ଓଡ଼ିଶାଲାଇଭ୍ ବ୍ୟୁରୋ

ପଶ୍ଚିମ ଅଷ୍ଟ୍ରେଲିଆରେ ଏକ ଟ୍ରେନ ବିନା ଡ୍ରାଇଭରରେ ୧୧୦ କିମି ପର୍ଯ୍ୟନ୍ତ ଆପେ ଆପେ ଗଡ଼ିବା ଘଟଣା ସମସ୍ତଙ୍କ ଚକିତ କରିଛି।  ଟ୍ରେନରେ ୨୬୮ଟି ବଗି ଥିବାରୁ ସୁରକ୍ଷା ଦୃଷ୍ଟିରୁ ଟ୍ରେନକୁ ଲାଇନଚ୍ୟୁତ କରିଥିଲା ରେଳବାଇ। ପାଖାପାଖି ଦୁଇ ଘଣ୍ଟା ପର୍ଯ୍ୟନ୍ତ ଟ୍ରେନଟି ବିନା ଡ୍ରାଇଭରରେ ୧୧୦ କିମି ପର୍ଯ୍ୟନ୍ତ ଚାଲିଥିଲା। ଲାଇନଚ୍ୟୁତ କରାଯିବା ପରେ ହିଁ ଟ୍ରେନଟି ଅଟକି ରହିଥିଲା। ଲାଇନଚ୍ୟୁତ କରାଯିବାରୁ ଦେଢ଼ କିମି ପର୍ଯ୍ୟନ୍ତ ରେଳଧାରଣା ନଷ୍ଟ ହୋଇଥିଲା। ଏତେବଡ଼ ଅଘଟଣ ଘଟିଥିଲେ ବି କେହି ମୃତାହତ ହୋଇନାହାନ୍ତି।

ଗାଡ଼ିଟି ଷ୍ଟେସନରେ ରହିବା ପରେ ଗାଡି ନିରୀକ୍ଷଣ କରିବାକୁ ଡ୍ରାଇଭର ତଳକୁ ଓହ୍ଲାଇଥିଲେ।  ଠିକ୍ ସମୟରେ ଗାଡିଟି ଆପେ ଆପେ ଗଡ଼ିବାକୁ ଲାଗିଥିଲା। ଗାଡ଼ି ରୋକିବାର ପ୍ରୟାସ କରିବା ପୂର୍ବରୁ ହିଁ ଗାଡ଼ିଟି ଦ୍ରୁତ ଗତିରେ ଆଗକୁ ମାଡ଼ି ଚାଲିଥିଲା। ଘଣ୍ଟାଏ ପର୍ଯ୍ୟନ୍ତ ରୋକିବା ପାଇଁ କୌଣସି ଉପାୟ ନ ପାଇ ରେଳବାଇ ଲାଇନଚ୍ୟୁତ କରିବାର ନିଷ୍ପତ୍ତି ନେଇଥିଲେ।

ଏଥିରେ କ୍ଷତିଗ୍ରସ୍ତ ହୋଇଥିବା ରେଳ ଧାରଣାକୁ ଠିକ୍ କରିବା ପାଇଁ ୧୩୦ଜଣ ଶ୍ରମିକ ଲାଗି ପଡ଼ିଥିବା ଜଣାପଡ଼ିଛି। ଖଣି କାରବାର ପାଇଁ ଏହି ରେଳ ଧାରଣାଟି ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇଥିବା ବେଳେ ଏହାକୁ ଯେତେ ଶୀଘ୍ର ସମ୍ଭବ ଠିକ୍ କରିବା ପାଇଁ ଚେଷ୍ଟା ଆରମ୍ଭ କରିଛି ରେଳବାଇ।

Comment