସୁଥିଲେ। ଛାତ୍ରୀ ଜଣକ ଶିକ୍ଷକଙ୍କ କଥାରେ ରାଜି ହେଉ ନଥିଲେ। ନିକଟରେ ମହାକାଳପଡ଼ା ବ୍ଲକରେ ହୋଇଥିବା ସୁରଭି କାର୍ଯକ୍ରମରେ ଭାଗ ନେବାକୁ ଛାତ୍ରୀଙ୍କୁ ଖେଳ ଶିକ୍ଷକ କହିଥିଲେ। ମାତ୍ର ଛାତ୍ରୀ ଅରାଜି ହୋଇଥିଲେ।

ଶେଷରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ଚାପରେ ଛାତ୍ରୀ ଜଣକ ରାଜି ହୋଇଥିଲେ। ଗତ ୨୬ ତାରିଖରେ ଏହି ବ୍ଲକର ବୀଣାପାଣି ହାଇସ୍କୁଲରେ ସୁରଭି କାର୍ଯ୍ୟକ୍ରମରେ ଛାତ୍ରୀ ଜଣକ ଅନ୍ୟ ଛାତ୍ରୀମାନଙ୍କ ସହିତ ଯୋଗ ଦେଇଥିଲେ।

ସୁରଭି କାର୍ଯ୍ୟକ୍ରମ ସେଦିନ ଅପରାହ୍ନ ୪ଟାରେ ଶେଷ ହୋଇଥିଲା। ହେଲେ ସ୍କୁଲର ଏହି ଛାତ୍ରୀମାନଙ୍କୁ ୪ଟାରେ ଆଣି ନଥିଲେ ଶିକ୍ଷକ। ତାଙ୍କ ସାଙ୍ଗରେ ଯାଇଥିଲେ ଖେଳ ଶିକ୍ଷକ ବିଦ୍ୟାପତି ଜେନା। ବିଦ୍ୟାପତି ତାଙ୍କର ଇପ୍ସିତ ଲକ୍ଷ୍ୟ ପୂରଣ କରିବାକୁ ବିଭିନ୍ନ ଆଳ ଦେଖାଇ ଘରକୁ ଫେରିବାକୁ ସନ୍ଧ୍ୟା କରି ଦେଇଥିଲେ।

ଛାତ୍ରୀଙ୍କୁ ବାଇକରେ ବସାଇ ଘରେ ଛାଡ଼ି ଦେବାକୁ ଆଣିଥିଲେ ବିଦ୍ୟାପତି। ବାଟରେ ଅନ୍ଧାରର ସୁଯୋଗ ନେଇ ଛାତ୍ରୀଙ୍କୁ ପ୍ରେମ ନିବେଦନ କରିଥିଲେ ଖେଳ ଶିକ୍ଷକ। ଛାତ୍ରୀଙ୍କ ବିରୋଧ ସତ୍ତ୍ୱେ ଖେଳ ଶିକ୍ଷକ ଛାତ୍ରୀଙ୍କ ସହ ଅସଦାଚରଣ କରିଥିଲେ। କେବଳ ସେତିକି ନୁହେଁ, ତାଙ୍କ ସହିତ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ ବୋଲି ଛାତ୍ରୀ ଅଭିଯୋଗ କରିଛନ୍ତି। ଛାତ୍ରୀ ଜଣକ ପ୍ରତିବାଦ କରିବାରୁ ଅଧାବାଟରେ ତାଙ୍କୁ ଛାଡ଼ିଦେଇ ପଳାଇ ଯାଇଥିଲେ ଶିକ୍ଷକ ବିଦ୍ୟାପତି।

ଛାତ୍ରୀ ଜଣକ ଘରେ ପହଞ୍ଚି କାନ୍ଦି କାନ୍ଦି ସବୁ କଥା ପରିବାର ଲୋକଙ୍କୁ କହିଥିଲେ। ପରେ ଛାତ୍ରୀଙ୍କ ପରିବାର ସମ୍ପୃକ୍ତ ସ୍କୁଲର ପ୍ରଧାନ ଶିକ୍ଷକଙ୍କ ନିକଟରେ ଅଭିଯୋଗ କରିଥିଲେ। ପ୍ରଧାନ ଶିକ୍ଷକ ପୀଡ଼ିତାଙ୍କ ପରିବାରକୁ ୧ ଲକ୍ଷ ଟଙ୍କା ନେଇ ଚୁପ ହୋଇଯିବାକୁ କହିଥିବା ପୀଡ଼ିତାଙ୍କ ପରିବାର ଅଭିଯୋଗ କରିଛନ୍ତି।

ଗୁରୁବାର ଏହି ଘଟଣାକୁ ନେଇ ପରିସ୍ଥିତି ଅସମ୍ଭାଳ ହୋଇଥିଲା। ଆଖପାଖ ଗାଁମାନଙ୍କରେ କଥା ପ୍ରଘଟ ହୋଇଯିବା ପରେ ସ୍ଥାନୀୟ ଗ୍ରାମବାସୀମାନେ ଶହ ଶହ ସଂଖ୍ୟାରେ ସ୍କୁଲରେ ପହଞ୍ଚି ସ୍କୁଲକୁ ଘେରାଉ କରିଥିଲେ। ଅଭିଯୁକ୍ତ ଖେଳ ଶିକ୍ଷକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିବା ସହିତ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରିଛନ୍ତି।

ଘଟଣା ସମ୍ପର୍କରେ ଗୁରୁବାର ସ୍ଥାନୀୟ ତନ୍ତିଆପାଳ ସାମୁଦ୍ରିକ ଥାନାରେ ଅଭିଯୋଗ କରିଛନ୍ତି ପୀଡ଼ିତାଙ୍କ ବାପା। ଏହି ଖବର ପାଇ କେନ୍ଦ୍ରାପଡ଼ା ଜିଲ୍ଲା ଶିକ୍ଷା ଅଧିକାରୀ କଳ୍ପନା ବେହେରା, ମହାକାଳପଡ଼ା ବ୍ଲକ ଶିକ୍ଷା ଅଧିକାରୀ ଅଜୟ ପରିଡ଼ାଙ୍କୁ ଘଟଣାର ତଦନ୍ତ କରି ରିପୋର୍ଟ ମାଗିଛନ୍ତି।

ଗୁରୁବାର ସକାଳୁ ସ୍କୁଲରେ ଉତ୍ତେଜନା ଲାଗି ରହିଥିବା ବେଳେ ଅଭିଯୁକ୍ତ ଖେଳ ଶିକ୍ଷକ ବିଦ୍ୟାପତି ଜେନା ସ୍କୁଲକୁ ଆସି ନଥିଲେ।

LEAVE A REPLY

Please enter your comment!
Please enter your name here