ଓଡ଼ିଶାଲାଇଭ୍ ବ୍ୟୁରୋ

ଦେଶରେ ବିଭିନ୍ନ ରାଜ୍ୟରେ ବାପାଙ୍କ ପରେ ପୁଅ ମୁଖ୍ୟମନ୍ତ୍ରୀ ଆସନରେ ବସୁଥିବା ଦେଖିବାକୁ ମିଳିଛି।

ପୂର୍ବରୁ ଆମ ଦେଶରେ ରାଜାମାନଙ୍କର ଶାସନ ଚାଲିଥିଲା। ଏଥିରେ ରାଜାଙ୍କ ମୃତ୍ୟୁ ପରେ ତାଙ୍କର ପୁଅ ରାଜଗାଦିରେ ବସି ଶାସନ କରୁଥିଲେ। ଏବେ କିନ୍ତୁ ଆମ ଦେଶରେ ଗଣତନ୍ତ୍ର ଶାସନ ଚାଲିଛି। ଏହାପରେ ମଧ୍ୟ ରାଜାଙ୍କ ପୁଅ ରାଜା ହେଲା ଭଳି ଦେଶର ବିଭିନ୍ନ ରାଜ୍ୟରେ ମୁଖ୍ୟମନ୍ତ୍ରୀଙ୍କ ପୁଅ ମୁଖ୍ୟମନ୍ତ୍ରୀ ଗାଦିରେ ବସୁଛନ୍ତି।ବିଜୁଙ୍କ ପରେ ନବୀନ

ପରିବାର ରାଜନୀତି କଥା ଆଗକୁ ଆସିଲେ ଲୋକଙ୍କ ମନକୁ ଓଡ଼ିଶା ରାଜନୀତିର କଥା ଆପେ ଆପେ ଆସିଯାଇଥାଏ। ଓଡ଼ିଶାରେ ବିଜୁ ପଟ୍ଟନାୟକଙ୍କ ପରେ ପରେ ତାଙ୍କ ସାନ ପୁଅ ନବୀନ ପଟ୍ଟନାୟକ ରାଜ୍ୟର ମୁଖ୍ୟମନ୍ତ୍ରୀ ଗାଦିରେ ବସିଥିଲେ। ବିଜୁ ପଟ୍ଟନାୟକ ୧୯୯୦ ମସିହାର ଜନତା ଦଳ ସରକାରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇଥିଲେ। ତାଙ୍କ ପରେ ତାଙ୍କର ସାନ ପୁଅ ବିଜୁ ଜନତା ଦଳ ଗଠନ କରି ରାଜ୍ୟର ଲଗାତାର ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଆସନରେ ବସିଛନ୍ତି। ଏବେ ମଧ୍ୟ ନବୀନ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱରେ ଅଛନ୍ତି।ଉତ୍ତରପ୍ରଦେଶରେ ମୁଲାୟମଙ୍କ ପରେ ଅଖିଳେଶ

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଆସନରେ ଦୁଇ ବାପା-ପୁଅ ବସିସାରିଛନ୍ତି। ସମାଜବାଦୀ ପାର୍ଟିର ନେତା ମୁଲାୟମ ସିଂହ ଯାଦବ ଓ ତାଙ୍କ ପୁଅ ଅଖିଳେଶ ଯାଦବ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେଇସାରିଛନ୍ତି।୧୯୮୯ ମସିହାରେ ମୁଲାୟମ ସିଂହ ଯାଦବ ପ୍ରଥମ କରି ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ଏହାପରେ ୧୯୯୩ ଓ ୨୦୦୩ରେ ମଧ୍ୟ ସେ ରାଜ୍ୟର ମୁଖ୍ୟମନ୍ତ୍ରୀ ଆସନରେ ବସିଥିଲେ। ତାଙ୍କ ପରେ ରାଜ୍ୟରେ ଶାସନକ୍ଷମତାକୁ ଅକ୍ତିଆର କରିଥିଲେ ତାଙ୍କ ପୁଅ ଅଖିଳେଶ ଯାଦବ। ଅଖିଳେଶ ୨୦୧୨ରେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ଏହାପରେ ୨୦୧୭ରୁ ଏଠାରେ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱରେ ବିଜେପି ସରକାର ଗଠନ କରିଛି।ଜମ୍ମୁ କଶ୍ମୀର ମୁଖ୍ୟମନ୍ତ୍ରୀ ପଦରେ ପରିବାରବାଦ

