ଓଡ଼ିଶାଲାଇଭ୍ ବ୍ୟୁରୋ

ବର୍ତ୍ତମାନ ସମୟରେ ଘରଟିଏ କିଣିବାକୁ ହେଲେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥାଏ। ଆଉ ଯଦି ଘରଟି କୌଣସି ସହର ଭିତରେ ଥାଏ ତେବେ ତାର ମୂଲ୍ୟ ଯଥେଷ୍ଟ ବଢ଼ିଯାଏ। କିନ୍ତୁ ଇଟାଲିରେ ଏମିତି ଏକ ସହର ରହିଛି ଯେଉଁଠି ମାତ୍ର ୮୬ ଟଙ୍କାରେ ଘର ବିକ୍ରି ହେଉଛି। ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ କଥାଟି ସତ।ଇଟାଲିର ସିସିଲି ଦ୍ଵୀପର ଦକ୍ଷିଣ-ପଶ୍ଚିମ ଅଞ୍ଚଳରେ ରହିଛି ସାଲେମି ନାମକ ଏକ ଛୋଟ ନଗରୀ। ଗତ କିଛି ବର୍ଷ ହେଲା ଏହି ନଗରୀରେ ଲୋକସଂଖ୍ୟା କମିବାରେ ଲାଗିଛି। ଏହି କାରଣରୁ ନଗରୀ ପ୍ରଶାସନ ପକ୍ଷରୁ ଖୁବ୍ ଶସ୍ତାରେ ଏଠାରେ ଘର ବିକ୍ରି ଆରମ୍ଭ ହୋଇଛି।

ନଗରବାସୀଙ୍କ କହିବା ଅନୁଯାୟୀ, ଗତ କିଛି ବର୍ଷ ଧରି ସାଲେମିରେ ଥିବା ପରିତ୍ୟକ୍ତ ସମ୍ପତ୍ତି, ଘର ଆଦି ବିକ୍ରି କରିବାକୁ ଅସୁବିଧା ହେଉଥିଲା। କରୋନା ଯୋଗୁ ଏହି ସମସ୍ୟା ଆହୁରି ବଢ଼ିଯାଇଛି। ତେଣୁ ଅନ୍ୟ ବିକଳ୍ପ ନଥିବାରୁ ଅତି ଶସ୍ତାରେ ସେମାନେ ଘର ବିକ୍ରି କରିବାକୁ ନିଷ୍ପତ୍ତି ନେଇଛନ୍ତି।ସିସିଲି ଦ୍ଵୀପରେ ଥିବା ସାଲେମି ହେଉଛି ଏକ ଐତିହାସିକ ସ୍ଥଳୀ। ଏହି ନଗରୀକୁ ଅଲିଭ୍ ଗଛ ଘେରି ରହିଛି। ଏଠାରେ ଥିବା କିଛି ଘର ଷୋଡ଼ଶ ଶତାବ୍ଦୀର ପ୍ରାଚୀନ ପ୍ରାଚୀର ଦ୍ଵାରା ଆବୃତ୍ତ ହୋଇରହିଛି। ୧୯୬୮ ମସିହାରେ ଏଠାରେ ଏକ ବଡ଼ ଧରଣର ଭୂମିକମ୍ପ ହୋଇଥିଲା। ଏହା ପରଠାରୁ ସାଲେମି ବ୍ୟକ୍ତିଗତ ଓ ସାଂସ୍କୃତିକ ସ୍ତରରେ କ୍ଷତିଗ୍ରସ୍ତ ହୋଇଛି।

ଲୋକସଂଖ୍ୟା କମିଯିବା କାରଣରୁ ଐତିହାସିକ ନଗରୀ ସାଲେମି ଏବେ ମରୁ ଅଞ୍ଚଳରେ ପରିଣତ ହୋଇଛି। ତେଣୁ ଏଠାକାର ଜନସଂଖ୍ୟା ବୃଦ୍ଧି କରିବା ଉଦ୍ଦେଶ୍ୟରେ ନଗରୀ ପ୍ରଶାସନ ବାଧ୍ୟ ହୋଇ ଏତେ ଶସ୍ତାରେ ଘର ବିକ୍ରି କରିବାକୁ ବାଧ୍ୟ ହେଉଛି।

Comment