ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ବିଗତ ସପ୍ତାହରୁ ଅଧିକ ସମୟ ଧରି ଗୋଟିଏ ଖବର ଯଦି ବରାବର ମିଡିଆରେ ରହିଛି ସେଇଟି ହେଉଛି ଅପରାଜିତା ଷଡ଼ଙ୍ଗୀଙ୍କ ଆଇଏଏସ ଚାକିରିରୁ ଇସ୍ତଫା ଓ ବିଜେପିରେ ଯୋଗଦାନ। ନିଜେ ଅପରାଜିତା ଏହି କଥାଟିକୁ ଖୋଲା ନକରି ବଛା ବଛା ଟୁଇଟ ମାଧ୍ୟମରେ କିଛି ଇଙ୍ଗିତ ଦେଇଥିଲେ। ଏବେ କଥାଟି ସ୍ପଷ୍ଟ ହୋଇଛି ଓ ମଙ୍ଗଳବାର ଦିନ ଆନୁଷ୍ଠାନିକ ଭାବେ ସେ ବିଜେପିରେ ଯୋଗ ଦେବେ। ନୂଆଦିଲ୍ଲୀରେ ଦଳର ମୁଖ୍ୟ କାର୍ଯ୍ୟାଳୟରେ ଅମିତ ଶାହଙ୍କ ଉପସ୍ଥିତିରେ ଦଳରେ ମିଶିବା ଏକ ଅସାଧାରଣ ଘଟଣା। ଏଥିରୁ ବୁଝି ହେଉଥିବ ବିଜେପି ଅପରାଜିତାଙ୍କ  ଆଗମନକୁ କେତେ ଗୁରୁତ୍ୱ ଦେଉଛି।

ଏବେ ଏବେ  ଖବର ଆସୁଛି ଯେ, ଅପରାଜିତାଙ୍କ ସ୍ୱେଚ୍ଛାକୃତ ଅବସର ଗ୍ରହଣ ଦରଖାସ୍ତକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ତ୍ୱରାନ୍ୱିତ କରାଯାଇଥିଲା। ସୁତରାଂ ତାଙ୍କର ବିଜେପିରେ ଯୋଗ ଦେବା ନେଇ ଯେଉଁ କଳ୍ପନା ଜଳ୍ପନା ଢ଼େର ଦିନ ଧରି ଲାଗି ରହିଥିଲା ତାହା ପଛରେ କିଛି କାରଣ ନିଶ୍ଚିତ ଥିଲା। ଓଡ଼ିଶାର ପ୍ରଶାସନିକ ମହଲରେ ଚାଲିଥିବା ଆଲୋଚନା ଅନୁସାରେ,ଦିଲ୍ଲୀରୁ ଜଣେ ଟପ ଅଫିସରଙ୍କଠାରୁ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ନିକଟକୁ କିଛିଦିନ ତଳେ ଗୋଟିଏ ଫୋନ୍‌ କଲ୍‌ ଆସିଥିଲା ଓ ସେହି ଅଫିସର ଜଣକ ମୁଖ୍ୟ ଶାସନ ସଚିବଙ୍କୁ ପଚାରିଲେ ଅପରାଜିତାଙ୍କ ଚାକିରି ଛାଡ଼ିବା ଦରଖାସ୍ତକୁ ଗ୍ରହଣ କରିବାରେ କାହିଁକି ବିଳମ୍ବ ହେଉଛି। ସେହି ଅଫିସର ଜଣକ ଏ କଥା ମଧ୍ୟ କଡ଼ା ଶବ୍ଦରେ କହିଥିବା ପ୍ରକାଶ ଯେ ଯଦି ଦୁଇ ତିନି ଦିନ ମଧ୍ୟରେ ତାହାକୁ ଗ୍ରହଣ କରାନଗଲେ ଧରି ନିଆଯିବ ଯେ ରାଜ୍ୟ ସରକାରଙ୍କ ଏଥିରେ ଆପତ୍ତି ନାହିଁ।

