ଓଡ଼ିଶାଲାଇଭ ବ୍ୟୁରୋ

ଜମ୍ମୁ ଓ କାଶ୍ମୀରର ପୁଲଓ୍ଵାମା ଜିଲ୍ଲାରେ ସୁରକ୍ଷା କର୍ମୀଙ୍କ ଗୁଳିରେ ୨ ଜଣ ଆତଙ୍କବାଦୀଙ୍କର ମୃତ୍ୟୁ ହୋଇଛି।

ଜମ୍ମୁ ଓ କାଶ୍ମୀରର ପୁଲଓ୍ଵାମା ଜିଲ୍ଲାରେ ସୁରକ୍ଷା କର୍ମୀ ଓ ଆତଙ୍କବାଦୀମାନଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି। ଶନିବାର ସକାଳେ ଏହି ଗୁଳି ବିନିମୟରେ ଦୁଇଜଣ ଆତଙ୍କବାଦୀଙ୍କର ମୃତ୍ୟୁ ହୋଇଛି।

ସୁରକ୍ଷା କର୍ମୀମାନେ ଏହି ଦୁଇଜଣ ଆତଙ୍କବାଦୀଙ୍କ ମୃତଦେହ ଜବତ କରିଛନ୍ତି। କିନ୍ତୁ ଏ ପର୍ଯ୍ୟନ୍ତ ସେମାନଙ୍କ ପରିଚୟ ମିଳି ପାରି ନାହିଁ। ଏହାଛଡ଼ା ଆତଙ୍କବାଦୀଙ୍କ ଠାରୁ ଗୋଟିଏ ଲେଖାଁଏ ଇନସାସ୍‌ ଓ ଏକେଏମ ରାଇଫଲ ଜବତ କରାଯାଇଛି।

ସୁରକ୍ଷା କର୍ମୀଙ୍କ ସୂଚନା ଅନୁସାରେ, ପୁଲଓ୍ଵାମା ଜିଲ୍ଲାର ଟିକେନ ଗାଁରେ ଆତଙ୍କବାଦୀମାନେ ଛପି ରହିଥିବା ଖବର ପାଇ ସେନା, ସିଆରପିଏଫ ଓ ଏସଓଜିର ଯବାନମାନେ ସମଗ୍ର ଗାଁକୁ ଘେରାଉ କରି ସର୍ଚ୍ଚ ଅପରେସନ୍‌ ଚଳାଇଥିଲେ।

ସର୍ଚ୍ଚ ଅପରେସନ୍‌ ବେଳେ ଆତଙ୍କବାଦୀମାନେ ଯବାନଙ୍କ ଉପରକୁ ଗୁଳି ଚଳାଇଥିଲେ। ଏହାର ଜବାବରେ ଯବାନମାନେ ମଧ୍ୟ ଆତଙ୍କବାଦୀଙ୍କ ଉପରକୁ ଗୁଳି ଚାଳନା କରିଥିଲେ। ଯବାନଙ୍କ ଗୁଳିମାଡ଼ରେ ଘଟଣାସ୍ଥଳରେ ହିଁ ୨ ଜଣ ଆତଙ୍କବାଦୀ ମୃତ୍ୟୁ କରିଛନ୍ତି।

“ଏହାଛଡ଼ା ପୁଲଓ୍ଵାମା ଜିଲ୍ଲାର ଟ୍ରାଲଠାରେ ଗତ ଶୁକ୍ରବାର ଯବାନଙ୍କ ଗୁଳି ବିନିମୟରେ ଜୈଶ ଇ ମହମ୍ମଦର ଜଣେ ଆତଙ୍କବାଦୀଙ୍କର ମୃତ୍ୟୁ ହୋଇଥିଲା। ପାକିସ୍ତାନୀ ନାଗରିକ ଏହି ଜୈଶ ଇ ମହମ୍ମଦର ଆତଙ୍କବାଦୀର ନାମ ଅନଓ୍ଵାର ବୋଲି ଚିହ୍ନଟ କରା ଯାଇଥିଲା” କହିଛନ୍ତି ସୁରକ୍ଷା କର୍ମୀ।

Comment