ଜମ୍ମୁ କଶ୍ମୀର ଏବେ କେନ୍ଦ୍ରଶାସିତ ଅଞ୍ଚଳର ମାନ୍ୟତା ପାଇଛି। ଏହା ପୂର୍ବରୁ ଜମ୍ମୁ କଶ୍ମୀର ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ପାଉଥିଲା। ସେ ସମୟରେ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ହାତରେ ହିଁ ରାଜ୍ୟର କ୍ଷମତା ଡୋରି ରହିଥିଲା। ଜମ୍ମୁ କଶ୍ମୀର ମୁଖ୍ୟମନ୍ତ୍ରୀ ପଦରେ ଦୁଇ ପରିବାରର ରାଜ ଦେଖିବାକୁ ମିଳିଛି। ପ୍ରଥମେ ଅବଦୁଲ୍ଲା ପରିବାର ଓ ପରେ ପରେ ମୁଫତି ପରିବାର ଜମ୍ମୁ କଶ୍ମୀରରେ ମୁଖ୍ୟମନ୍ତ୍ରୀ ଆସନକୁ ଅକ୍ତିଆର କରିଛନ୍ତି।

ଅବଦୁଲ୍ଲା ପରିବାର ଦ୍ୱାରା ଗଠିତ ନ୍ୟାସନାଲ କନଫରେନ୍ସ ଦଳ ଦୀର୍ଘ ସମୟ ଧରି ରାଜ୍ୟରେ ଶାସନ କ୍ଷମତାରେ ରହିଆସିଛି। ନ୍ୟାସନାଲ କନଫରେନ୍ସର ନେତା ଶେଖ୍ ଅବଦୁଲ୍ଲା ଦୁଇ ଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ରହିଥିଲେ। ଏହାପରେ ୧୯୮୨ ମସିହାରେ ତାଙ୍କ ପୁଅ ଫାରୁକ୍ ଅବଦୁଲ୍ଲା ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ଫାରୁକ୍ ତିନି ଥର ଜମ୍ମୁ କଶ୍ମୀର ମୁଖ୍ୟମନ୍ତ୍ରୀ ଆସନରେ ବସିଛନ୍ତି। ଫାରୁକ୍ ଅବଦୁଲ୍ଲାଙ୍କ ପରେ ଓମାର ଅବଦୁଲ୍ଲା ମଧ୍ୟ ଜମ୍ମୁ କଶ୍ମୀର ମୁଖ୍ୟମନ୍ତ୍ରୀ ରହିସାରିଛନ୍ତି।

ସେହିପରି ମୁଫତି ପରିବାରର ଦୁଇ ନେତା ତଥା ପିଡିପି ଦଳର ନିର୍ମାତା ମହମ୍ମଦ ସଇଦ୍ ଓ ତାଙ୍କ ଝିଅ ମେହବୁବା ମୁଫତି ରାଜ୍ୟର ମୁଖ୍ୟମନ୍ତ୍ରୀ ଆସନରେ ବସିସାରିଛନ୍ତି।

ହରିୟାଣାରେ ଦେବୀ ଲାଲଙ୍କ ପରେ ଓମ ପ୍ରକାଶଙ୍କ ସରକାର

ଉତ୍ତର ଭାରତୀୟ ରାଜ୍ୟ ହରିୟାଣାରେ ମଧ୍ୟ ମୁଖ୍ୟମନ୍ତ୍ରୀ ପଦରେ ପରିବାରବାଦ ଦେଖିବାକୁ ମିଳିଛି। ହରିୟାଣାର ମୁଖ୍ୟମନ୍ତ୍ରୀ ଥିବା ଚୌଧୁରୀ ଦେବୀ ଲାଲ ମୁଖ୍ୟମନ୍ତ୍ରୀ ହେବା ସହ ତାଙ୍କ ପୁଅ ଓମ୍ ପ୍ରକାଶ ଚୌଟାଲା ମଧ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ ରହିସାରିଛନ୍ତି। ଚୌଧୁରୀ ଦେବୀ ଲାଲ୍ ଦୁଇ ଥର ପାଇଁ ହରିୟାଣା ମୁଖ୍ୟମନ୍ତ୍ରୀ ପଦରେ ବସିଥିଲାବେଳେ ତାଙ୍କ ପୁଅ ଓମ୍ ପ୍ରକାଶ ଚୌଟାଲା ୫ଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ଆସନରେ ବସିଛନ୍ତି।କର୍ଣ୍ଣାଟକରେ ଦେବଗୌଡା ବାପା-ପୁଅ