ଖବର ଅନୁସାରେ, ଅପରାଜିତାଙ୍କ ଚାକିରି ଛାଡ଼ିବା ସମ୍ପର୍କିତ ଫାଇଲ ଯାହା ଦୀର୍ଘ ଦିନ ଧରି ପଡ଼ି ରହିଥିଲା ତାହାକୁ ତତ୍‌କ୍ଷଣାତ କ୍ଲିଅର କରିଦିଆ ଯାଇଥିଲା ଓ ଅପରାଜିତାଙ୍କ ଅବସର ଗ୍ରହଣ ଆବେଦନକୁ ଗ୍ରହଣ କରିବାରେ କେନ୍ଦ୍ର ସରକାର ବି ଆଦୌ ବିଳମ୍ବ କରିନଥିଲେ।ସୁତରାଂ ନଭେମ୍ବର ୨୭ ତାରିଖରେ ଅପରାଜିତାଙ୍କ ବିଜେପିରେ ଯୋଗଦାନ ଏବେ କେବଳ ଔପଚାରିକତା ମାତ୍ର, ସେ ଅଦ୍ୟାବଧି ବିଜେପିର ହୋଇ ସାରିଲେଣି।

ତେବେ ପ୍ରଶ୍ନ ଉଠେ ଅପରାଜିତାଙ୍କୁ ନେଇ ବିଜେପି କୋଉ ଗେମ ଖେଳିବାକୁ ଚାହୁଁଛି? ଶୁଣାଯାଉଛି ଶାସକ ବିଜେଡିର ମହିଳା କାର୍ଡ଼କୁ ଚେକମେଟ ଦେବା ପାଇଁ ବିଜେପି ଅପରାଜିତାଙ୍କ ଦକ୍ଷତା ଓ ଲୋକପ୍ରିୟତାକୁ ବ୍ୟବହାର କରିବ। ଖବରରୁ ପ୍ରକାଶ ଯେ, ଅପରାଜିତା ଇତି ମଧ୍ୟରେ  ତାଙ୍କର ସୋସିଆଲ ମିଡ଼ିଆ ଟିମ ଗଠନ କରିସାରିଲେଣି ଓ ଦଶ ଦିନ ତଳୁ ଏହି ଟିମ୍ କାମ ଆରମ୍ଭ କରି ସାରିଛି।

ଖାଲି କାମ ଆରମ୍ଭ ହୋଇଛି ତାହା ନୁହେଁ, ଫେସବୁକରେ କିଛି କିଛି ପୋଷ୍ଟ ଜରିଆରେ ଅପରାଜିତାଙ୍କୁ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ବି ପରିଗଣିତ କରାଯାଉଛି। ଓଡ଼ିଶାରେ ଅପରାଜିତା ଷଡ଼ଙ୍ଗୀଙ୍କ ଏକ ବଡ଼ ଫ୍ୟାନ ଗୋଷ୍ଠୀ ରହିଛି। ବିଶେଷ କରି ରାଜଧାନୀ ଭୁବନେଶ୍ୱରର ବସ୍ତି ବାସିନ୍ଦା ଓ ସମଗ୍ର ରାଜ୍ୟର ଶିକ୍ଷକମାନଙ୍କର ସେ ବେଶ୍ ପସନ୍ଦ। ଗଣଶିକ୍ଷା ବିଭାଗର ସଚିବ ଓ ବିଏମସି କମିଶନର ଥିବାବେଳେ ଅପରାଜିତା ବେଶ୍ ଭଲ କାମ କରିଛନ୍ତି।

ହେଲେ ରାଜନୀତି ମହଲରେ ଯାହା ଚର୍ଚ୍ଚା ହେଉଛି ତାହା କିଛି ଅଲଗା। କୁହାଯାଉଛି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ଅପରାଜିତାଙ୍କୁ ବାଛିଛନ୍ତି। ଏହା ଯଦି ସତ ହୁଏ ଏବେ ଦଳର ଅଧ୍ୟକ୍ଷ ଅମିତ ଶାହ ଓ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କଥା କ’ଣ ହେବ? ପରୋକ୍ଷରେ ହେଉ କି ପ୍ରତ୍ୟକ୍ଷରେ ହେଉ ଓଡ଼ିଶାରେ ଧର୍ମେନ୍ଦ୍ରଙ୍କୁ ୨୦୧୯ରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ସମସ୍ତେ ଦେଖି ଆସୁଥିଲେ। ଆହୁରି ମଧ୍ୟ, ବିଜେପିର ଦଳୀୟ ବ୍ୟବସ୍ଥା ଯାହା ଓ ଦଳରେ ଶାହଙ୍କ ଦବଦବା ଯେମିତି ରହିଛି, ଅମିତ ଶାହଙ୍କ ବିନା ଜ୍ଞାତସାରରେ ଓ ଅନୁମୋଦନରେ କୌଣସି କଥା ହୁଏ ନାହିଁ। ଏଣୁ ଅପରାଜିତା କଦାପି ଧର୍ମେନ୍ଦ୍ରଙ୍କ ଉପରେ ରହି ପାରିବେ ନାହିଁ-  ସେ ଆଇଏଏସ ହୁଅନ୍ତୁକି ଆଉ କିଛି ହୁଅନ୍ତୁ। ଦିଲ୍ଲୀରେ ଏଭଳି ଘଟିଥିଲା ଯେତେବେଳେ କିରଣ ବେଦୀଙ୍କୁ ନେଇ ଉପରୁ ଥୋଇ ଦିଆଗଲା। ଦିଲ୍ଲୀ ନିର୍ବାଚନରେ ବେଦୀ ଫେଲ ମାରିବା ପରେ ଗୋଟିଏ କଥା ପ୍ରମାଣିତ ହୋଇଛି ଯେ, ବିଜେପିରେ ବାହାର ଲୋକଙ୍କ ଅନୁପ୍ରବେଶ ବିଶେଷ କାମ ଦିଏ ନାହିଁ।

