ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡ ମୋଷ୍ଟ୍ ଟ୍ୟାଲେଣ୍ଟେଡ୍‌ ଆକ୍ଟର ଅଜୟ ଦେବଗନ୍ ଏବେ ଫୁଲ୍ ବିଜି। ଆସନ୍ତୁ ଜାଣିବା ସେ କେଉଁସବୁ ସିନେମାରେ ଆସୁଛନ୍ତି?

ଟୋଟାଲ୍‌ ଧମାଲ୍‌

ପ୍ରଖ୍ୟାତ ନିର୍ମାତା-ନିର୍ଦ୍ଦେଶକ ଇନ୍ଦ୍ର କୁମାରଙ୍କ ସୁପରହିଟ୍‌ ଫିଲ୍ମ ‘ଧମାଲ୍‌’ର ସିକ୍ୱେଲ୍ ‘ଟୋଟାଲ ଧମାଲ’ରେ ଅଜୟ ଦେବଗନ୍‌ ଆସୁଛନ୍ତି ପୁଣି ଏକ କମେଡ଼ି ଅନ୍ଦାଜରେ। ଏଥିରେ ତାଙ୍କୁ ଜବରଦସ୍ତ କମେଡି ରୋଲ୍‌ରେ ଦେଖିବାକୁ ମିଳିବ। ଅଜୟଙ୍କ ସହିତ ଅନୀଲ କପୁର, ମାଧୁରୀ ଦୀକ୍ଷିତ, ଅରଶାଦ୍‌ ୱାରସୀ, ରିତେଶ ଦେଶମୁଖ୍‌ ପ୍ରମୁଖ ଏହି ଫିଲ୍ମ ଅଛନ୍ତି। ଏହା ଆସନ୍ତାବର୍ଷ ରିଲିଜ୍‌ ହେବ।

ସିମ୍ବା

ବଲିଉଡର ନିର୍ଦ୍ଦେଶକମାନଙ୍କ ମଧ୍ୟରେ ରୋହିତ ସେଟ୍ଟୀ ହେଉଛନ୍ତି ଅଜୟ ଦେବଗନଙ୍କର ସବୁଠାରୁ ଭଲ ସାଙ୍ଗ। ରୋହିତଙ୍କ ନିର୍ଦ୍ଦେଶିତ କେବଳ ଦୁଇଟି ଫିଲ୍ମ ‘ଚେନ୍ନାଇ ଏକ୍ସପ୍ରେସ୍‌’ ଓ ‘ଦିଲୱାଲେ’କୁ ବାଦ ଦେଲେ ଅନ୍ୟ ସବୁ ସିନେମାରେ ଅଛନ୍ତି ଅଜୟ। ରୋହିତ ସେଟ୍ଟୀଙ୍କ ଆକ୍ସନ ଫିଲ୍ମ ‘ସିମ୍ବା’ରେ ବି ଦର୍ଶକ ଅଜୟ ଦେବଗନଙ୍କୁ ଭେଟିବେ ଏକ ନୂଆ ରୂପରେ। ଏଥିରେ ସେ ରଣବୀର ସିଂହଙ୍କ ମେଣ୍ଟର ଭୂମିକାରେ ଦେଖାଦେବେ।

ତାନାଜୀ

୨୦୧୯ରେ ଅଜୟ ଦେବଗନ୍‌ଙ୍କ ଅଭିନୀତ ‘ତାନାଜୀ’ ପରଦାକୁ ଆସିବ। ଏଥିରେ ରୁତପତି ଶିବାଜୀଙ୍କ ଜଣେ ଏକାନ୍ତ ଅନୁଗତ ବୀର ଯୋଦ୍ଧାଙ୍କ କାହାଣୀ ଏହି ସିନେମାରେ ଦେଖିବାକୁ ମିଳିବ। ଏଥିରେ ଅଜୟ ଦେବଗନ ଅଛନ୍ତି ଟାଇଟଲ୍‌ ରୋଲ୍‌ରେ।

ଚାଣକ୍ୟ

ବଲିଉଡର ଲୋକପ୍ରିୟ ଅଭିନେତା ଅଜୟ ଦେବଗନ୍‌ ‘ଚାଣକ୍ୟ’ ଟାଇଟଲ୍‌ରେ ନିର୍ମିତ ଏକ ସିନେମାରେ ମଧ୍ୟ କାମ କରୁଛନ୍ତି। ଏଥିରେ ଦର୍ଶକ ଅଜୟଙ୍କୁ ଡବଲ୍‌ ରୋଲ୍‌ରେ ଦେଖିବାକୁ ପାଇବେ ।

