ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ନଭେମ୍ବର ୨୧ରେ ବେଙ୍ଗାଳୁରୁ ଏବଂ ୨୮ରେ ମୁମ୍ବାଇରେ ହେବ ରିସେପ୍‌ସନ୍

ପ୍ରତୀକ୍ଷାର ଅନ୍ତ ଘଟିଛି। ଶେଷରେ ଦୀପିକା ପାଦୁକୋନଙ୍କ ହାତ ଧରିଛନ୍ତି ବଲିଉଡ ଷ୍ଟାର ରଣବୀର। ଇଟାଲୀର ଲେକ୍ କୋମୋସ୍ଥିତ ଡେଲ୍ ବାଲବିୟାନେଲୋରେ ବୁଧବାର ସମ୍ପନ୍ନ ହୋଇଛି ଏହି ହାଇପ୍ରୋଫାଇଲ ବାହାଘର। କୋଙ୍କଣୀ ରୀତିନୀତିରେ ଆଜି ବାହାଘର ହୋଇଥିବା ବେଳେ ଗୁରୁବାର ସିନ୍ଧି ପରମ୍ପରାରେ ପୁଣିଥରେ ବାହାଘର ହେବ।

ଦୀପିକା ଏବଂ ରଣବୀରଙ୍କ ବାହାଘର କୌଣସି ରାଜକୀୟ ବହାଘରଠାରୁ କମ୍ ନଥିଲା। ଏହି ବାହାଘରରେ ଯୋଗ ଦେବା ପାଇଁ ଭାରତରୁ ଉଭୟଙ୍କ ପରିବାରବର୍ଗ ଏବଂ ବନ୍ଧୁମାନେ ପହଞ୍ଚିଛନ୍ତି।

ଏହି ବାହାଘରକୁ ଦୀପିକା ଏବଂ ରଣବୀର ସିକ୍ରେଟ ରଖିଛନ୍ତି। ବାହାଘର ଫଟୋ ଉଠାଇବାକୁ ବାରଣ କରାଯାଇଛି। ଅତିଥିମାନଙ୍କ ମୋବାଇଲ କ୍ୟାମେରାରେ ଷ୍ଟିକର ଲଗାଯାଇଛି।

ଦୀପିକା-ରଣବୀରଙ୍କ ବିବାହ ଉତ୍ସବରେ ଯୋଗ ଦେବା ପାଇଁ ଆସିଥିବା ଅତିଥିମାନଙ୍କୁ ଉପହାର ଆଣିବାକୁ ମନା କରାଯାଇଛି। ଏଥିପାଇଁ ନିମନ୍ତ୍ରଣପତ୍ରରେ ଉଭୟ ଦୀପିକା ଏବଂ ରଣବୀର ଅନୁରୋଧ କରିଛନ୍ତି। ଯଦି କେହି ଉପହାର ଦେବାକୁ ଚାହୁଁଛନ୍ତି ତାହାଲେ ସେମାନେ ଦୀପିକାଙ୍କ ଦ୍ୱାରା ଚାଲୁଥିବା ‘ଲିଭ ଲଭ୍ ଲାଫ୍ ଫାଉଣ୍ଡେସନ’କୁ ଦେବା ପାଇଁ ଅନୁରୋଧ କରାଯାଇଛି।

ଦୀପିକା-ରଣବୀରଙ୍କ ରିସେପସନ୍ ଭାରତର ଦୁଇଟି ସ୍ଥାନରେ ହେବାକୁ ଯାଉଛି। ନଭେମ୍ବର ୨୧ରେ ବେଙ୍ଗାଳୁରୁରେ ଏବଂ ୨୮ରେ ମୁମ୍ବାଇରେ ରିସେପସନ୍ ପାର୍ଟି ହେବ। ଏଥିପାଇଁ ସ୍ୱତନ୍ତ୍ର ରିସେପସନ୍ କାର୍ଡ ତିଆରି କରାଯାଇଛି। ରିସେପସନ୍ ପାର୍ଟିରେ ଯୋଗ ଦେବାକୁ ଚାହୁଁଥିବା ଅତିଥିମାନେ ସାଙ୍ଗରେ ନିମନ୍ତ୍ରଣପତ୍ର ଆଣିବାକୁ କୁହାଯାଇଛି।

ବାହାଘର ଭୋଜିରେ ଭାରତୀୟ ଖାଦ୍ୟ ଉପରେ ଗୁରୁତ୍ୱ ଦିଆଯାଇଛି। ବୁଧବାର ସାଉଥ୍ ଇଣ୍ଡିଆନ୍ ଖାଦ୍ୟ ପ୍ରସ୍ତୁତ କରାଯାଇଥିବା ବେଳେ ଗୁରୁବାର ପଞ୍ଜାବୀ ଖାଦ୍ୟରେ ଆପ୍ୟାୟିତ ହେବେ ଅତିଥି।

Comment