କର୍ଣ୍ଣାଟକ ରାଜନୀତିକୁ  ଦେଖିଲେ ଏଠାରେ ମଧ୍ୟ ମୁଖ୍ୟମନ୍ତ୍ରୀ ଆସନରେ ପରିବାର ବାଦ ଦେଖିବାକୁ ମିଳିଛି। ଏଚ ଡି ଦେବଗୌଡାଙ୍କ ପରେ ତାଙ୍କ ପୁଅ ଏଚ ଡି କୁମାରସ୍ୱାମୀ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଆସନରେ ବସିସାରିଛନ୍ତି। ୧୯୯୪ ମସିହାରେ ଦେବଗୌଡା ପ୍ରଥମ କରି କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଆସନରେ ବସିଥିଲେ। ଏହାପରେ ସେ ୧୯୯୬ ମସିହାରେ ଦେଶର ପ୍ରଧାନମନ୍ତ୍ରୀ ଭାବେ ମଧ୍ୟ ଶପଥ ନେଇଥିଲେ। ତାଙ୍କ ରାଜନୀତିକ କ୍ୟାରିଅର ଶେଷ ହେବା ପରେ ତାଙ୍କ ପୁଅ ଏଚ ଡି କୁମାରସ୍ୱାମୀ ଏବେ ରାଜ୍ୟରେ ନିଜର ରାଜନୀତିକ କାର୍ଯ୍ୟକଳାପ ଜାରି ରଖିଛନ୍ତି।

ମହାରାଷ୍ଟ୍ର: ଶଙ୍କରରାଓ ଚୌହାନଙ୍କ ପରେ ଅଶୋକ ଚୌହାନ

ମହାରାଷ୍ଟ୍ରରେ ମଧ୍ୟ ଏହି ପରିବାରବାଦର ପରମ୍ପରା ଦେଖିବାକୁ ମିଳିଛି। ଏଠାକାର କଂଗ୍ରେସ ନେତା ଶଙ୍କରରାଓ ଚୌହାନଙ୍କ ପରେ ତାଙ୍କ ପୁଅ ଅଶୋକ ଚୌହାନ ରାଜ୍ୟର ମୁଖ୍ୟମନ୍ତ୍ରୀ ଆସନରେ ବସିଥିଲେ। ଶଙ୍କରରାଓ ଚୌହାନ ୧୯୭୫ ମସିହାରେ ପ୍ରଥମ କରି ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଆସନରେ ବସିଥିଲେ। ଏହାପରେ ସେ ୧୯୮୬ରେ ମଧ୍ୟ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହୋଇଥିଲେ। ତାଙ୍କ ରାଜନୀତିକ କ୍ୟାରିଅର ପରେ ତାଙ୍କ ପୁଅ ଅଶୋକ ଚୌହାନ ମଧ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଛନ୍ତି।ମେଘାଳୟରେ ସଙ୍ଗମା ପରିବାର ହାତରେ କ୍ଷମତା

ମେଘାଳୟରେ ମୁଖ୍ୟମନ୍ତ୍ରୀ ପଦରେ ମଧ୍ୟ ସଙ୍ଗମା ପରିବାରର ରାଜୁତି ଦେଖିବାକୁ ମିଳିଛି। ସେଠାରେ ମଧ୍ୟ ଦୁଇ ବାପ ପୁଅ ପି ଏ ସଙ୍ଗମା ଓ ତାଙ୍କ ପିଅ କୋନରାଡ ସଙ୍ଗମା ରାଜ୍ୟର ମୁଖ୍ୟମନ୍ତ୍ରୀ ଆସନରେ ବସିଛନ୍ତି। ୧୯୮୮ ମସିହାରେ ପି ଏ ସଙ୍ଗମା ମେଘାଳୟର ମୁଖ୍ୟମନ୍ତ୍ରୀ ଆସନରେ ବସିଥିଲେ। ତାଙ୍କପରେ କୋନରାଡ ସଙ୍ଗମା ମଧ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ ରହିଛନ୍ତି।

