ଓଡ଼ିଶାଲାଇଭ୍ ବ୍ୟୁରୋ

ଗୁରୁବାର ବିମୁଦ୍ରାକରଣ ବା ନୋଟବନ୍ଦୀକୁ ଦୁଇ ବର୍ଷ ପୂରିଲା। ଏହି ଅବସରରେ କେନ୍ଦ୍ର ସରକାର ଓ ବିଶେଷ କରି ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀ ଏହି ପଦକ୍ଷେପକୁ ଉଚିତ ଦର୍ଶାଇଥିଲେ। ସେ କହୁଥିଲେ ଯେ, ନୋଟବନ୍ଦୀ ଦ୍ୱାରା ଦେଶର ଅର୍ଥନୀତିକୁ ବେଶ୍ ଫାଇଦା ହୋଇଛି, କିନ୍ତୁ ଛୋଟ ଛୋଟ ବ୍ୟବସାୟୀଙ୍କ କହିବା କଥା ହେଉଛି ସେମାନେ ଏହି ଝଟକାରୁ ଏ ପର୍ଯ୍ୟନ୍ତ ମୁକୁଳି ପାରିନାହାନ୍ତି। ସେମାନଙ୍କ ଯୁକ୍ତି ହେଉଛି ନୋଟବନ୍ଦୀ ପରେ ଯେଉଁ ଜିଏସଟି ଆସିଲା ସେଇଟା ବି ଅନେକ କଷ୍ଟ ଦେଉଛି। ଅନ୍ୟ ପକ୍ଷରେ ଡିଜିଟିକରଣ ବଡ଼ବଡ଼ କର୍ପୋରେଟ ହାଉସ ଓ ଇ-କମର୍ସ କମ୍ପାନୀଙ୍କ ପାଇଁ ହିଁ ବେଶ୍ ଲାଭଦାୟକ ହୋଇଛି। ନୋଟବନ୍ଦୀ ପରେପରେ ଯେଉଁ ଜିଏସଟି ସରକାର ଆଣିଲେ ତାହା ଛୋଟ ବ୍ୟବସାୟକୁ ଧ୍ୱସ୍ତ ବିଧ୍ୱସ୍ତ କରିପକାଇଲା।

ଯେଉଁମାନେ ବିମୁଦ୍ରାକରଣ ବିରୋଧୀ ସେମାନଙ୍କ ଯୁକ୍ତି ହେଉଛି, ନିଜେ କେନ୍ଦ୍ର ସରକାର କହୁଛନ୍ତି ଯେ, ଦେଶରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଧରଣର ବ୍ୟବସାୟୀଙ୍କ ସଂଖ୍ୟା ପ୍ରାୟ 4 କୋଟି। ହେଲେ ଏ ପର୍ଯ୍ୟନ୍ତ ଜିଏସଟି ପଞ୍ଜିକରଣ କରିଛନ୍ତି ମାତ୍ର କୋଟିଏ ବ୍ୟାବସାୟିକ ସଂସ୍ଥା। ଏଥିରୁ ସ୍ପଷ୍ଟ ଜଣାଯାଉଛି ଯେ ଦେଶର ତିନି ଚତୁର୍ଥାଂଶ ବ୍ୟବସାୟ ଅଣସଙ୍ଗଠିତ କ୍ଷେତ୍ରରେ ରହିଛି, ଯାହାର ବାର୍ଷିକ ବ୍ୟବସାୟ ବା ଟର୍ଣ୍ଣଓଭର ୨୦ ଲକ୍ଷ ଟଙ୍କାରୁ କମ।
ଚ୍ୟାମ୍ବର ଅଫ ଇଣ୍ଡଷ୍ଟ୍ରି ଓ କମର୍ସର ଜଣେ ଅଧିକାରୀ କହିଛନ୍ତି ଯେ, ଭାରତ ହେଉଛି ଏକ କ୍ୟାସ ଆଧାରିତ ଅର୍ଥନୀତି। ଏଣୁ ନୋଟବନ୍ଦୀ ଏହା ଉପରେ ସିଧାସଳଖ ମାଡ଼ କଲା। ଏହି ଚୋଟରୁ  କ୍ଷୁଦ୍ର ଶିଳ୍ପ ସଂସ୍ଥା ଓ ବ୍ୟବସାୟୀ ଏ ଯାଏଁ ରକ୍ଷା ପାଇପାରିନାହାନ୍ତି। ରିଜର୍ଭ ବ୍ୟାଙ୍କ ନିଜେ ମାନିଛନ୍ତି ଯେ ବଜାରରେ ବୁଲୁଥିବା ୧୫ ଲକ୍ଷ ୪୪ କୋଟି ଟଙ୍କାର ନୋଟ ଭିତରୁ ୧୫.୩୧ ଲକ୍ଷ କୋଟି ଟଙ୍କା ପୁଣି ବ୍ୟବସ୍ଥା ଭିତରକୁ ପଳାଇ ଆସିଛି। ଅର୍ଥାତ କଳାଧନ ଶେଷ ହେବା କଥା ଯାହା କୁହାଯାଉଥିଲା ତାହା ସେତିକିରେ ହିଁ ରହିଗଲା। ଏଣେ କିନ୍ତୁ ଅସଙ୍ଗଠିତ ବ୍ୟବସାୟ ପୂରା ବିଗିଡ଼ିଗଲା।

