ଓଡ଼ିଶାଲାଇଭ୍‌ ବ୍ୟୁରୋ

କେନ୍ଦ୍ରାପଡ଼ା ଜିଲ୍ଲା ନିକିରାଇ ଥାନା ଇଟିପୁର ଗିରୀମଠ ଗାଁରେ ଘଟିଛି ଅଭାବନୀୟ ଘଟଣା। ମଦ ପିଇ ବାପା ନିଜ ପୁଅ ପେଟରେ ଛୁରୀ ଭୁଷିଦେଇଛି। ପୁଅ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ଗୁରୁବାର ଅପରାହ୍ଣରେ ଇଟିପୁର ଗିରୀମଠ ଗାଁର ସୁନାକର ମଳିକ ନାମକ ଜଣେ ବ୍ୟକ୍ତି ଘରୁ ଟଙ୍କା ପଇସା ଧରି ଗାଁ ଡିଲର ପାଖରୁ ଟଙ୍କିକିଆ ଚାଉଳ ପାଇଁ ଯାଇଥିଲେ। ସ୍ତ୍ରୀ ବିନୀତା ଅପେକ୍ଷା କରିଥିଲେ ସ୍ୱାମୀ ଚାଉଳ ଆଣିଲେ ଘରେ ରୋଷେଇ ହେବ। ରୋଷେଇ ବେଳ ଗଡ଼ିଗଲା ପରେ ସ୍ୱାମୀ ସୁନାକର ମଦ ପିଇ ଘରେ ପହଞ୍ଚିଥିଲା।

ହାତରେ ଚାଉଳ ବ୍ୟାଗ ନଥିବାରୁ ସ୍ତ୍ରୀ ବିନୀତା ସୁନାକରକୁ ଚାଉଳ କାହିଁ ବୋଲି ପଚାରିଲେ। ଏଥିରେ ଉତକ୍ଷୀପ୍ତ ହୋଇ ସୁନାକର ବିନୀତାଙ୍କୁ ନିସ୍ତୁକ ପିଟିବା ଆରମ୍ଭ କରିଦେଲା। ବିନୀତାଙ୍କ ଚିତ୍କାର ଶୁଣି ପୁଅ ପ୍ରମୋଦ ବାପା ସୁନାକରକୁ ବାଧା ଦେଲା। ହେଲେ ମାତାଲ ବାପା ନିଜ ଅଣ୍ଟାରେ ଗୁଞ୍ଜିଥିବା ଏକ ଧାରୁଆ ଛୁରୀକୁ ବାହାର କରି ପୁଅକୁ ନିର୍ଦ୍ଦୟ ଭାବରେ ଭୁଷି ଦେଇଥିଲା। ପ୍ରମୋଦର ଛାତି ଓ ଅଣ୍ଟାରେ ଆଘାତ ଲାଗିଛି। ପଡ଼ୋଶୀ ସୁନାକର କବଳରୁ ଉଭୟ ମା’ ଓ ପୁଅଙ୍କୁ ଉଦ୍ଧାର କରିଥିଲେ।

ଗୁରୁତର ପୁଅ ପ୍ରମୋଦଙ୍କୁ ପ୍ରଥମେ କେନ୍ଦ୍ରାପଡ଼ା ଓ ପରେ କଟକ ଚିକିତ୍ସା ପାଇଁ ପଠାଇଛନ୍ତି ଡାକ୍ତର। ବିନୀତାଙ୍କୁ କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା କରାଯାଇଛି। ନିଜ ଜୀବନ ପ୍ରତି ବିପଦ ଆଶଙ୍କା କରି ମାତାଲ ସ୍ୱାମୀ ବିରୋଧରେ ନିକିରାଇ ଥାନାରେ ଅଭିଯୋଗ କରିଛନ୍ତି।

ଗତ ୧୮ ତାରିଖରେ ପାଟକୁରା ଥାନା ମଧୁସୂଦନପୁର ଗାଁରେ ଜଣେ ମାତାଲ ଯୁବକ ରାତିରେ ନିଶାରେ କାଠ ଫାଳିଆରେ ପିଟି ପିଟି ନିଜ ଅଜା, ଆଇ ଓ ପିଉସୀଙ୍କୁ ହତ୍ୟା କରିବା ସହିତ ନିଜ ସ୍ତ୍ରୀ ଓ ମା’କୁ ଆକ୍ରମଣ କରି ଗୁରୁତର କରିଥିଲା। ମଦପିଇ ହିତାହିତ ଜ୍ଞାନ ଭୁଲିଯାଉଥିବା ଏମିତି ଆଉ ଜଣେ ମଦ୍ୟପର କବଳରୁ ଅଳ୍ପକେ ବଞ୍ଚି ଯାଇଛନ୍ତି ସ୍ତ୍ରୀ ଓ ପୁଅ।

Comment