ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ଆଗାମୀ ୨୦୧୯ ଓଡ଼ିଶା ନିର୍ବାଚନ ପରିପ୍ରେକ୍ଷୀରେ କେବଳ ବିଜେପିର ନୁହେଁ, ତୃଣମୂଳ କଂଗ୍ରେସ ମୁଖ୍ୟ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କର ମଧ୍ୟ ଓଡ଼ିଶା ଉପରେ ଦୃଷ୍ଟି ନିବଦ୍ଧ ହୋଇଛି। ଅପରାଜିତାଙ୍କ ଯୋଗଦାନ ପରେ ବିଜେପିର ‘ଲୁକ ଇଷ୍ଟ’ ନୀତି କିଛି ଫଳ ଧରିବା ଆଶା କରାଯାଉଛି।

ଏହି ସନ୍ଧିକ୍ଷଣରେ ବୁଧବାର ଦିନ ପୁରୁଲିଆ ଠାରେ ଅନୁଷ୍ଠିତ ଏକ ସାଧାରଣ ସଭାରେ ମମତା  କହିଛନ୍ତି ଯେ, ତାଙ୍କ ରାଜନୀତି ପଶ୍ଚିମବଙ୍ଗରେ କେବଳ ସୀମିତ ନୁହେଁ। ସେ କହିଲେ ଯେ, ପଡ଼ୋଶୀ ଝାଡ଼ଖଣ୍ଡ, ଆସାମ ଓ ଓଡ଼ିଶାରେ ବି ଲୋକସଭା ନିର୍ବାଚନରେ ତାଙ୍କ ଦଳ ପକ୍ଷରୁ ପ୍ରାର୍ଥୀ ଛିଡ଼ା କରାଯିବ। ବିଜେପି ଉପରେ ବର୍ଷିବାକୁ ଯାଇ ମମତା କହିଲେ ଯେ ୨୦୧୯ରେ ଗେରୁଆ ଦଳ ପଶ୍ଚିମବଙ୍ଗରେ ଗୋଟିଏ ବି ଆସନ ପାଇବ ନାହିଁ ଓ ବିଭିନ୍ନ ରାଜ୍ୟରେ ଏହି ଦଳ ଗଧଙ୍କ ଭଳି ହାରିବ।

ଅଭିଭାଷଣରେ ମମତା କହିଲେ, ବଙ୍ଗଳାକୁ ଲାଗି ଯେଉଁ ସବୁ ରାଜ୍ୟ ରହିଛି ସେଠି ବି ତୃଣମୂଳ କଂଗ୍ରେସ ନିର୍ବାଚନ ଲଢ଼ିବ, ଏଣୁ ଦଳର କର୍ମୀମାନେ ଏଥିପାଇଁ ନିଜକୁ  ପ୍ରସ୍ତୁତ କରିବା ଦରକାର। ଏହି କ୍ରମରେ ସେ ଓଡ଼ିଶା କଥା ମଧ୍ୟ ଉଲ୍ଲେଖ କରିଥିଲେ।

ଓଡ଼ିଶାରେ ଏଇକ୍ଷଣି ତୃଣମୂଳ କଂଗ୍ରେସର କୌଣସି ସ୍ଥିତି ନଥିବା ବେଳେ ମମତାଙ୍କ ଏହି ବାହାସ୍ଫୋଟ କେତେ ଦୂର କାମ ଦେବ ତାହା ଅପେକ୍ଷା କରି ଦେଖିବାର କଥା। ମନେ ପକାଇ ଦିଆଯାଇପାରେ ଯେ ଟିଏମସିର ଓଡ଼ିଶା ଦାୟିତ୍ୱରେ ଥିବା ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ରଙ୍କ ସମେତ ଅଧିକାଂଶ ନେତା ଗତ ଜୁନ ମାସରେ କଂଗ୍ରେସରେ ଯୋଗ ଦେବା ପରେ ତୃଣମୂଳ କଂଗ୍ରେସର ଗୁହାଳ ପୂରା ଖାଲି ହୋଇଯାଇଛି। ଜ୍ଞାନେନ୍ଦ୍ରଙ୍କ ସମେତ ୨୨ ଜଣିଆ କାର୍ଯ୍ୟକାରୀ କମିଟି ଓ ପ୍ରାୟ ୨୫୦ କର୍ମକର୍ତ୍ତା କଂଗ୍ରେସର ମିଶ୍ରଣ ପର୍ବ ବେଳେ ଦଳରେ ସାମିଲ ହୋଇଥିଲେ।

ବିଧାନସଭା କି ଲୋକସଭା ନିର୍ବାଚନ ନୁହେଁ ୨୦୧୭ ପଞ୍ଚାୟତ ନିର୍ବାଚନ ଓ ପୌର ନିର୍ବାଚନରେ ମଧ୍ୟ ତୃଣମୂଳ କଂଗ୍ରେସ ପ୍ରାର୍ଥୀ ଦେବା ପାଇଁ ମନସ୍ଥ କରିଥିଲା ଓ କିଛି କିଛି ସ୍ଥାନରେ ପ୍ରାର୍ଥୀ ଦେଇଥିଲା ମଧ୍ୟ, କିନ୍ତୁ ମମତାଙ୍କ ଦଳ କୌଣସି ପ୍ରଭାବ ପକାଇ ନଥିଲା।

Comment