ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

ଦିନକୁ ଦିନ ଇଟାଲିରେ ଜଟିଳ ହେଉଛି କରୋନା ସ୍ଥିତି। ମୃତକଙ୍କ ଅନ୍ତିମ ସଂସ୍କାର ତ ଦୂରର କଥା, ଅନ୍ତିମ ଦର୍ଶନ କରିବା ବି କଷ୍ଟ।

ଯେତେବେଳେ ପରିବାରରରେ କୌଣସି ବ୍ୟକ୍ତିଙ୍କର ମୃତ୍ୟୁ ଘଟେ, ତାଙ୍କୁ ଅନ୍ତିମ ବିଦାୟ ଦେବା ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। କିନ୍ତୁ ମହାମାରୀ କରୋନା ହେତୁ ଇଟାଲିରେ ଲୋକେ ତାଙ୍କ ପ୍ରିୟଜନଙ୍କ ମୃତ୍ୟୁ ପରେ ନା ଶେଷ ଦର୍ଶନ କରିପାରୁଛନ୍ତି ନା ଅନ୍ତିମ ସଂସ୍କାର କରିପାରୁଛନ୍ତି।

ଏଣ୍ଟ୍ରିରା ସେରାଟୋ ଇଟାଲିର ମିଲାନରେ ଏକ ଅନ୍ତିମ ସଂସ୍କାର ଗୃହରେ ଏକ କର୍ମକର୍ତ୍ତା ଭାବେ କାର୍ଯ୍ୟ କରୁଛନ୍ତି। ସେ କହନ୍ତି, ‘‘ମହାମାରୀ ଆପଣଙ୍କୁ ଥରେ ନୁହେଁ ଦୁଇ ଦୁଇଥର ମାରିଥାଏ। ପ୍ରଥମ – ଭୂତାଣୁ ଦ୍ୱାରା ଆକ୍ରାନ୍ତ ହେଲେ ନିଜ ପରିବାର ନିଜ ପିଲାମାନଙ୍କଠାରୁ ଅଲଗା ରହିବାକୁ ପଡ଼ିଥାଏ ଏବଂ ଦ୍ଵିତୀୟ – ମୃତ୍ୟୁ।’’  ସତରେ! ଶେଷ ସମୟରେ ନିଜ ପରିବାରଠାରୁ ଦୂରରେ ରହିବା ମୃତ୍ୟୁ ସଙ୍ଗେ ସମାନ।

କିନ୍ତୁ ଦୁଃଖର ବିଷୟ ହେଉଛି ଯେ, କରୋନାରେ ଆକ୍ରାନ୍ତ ବ୍ୟକ୍ତିଙ୍କର ଯଦି ମୃତ୍ୟୁ ହୁଏ, ତାଙ୍କୁ ଅନ୍ତିମ ବିଦାୟ ଦେବା ପାଇଁ ତାଙ୍କ ପାଖରେ କେହି ନଥା’ନ୍ତି। ବିଶେଷଜ୍ଞଙ୍କ କହିବା ଅନୁସାରେ ଜଣେ ବ୍ୟକ୍ତି କରୋନାରେ ସଂକ୍ରମିତ ହୋଇ ମରିଯିବା ପରେ ଭୂତାଣୁ ତାଙ୍କ ପୋଷାକରେ କିଛି ସମୟ ପାଇଁ ରହିଥାଏ। ଫଳରେ ଉକ୍ତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଲେ ତାଙ୍କୁ କରୋନା ଭାଇରସ ବ୍ୟାପିଥାଏ। ଏଥିପାଇଁ କ ମୃତ ବ୍ୟକ୍ତିଙ୍କୁ ସଙ୍ଗେ ସଙ୍ଗେ ସିଲ୍‌ କରାଯାଏ।

ମଣିଷର ମୃତ୍ୟୁ ପରେ ତାଙ୍କର ଅନ୍ତିମ ସଂସ୍କାର କରିବା ପରମ୍ପରା ପ୍ରାୟ ସବୁଠି ରହିଛି। ଭଲରେ ଅନ୍ତିମ ସଂସ୍କାର ହେଲେ ଆତ୍ମାର ସଦ୍‌ଗତି ହୋଇଥାଏ ବୋଲି ବିଶ୍ୱାସ କରାଯାଏ। ଏହି ପରମ୍ପରାକୁ ବେଶ୍ ଗୁରୁତ୍ୱ ମଧ୍ୟ ଦିଆଯାଏ। ମୃତ ବ୍ୟକ୍ତିଙ୍କୁ ନୂଆ ପୋଷାକ ପିନ୍ଧାଯାଏ। ତାଙ୍କ ପାଖରେ ତାଙ୍କ ପ୍ରିୟଜନ, ବନ୍ଧୁ ରହିଥା’ନ୍ତି। ହେଲେ କରୋନା ଭଇରସ ଏବେ ଲୋକଙ୍କଠାରୁ ଏହି ଅଧିକାର ବି ଛଡ଼େଇ ନେଇଛି। ଅନ୍ତିମ ସଂସ୍କାରତ ଦୂର କଥା, ମୃତ୍ୟୁ ବେଳକୁ ପାଖରେ ଠିଆ ହେବାକୁ ବି ଦେଉନି।