ଭାରତୀୟ ଶିଳ୍ପ ଓ ବାଣିଜ୍ୟ ସଙ୍ଗଠନର ସମ୍ପାଦକ ମଧ୍ୟ ସେହି କଥା କହିଛନ୍ତି। ଅସଙ୍ଗଠିତ ଓ ଛୋଟ ବ୍ୟବସାୟୀଙ୍କ ଉପରେ ବିମୁଦ୍ରାକରଣ ଓ ଜିଏସଟି ଯେଉଁ ମାଡ଼ କଲା ତାହା ସାଙ୍ଘାତିକ ଥିଲା ଓ ବ୍ୟବସାୟୀମାନେ ଏ ପର୍ଯ୍ୟନ୍ତ ମୁଣ୍ଡରେ ହାତ ଦେଇ ବସିଛନ୍ତି। ଜିଏସଟି ବ୍ୟବସାୟୀଙ୍କୁ ଏତେ ଅସୁବିଧାରେ ପକାଇଲା ଯେ ମୁଖ୍ୟଧାରାକୁ ଆସିବା ତ ପରର କଥା ସେମାନେ ଏଥିରୁ ପୂରାପୂରି ବାଦ୍ ପଡ଼ିଗଲେ। ଏହାର କାରଣ ଜିଏସଟି ଅଣପଞ୍ଜିକୃତ ବ୍ୟବସାୟକୁ ନିରୁତ୍ସାହିତ କରିଥାଏ। ଅବଶ୍ୟ ଛୋଟ ଛୋଟ ବ୍ୟବସାୟୀମାନେ ଏବେ ଜିଏସଟି ଭିତରକୁ ଆସୁଛନ୍ତି କିନ୍ତୁ ସେମାନଙ୍କୁ ପୂର୍ବ ଭଳି ହଇରାଣ ହେବାକୁ ପଡୁଛି। ଛୋଟ ରପ୍ତାନୀକାରୀମାନେ ଟିକସ ରିଫଣ୍ଡ ଏତେ ସହଜରେ ପାଇ ପାରୁନାହାନ୍ତି।

ଅନ୍ୟ ଏକ ବ୍ୟବସାୟୀ ସଂଘର ସଭାପତି କହିଛନ୍ତି ଯେ, ନୋଟବନ୍ଦୀର ଖରାପ ପ୍ରଭାବ ପର୍ବପର୍ବାଣୀ ବେଳେ ଦେଖିବାକୁ ମିଳିଛି। ଦୀପାବଳି, ଦଶହରା ଓ ହୋଲି ଆଦି ଫେଷ୍ଟିଭାଲ ସମୟରେ ଦୁଇ ବର୍ଷ ତଳେ ଯେତିକି ବିକ୍ରି ହେଉଥିଲା ତାହା ଢେର ପରିମାଣରେ କମିଛି। ଏହି ଦୁଇ ବର୍ଷ ଭିତରେ ଫ୍ଲିପକାର୍ଟ ଓ ଆମାଜନ ଭଳି ଇ-କମର୍ସ କମ୍ପାନି ହିଁ ଅନଲାଇନରେ ଧୁମ ବ୍ୟବସାୟ କରିଛନ୍ତି ଅଥଚ ଛୋଟ ଦୋକାନୀ ଓ ବ୍ୟବସାୟିକ ପ୍ରତିଷ୍ଠାନ ହାତ ବାନ୍ଧି ବସିଛନ୍ତି।

Comment