ଏଣେ ଆଉ ଗୋଟିଏ ପ୍ରଶ୍ନ ମଧ୍ୟ ସମସ୍ତଙ୍କୁ ଆନ୍ଦୋଳିତ କରୁଛି ଯେ, ଦୀର୍ଘ ଦିନ ଧରି ଗୋଡ଼ ଟେକି ବସିଥିବା ବୈଜୟନ୍ତ ପଣ୍ଡାଙ୍କ କଥା କ’ଣ ହେବ? ଅପରାଜିତାଙ୍କ ସହ ବୈଜୟନ୍ତଙ୍କୁ ବି ଦଳରେ ନିଆଯିବ କି ନା ତାହା ଏକ ପ୍ରଶ୍ନବାଚୀ ହୋଇ ରହିଛି। ବୈଜୟନ୍ତଙ୍କୁ ବିଜେପିରେ ନିଆ ଯିବା ପଛରେ ଯେଉଁ ବିଳମ୍ବ ହୋଇଆସୁଛି ତା’ ପଛରେ ଏକମାତ୍ର କାରଣ ଧର୍ମେନ୍ଦ୍ର। ଏକଥା ସମସ୍ତେ ଜାଣନ୍ତି ଯେ, ବିଜେପିରେ ଯୋଗ ଦେବା ପୂର୍ବରୁ ତାଙ୍କ ପୋଜିସନ କ’ଣ ହେବ ସେ ନେଇ ବୈଜୟନ୍ତ ଦଳର ନେତାମାନଙ୍କଠାରୁ କୌଣସି ସ୍ପଷ୍ଟ ଉତ୍ତର ପାଉନଥିଲେ, ଯାହା ଫଳରେ ସେ ଏଯାଏଁ ବିଜେପିରେ ଯୋଗ ଦେଇ ନାହାନ୍ତି। କଥାଟିକୁ ସରଳ କରାଗଲେ, ବୈଜୟନ୍ତ ଯଦି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ ଧର୍ମେନ୍ଦ୍ର କୁଆଡ଼େ ଯିବେ?

ବିଜେପିର ଏକ ନିର୍ଭର ଯୋଗ୍ୟ ସୂତ୍ର କହୁଛି ଯେ, ଦଳ ପକ୍ଷରୁ ଏକ ସର୍ଭେ ନିକଟରେ କରାଯାଇଥିଲା ଓ ସେଥିରୁ ଜଣା ପଡ଼ିଲା ଯେ ବୈଜୟନ୍ତଙ୍କୁ ଦଳରେ ନିଆଗଲେ ଭୋଟ ଉପରେ କୌଣସି ପ୍ରଭାବ ପକାଇପାରିବ ନାହିଁ। ସର୍ଭେରୁ ଏହା ମଧ୍ୟ ସ୍ପଷ୍ଟ ପ୍ରମାଣିତ ହୋଇଥିଲା ଯେ, ବୈଜୟନ୍ତଙ୍କ ଭୋଟ ଯାହା କିଛି ଅଛି ତାହା କେବଳ କେନ୍ଦ୍ରାପଡ଼ାରେ ସୀମିତ। ବିଜେପିର ଜଣେ ନେତା କହୁ କହୁ କହିଦେଲେ, ‘ବୈଜୟନ୍ତଙ୍କ କେବଳ ସମ୍ପତ୍ତି ହେଉଛି ତାଙ୍କ ଟିଭି ଚ୍ୟାନେଲ।’

Comment