ଓଡ଼ିଶାଲାଇଭ୍‌ ବ୍ୟୁରୋ

ଧର୍ମେନ୍ଦ୍ର ପାଲଲହଡ଼ାରୁ ନିର୍ବାଚନ ଲଢ଼ିବା ପ୍ରସଙ୍ଗକୁ ନେଇ ବିଜେଡି-ବିଜେପି ମୁହାଁମୁହିଁ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୨୦୧୯ରେ ଓଡ଼ିଶାରୁ କେଉଁଠୁ ନିର୍ବାଚନ ଲଢ଼ିବେ? ଏହାକୁ ନେଇ କଳ୍ପନା ଜଳ୍ପନା ଜୋର୍ ଧରିଥିବା ବେଳେ ପାଲଲହଡ଼ା ବିଧାନସଭା ଆସନରୁ ସେ ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଏହାକୁ ପାଲଲହଡ଼ା ବିଜେଡି ବିଧାୟକ ମହେଶ ସାହୁ ସ୍ୱାଗତ କରିବା ସହ କଟାକ୍ଷ କରିଛନ୍ତି।

“କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୨୦୧୯ରେ ପାଲଲହଡ଼ାରୁ ନିର୍ବାଚନ ଲଢ଼ିଲେ ମୁଁ ତାଙ୍କୁ ସ୍ୱାଗତ କରିବି। ସେ ଏବଂ ତାଙ୍କ ପରିବାର ପାଲଲହଡ଼ା ପାଇଁ ଅତୀତରେ କ’ଣ କରିଛନ୍ତି ତାହା କହିବା ପାଇଁ ମତେ ସୁଯୋଗ ମିଳିବ”, କହିଛନ୍ତି ମହେଶ ସାହୁ।

ମହେଶ ଆହୁରି କହିଛନ୍ତି ଯେ ଧର୍ମେନ୍ଦ୍ର ଓଡ଼ିଶାରୁ ବିଧାନସଭା କିମ୍ବା ଲୋକସଭା ଲଢ଼ିବେ ନାହିଁ। କାରଣ ବିଧାୟକ ହେଲେ ପାଦରେ ଚାଲିବାକୁ ପଡ଼ିବ। ହେଲେ ସେ ପବନରେ ଉଡ଼ୁଛନ୍ତି। ପକଟେରୁ ବାହାରୁଥିବା ଟଙ୍କା ଏବଂ ବସ୍ତାରୁ ବାହାରୁଥିବା ଟଙ୍କା ଭିତରେ ପାର୍ଥକ୍ୟ ରହିଛି।

ଏହାର ଜବାବ ଦେଇଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ।

“ବିଜେଡି ନେତାଙ୍କ ଅହଙ୍କାର ଆକାଶଛୁଆଁ ହୋଇଯାଇଛି। ଲମ୍ବା ସମୟ ଧରି ସେମାନେ ଶାସନରେ ବୁଡ଼ି ରହିଥିବାରୁ ଦୁର୍ନୀତିରେ ବୁଡ଼ି ରହିଛନ୍ତି। ଟଙ୍କା ବସ୍ତାରେ ବୁହା ହେଉଛି ନା ନବୀନ ବାବୁଙ୍କ ଖଟତଳେ ରହିଛି ତାହା ମହେଶ ବାବୁ ଜାଣି ନଥିବେ”, କହିଛନ୍ତି ପୃଥ୍ୱୀରାଜ ହରିଚନ୍ଦନ।

ଗତ ସୋମବାର ଧର୍ମେନ୍ଦ୍ର ପ୍ରଧାନ ଅନୁଗୋଳରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଯାଇଥିଲେ। ସେଠାରେ ସେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିବା ସହ ଓଡ଼ିଶାରୁ ନିର୍ବାଚନ ଲଢ଼ିବା ନେଇ ସଙ୍କେତ ଦେଇଥିଲେ। ଏହାପରେ ଚର୍ଚ୍ଚା ହୋଇଥିଲା ଯେ ଧର୍ମେନ୍ଦ୍ର ପାଲଲହଡ଼ାରୁ ନିର୍ବାଚନ ଲଢ଼ିବେ।

Comment