ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାର ପ୍ରଥମ କରୋନା ରୋଗୀ ଏବେ ପୂରା ସୁସ୍ଥ ଓ ସେ ନିଜ କର୍ମସ୍ଥାନ ଇଟାଲୀ ଫେରିବା ପାଇଁ ପ୍ରସ୍ତୁତ ହେଉଛନ୍ତି। ଦେବାଶିଷ ଶ୍ରୀଚନ୍ଦନ ସାତ ମାସ ପରେ ଏବେ ଇଟାଲୀ ଫେରିଯିବେ। ସେ ମାର୍ଚ୍ଚ ୧୫ ତାରିଖରେ ସେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ।

ନଭେମ୍ବର ୭ରେ ଦେବାଶିଷଙ୍କୁ ୩୩ ଚାଲିବ। ଇଟାଲୀରେ କରୋନା ମହାମାରୀ କରାଳ ଗତିରେ ମାଡ଼ି ଚାଲିଥିବା ବେଳେ ଦେବାଶିଷ ନିଜ ଘର ଭୁବନେଶ୍ୱର ପଳାଇ ଆସିଥିଲେ। କିନ୍ତୁ ଇଟାଲୀରୁ ଆସିବା ବେଳେ ସେ ଏଥିରେ ଆକ୍ରାନ୍ତ ହୋଇ ସାରିଥିଲେ। ଫ୍ଲୁ ଭଳି ଲକ୍ଷଣ ପ୍ରକାଶ ପାଇବା ପରେ ସେ ଟେଷ୍ଟ କରାଇଥିଲେ ଓ ତାଙ୍କର ପଜିଟିଭ୍ ବାହାରିଥିଲା।

ମିଲାନ ବିଶ୍ୱବିଦ୍ୟାଳୟରେ କମ୍ପ୍ୟୁଟର ସାଇନ୍ସରେ ଗବେଷଣା କରୁଥିବା ଦେବାଶିଷ କହନ୍ତି ,’ମୋ ଜନ୍ମ ଦିନ ପରେ ମୁଁ ମୋର କର୍ମସ୍ଥଳୀ ଇଟାଲୀ ଫେରିଯିବି କାରଣ ସେଠି ଅବସ୍ଥା ଢ଼େର ସୁଧୁରିଛି।’

କରୋନା ସମ୍ପର୍କରେ ସେ କହିଛନ୍ତି ଯେ ତାଙ୍କ ଠାରେ ସାମାନ୍ୟ ଲକ୍ଷଣ ପ୍ରକାଶ ପାଇଥିଲା ସତ ହେଲେ ପରବର୍ତ୍ତୀ ଦିନଗୁଡ଼ିକ ଆଶଙ୍କା ଭିତରେ କଟିଥିଲା। “ଯଦିଓ ମୋତେ ଏପ୍ରିଲ ୧୩ରେ ହସପିଟାଲରୁ ଡିସଚାର୍ଜ  କରାଯାଇଥିଲା, ତିନି ମାସ ପର୍ଯ୍ୟନ୍ତ ମୁଁ ଘରର ବାରଣ୍ଡା ଡେଇଁ ନଥିଲି କାରଣ ମୋ ଦ୍ୱାରା ଅନ୍ୟମାନେ ସଂକ୍ରମିତ ହେବାର ଭୟ ଥିଲା। ତେବେ ମୁଁ ଯେତେବେଳେ ବି ଘରୁ ବାହାରକୁ ଆସିଛି ଲୋକେ ମୋତେ ସନ୍ଦେହ ଓ ଭୟର ସହ ଚାହିଁ ରହୁଥିଲେ”, କହିଛନ୍ତି ଦେବାଶିଷ ଶ୍ରୀଚନ୍ଦନ।

 

Comment