ମଧ୍ୟପ୍ରଦେଶରେ ଶୁକ୍ଲା ବାପା-ପୁଅ ମୁଖ୍ୟମନ୍ତ୍ରୀ

ମଧ୍ୟପ୍ରଦେଶର ପ୍ରଥମ ମୁଖ୍ୟମନ୍ତ୍ରୀ ହେବାର ଗୌରବ ଅର୍ଜନ କରିଥିଲେ ରବିଶଙ୍କର ଶୁକ୍ଲା।  ସେ ୧୯୫୬ ମସିହାରେ ସେ ରାଜ୍ୟର ପ୍ରଥମ ମୁଖ୍ୟମନ୍ତ୍ରୀ ହୋଇଥିଲେ। ତାଙ୍କ ପରେ ତାଙ୍କର ପୁଅ ଶ୍ୟାମାଚରଣ ଶୁକ୍ଲା ମଧ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ ଆସନରେ ବସିଥିଲେ। ସେ ଦୁଇଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ଆସନରେ ବସିଛନ୍ତି।ଆନ୍ଧ୍ରପ୍ରଦେଶର ରେଡ୍ଡୀ ସରକାର

ଆନ୍ଧ୍ରପ୍ରଦେଶରେ ମଧ୍ୟ ରାଜନୀତିର ଏହି ପରିବାରବାଦ ଦେଖିବାକୁ ମିଳିଛି। ପ୍ରଥମେ ୱାଇ ଏସ୍ ରାଜଶେଖର ରେଡ୍ଡୀ ଓ ତାଙ୍କ ପୁଅ ଜଗନ ମୋହନ ରେଡ୍ଡୀ ରାଜ୍ୟର ମୁଖ୍ୟମନ୍ତ୍ରୀ ଆସନରେ ବସିଛନ୍ତି। ୨୦୦୪ରେ ପ୍ରଥମ ଥର ପାଇଁ ରାଜଶେଖର ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଆସନରେ ବସିଥିଲେ। କିନ୍ତୁ ୨୦୦୯ ମସିହାରେ ବିମାନ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ଘଟିଥିଲା। ତାଙ୍କ ପରେ ଏବେ ତାଙ୍କ ପୁଅ ଜଗନ ମୋହନ ରେଡ୍ଡୀ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ରହିଛନ୍ତି।

ଅରୁଣାଚଳ ପ୍ରଦେଶରେ ମଧ୍ୟ ପରିବାରବାଦ

ଦେଶର ଅନ୍ୟ ରାଜମାନଙ୍କ ଭଳି ଅରୁଣାଚଳ ପ୍ରଦେଶରେ ମଧ୍ୟ ଏହି ପରମ୍ପରା ଦେଖିବାକୁ ମିଳିଛି। ରାଜ୍ୟର ମୁଖ୍ୟମନ୍ତ୍ରୀ ଆସନରେ ଦୁଇ ବାପ ପୁଅ ଦୋରଜୀ ଖାଣ୍ଡୁ ଓ ପେମା ଖାଣ୍ଡୁ ବସିଛନ୍ତି। ପେମା ଖାଣ୍ଡୁ ବର୍ତ୍ତମାନ ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶାସନ କରୁଛନ୍ତି।ଝାଡ଼ଖଣ୍ଡରେ ସୋରେନ୍ ସରକାର

ଝାଡ଼ଖଣ୍ଡର ଆଦିବାସୀ ନେତା ଶିବୁ ସୋରେନ୍ ଓ ତାଙ୍କ ପୁଅ ହେମନ୍ତ ସୋରେନ୍ ରାଜ୍ୟର ମୁଖ୍ୟମନ୍ତ୍ରୀ ପଦରେ ରହିସାରିଛନ୍ତି। ୨୦୦୦ ମସିହାରୁ ଗଠନ ହେବା ପରେ ଶିବୁ ସୋରେନ୍ ତିନିଥର ପାଇଁ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ଆସନରେ ବସିଛନ୍ତି। ତାଙ୍କ ପରେ ତାଙ୍କ ପୁଅ ହେମନ୍ତ ସୋରେନ୍ ମଧ୍ୟ ଦ୍ୱିତୀୟ ଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ଆସନରେ ବସିବାକୁ ଯାଉଛନ୍ତି।

Comment