ଚାଣକ୍ୟଙ୍କ ଉପରେ ଆଧାରିତ ଏହି ସିନେମାରେ ଜଣେ ଆଜିକାର ଓ ଆଉ ଜଣକ ହେଉଛନ୍ତି ପୂର୍ବ ଯୁଗର ଚାଣକ୍ୟ ବୋଲି କୁହାଯାଉଛି। ରିଲାଏନ୍ସ ଏଣ୍ଟରଟେନମେଣ୍ଟ ଏହାର ପ୍ରଯୋଜକ ଥିବାବେଳେ ନୀରଜ ପାଣ୍ଡେ ନିର୍ଦ୍ଦେଶକ ଅଛନ୍ତି।

ଦେଦେ ପ୍ୟାର୍ ଦେ

ଏହା ଏକ ରୋମାଣ୍ଟିକ୍-କମେଡି ଫିଲ୍ମ। ଏହି ଫିଲ୍ମରେ ଅଜୟ ଦେବଗନ ପୁଣି ଥରେ ଦର୍ଶକମାନଙ୍କୁ ହସାଇ ହସାଇ ବେଦମ କରିବେ। ଏହି ଫିଲ୍ମରେ ଅଜୟଙ୍କ ବିପକ୍ଷରେ ନାୟିକା ଭାବେ ନଜର ଆସିବେ ରକୁଲ ପ୍ରୀତି ସିଂହ। ଏତଦ୍‌ ବ୍ୟତୀତ ତବୁ ଓ ଜିମ୍ମି ଶେରଗିଲ୍‌ଙ୍କୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ପାଇବେ ଦର୍ଶକ। ‘ଦେ ଦେ ପ୍ୟାର୍ ଦେ’ର ନିର୍ଦ୍ଦେଶନା ଦେଇଛନ୍ତି ଅକିବ୍‌ ଅଲ୍ଲୀ। ଏହି ସିନେମା ୨୦୧୯ ଏପ୍ରିଲ ୨୬ ତାରିଖରେ ରିଲିଜ୍‌ ହେବାର ସୂଚନା ମିଳିଛି।

ସନ୍‌ ଅଫ୍‌ ସର୍ଦ୍ଦାର-୨

ଅଜୟ ଦେବଗନଙ୍କର ଏକ ସୁପରହିଟ୍‌ ଫିଲ୍ମ ଥିଲା ‘ସନ୍‌ ଅଫ୍‌ ସର୍ଦ୍ଦାର’। ଏବେ ଏହାର ସିକ୍ୱେଲ୍ ମଧ୍ୟ ନିର୍ମିତ ହେଉଛି, ଏହାର ଟାଇଟଲ୍‌ ରହିଛି ‘ସନ୍‌ ଅଫ୍‌ ସର୍ଦ୍ଦାର-୨’। ଏହାର ପ୍ରଥମ ଭାଗଟି ଏକ କମେଡ଼ି ଥିଲା ବେଳେ ଦ୍ୱିତୀୟ ଭାଗଟି ଏକ ଗମ୍ଭୀର ସିନେମା ବୋଲି ଶୁଣିବାକୁ ମିଳୁଛି। କୁହାଯାଉଛି ଯେ ଏହାର କଥାବସ୍ତୁ ସାରାଗଡ଼ି ଯୁଦ୍ଧ ଉପରେ ଆଧାରିତ। ଏହା ମଧ୍ୟ ୨୦୧୯ର ଅନ୍ୟତମ ଆକର୍ଷଣ ହେବ ବୋଲି ଏବେଠୁଁ ଚର୍ଚ୍ଚା ହେଉଛି। ଅଶ୍ୱିନୀ ଧୀର ଏହାର ନିର୍ଦ୍ଦେଶକ।

ତୁରାମ୍ ଖାନ୍‌

ପ୍ରଖ୍ୟାତ ନିର୍ଦ୍ଦେଶକ ହଂସଲ ମେହେଟ୍ଟା ଅଜୟ ଦେବଗନଙ୍କୁ ନେଇ ପ୍ରଥମ ଥର ଲାଗି ଏକ ଫିଲ୍ମ ନିର୍ମାଣ କରୁଛନ୍ତି। ଏହାର ଟାଇଟଲ୍ ରହିଛି ‘ତୁରାମ୍‌ ଖାନ୍‌’। ଏହା ଏକ ସୋସିଆଲ୍‌ କମେଡ଼ି ଫିଲ୍ମ ବୋଲି ଜଣାଯାଇଛି। ଉତ୍ତରପ୍ରଦେଶର ପ୍ରଚ୍ଛଦପଟରେ ଏହାର କାହାଣୀ ପ୍ରସ୍ତୁତ ହୋଇଛି। ଏହି ସିନେମାରେ ଅଜୟ ଦେବଗନ୍‌ଙ୍କ ସହିତ ରାଜ କୁମାର ରାଓ ଏବଂ ନୁସରତ୍‌ ଭରୁଚା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ। ଏହା ୨୦୧୯ରେ ରିଲିଜ୍‌ ହେବ।

Comment