ଇଟାଲିରେ କୋଭିଡ୍‌-୧୯ କାରଣରୁ ଜୀବନ ହରାଇଥିବା ଅନେକ ଲୋକଙ୍କର ଶେଷ ମୁହୂର୍ତ୍ତରେ ତାଙ୍କ ପରିବାର ସଦସ୍ୟ ପାଖରେ ନଥିଲେ। କରୋନା ସଂକ୍ରମିତ ଲୋକଙ୍କଠାରୁ ଏହି ଭୂତାଣୁ ଅନ୍ୟ କୌଣସି ବ୍ୟକ୍ତିଙ୍କୁ ଯେପରି ନ ବ୍ୟାପେ ସେଥିପାଇଁ ପାଇଁ ପ୍ରିୟଜନଙ୍କୁ ତାଙ୍କ ପରିବାର ଲୋକଙ୍କୁ ଭେଟିବାକୁ ବାରଣ କରାଯାଉଛି। ଯେତିକି ଦିନ ବ୍ୟକ୍ତି ଜଣକ କ୍ୱାରେଣ୍ଟାଇନ୍‌ରେ ରହିବେ, ତାଙ୍କ ପରିବାର ଲୋକ ତାଙ୍କୁ ଭେଟି ପାରିବେ ନାହିଁ।

ସେରାଟୋ କହନ୍ତି, ‘‘କରୋନାରେ ମୃତ ବ୍ୟକ୍ତିଙ୍କର ଆମେ କଫିନ୍‌ ସହ ଏକ ଫଟୋ ଉଠାଇ ପରିବାରକୁ ପଠାଇଥାଉ। ଏହାପରେ ସମାଧି ଦେଇଥାଉ।

କିନ୍ତୁ ମହାମାରୀ କରୋନା କାରଣରୁ ଅନେକ ଶବ ଦାହକମାନେ ନିଜେ କ୍ଵାରେଣ୍ଟାଇନ୍‌ରେ ରହିଛନ୍ତି। କେତେକ ଏବେ ନିଜ କାର୍ଯ୍ୟ ବନ୍ଦ କରି ଘରେ ରହିଛନ୍ତି।

ବର୍ତ୍ତମାନ ପର୍ଯ୍ୟନ୍ତ ଇଟାଲିରେ ୮ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ଚୀନଠାରୁ ବି ଏହାର ସଂଖ୍ୟା ଅଧିକ ରହିଛି। ଉତ୍ତର ଇଟାଲିରେ ଡାକ୍ତରଖାନାର ଶବ ଗୃହ ଏବେ ଶବରେ ପରିପୂର୍ଣ୍ଣ। ସେଠାକାର ଚର୍ଚ୍ଚକୁ ଗୋଟିଏ ପରେ ଗୋଟିଏ କଫିନ୍‌ ଆସୁଛି। ସହରର ସମସ୍ତ ସମାଧିସ୍ଥଳରେ ଆଉ ସ୍ଥାନ ନାହିଁ।

ନିକଟରେ ଇଟାଲିରେ ଗୋଟେ ଦିନରେ ୪୭୫ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିଲା। ହେଲେ ଏହାକୁ ପୋତିବା ପାଇଁ ସେନା ବାହିନୀଙ୍କ ସାହଯ୍ୟ ନିଆଗଲା। ସେନାରେ ନିୟୋଜିତ ଟ୍ରକ୍‌ ଆସି ଏହି କଫିନ୍‌ଗୁଡ଼ିକୁ ବୋହି ନେଇଥିଲା। ଯେଉଁଥିରେ କାହାର ବାପା, କାହାର ମା’, କାହାର ଭାଇ ଓ କାହାର ବନ୍ଧୁ ଥିବେ। ଏହାକୁ ଇଟାଲିର ବାହାର ଅଞ୍ଚଳରେ ପୋତି ଦିଆଯାଇଥିଲା।

ଏବେ କେବଳ ଆଶାର ଆଲୋକକୁ ଅନେଇ ବସିଛି ପୂରା ଇଟାଲି।

Comment