ଓଡ଼ିଶାଲାଇଭ୍ ବ୍ୟୁରୋ

ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁର ଖୋଳତାଡ଼ କରୁ କରୁ ବଲିଉଡରେ ମିଳିଛି ଡ୍ରଗ୍ସ କାରବାରର ଗୁମର। ଯାହାର ତଦନ୍ତ କରୁଛି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ। ବଲିଉଡର ବହୁ କଳାକାର ଡ୍ରଗ୍ସ ସେବନ କିମ୍ବା କାରବାର କରୁଥିବା ନେଇ ଏନସିବିକୁ ସୂଚନା ମିଳିଛି। ଏନେଇ ଏନସିବି କିଛି ଅଭିନେତ୍ରୀଙ୍କୁ ସମନ୍ ମଧ୍ୟ କରିସାରିଛି।

ଏନସିବି ସମନ୍ କରିଥିବା ଅଭିନେତ୍ରୀମାନଙ୍କ ମଧ୍ୟରେ ଅଛନ୍ତି ବଲିଉଡର କୁଇନ୍ କୁହାଯାଉଥିବା ଦୀପିକା ପାଦୁକୋନ୍। ଶନିବାର ଦିନ ଦୀପିକାଙ୍କୁ ଏନସିବି ଡ୍ରଗ୍ସ ଲିଙ୍କ୍ ଘଟଣା ନେଇ ପଚରାଉଚୁରା କରିବ। ଏଥିପାଇଁ ଦୀପିକା ଗୁରୁବାର ରାତିରେ ମୁମ୍ବାଇ ଫେରିଛନ୍ତି। ସ୍ୱାମୀ ରଣବୀର ସିଂହଙ୍କ ସହ ସେ ଏୟାରପୋର୍ଟରୁ ଆସୁଥିବା ଦେଖିବାକୁ ମିଳିଛି।

ତେବେ ଏନସିବି ଜେରା ସମୟରେ ଦୀପିକାଙ୍କ ସହ ତାଙ୍କ ସ୍ୱାମୀ ରଣବୀର ସିଂହ ରହିବା ନେଇ ଅନୁରୋଧ କରିଥିବା ଏକ ଖବର ମିଳିଛି। ନିଜେ ରଣବୀର ସିଂହ ଏନସିବିକୁ ଏହି ଅନୁରୋଧ କରିଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଛି। ହେଲେ ବିଧିବଦ୍ଧ ଭାବେ ଏନସିବି ପକ୍ଷରୁ ଏନେଇ କୌଣସି ଉତ୍ତର ରଖାଯାଇନାହିଁ।

ଅଭିନେତ୍ରୀ ଦୀପିକା ପାଦୁକୋନ୍ ଡ୍ରଗ୍ସ କାରବାର ଘଟଣାରେ ସମ୍ପୃକ୍ତ ହେବା ଘଟଣା ତିନି ବର୍ଷ ତଳର ବୋଲି କୁହାଯାଉଛି। ୨୦୧୭ ମସିହାର ଏକ ହ୍ୱାଟ୍ସଆପ୍ ଚାଟରୁ ଏନସିବି ଏହି ସୁରାକ୍ ପାଇଥିବା ସୂଚନା ମିଳିଛି। ଏହି ଚାଟରେ ଦୀପିକା ତାଙ୍କ ମ୍ୟାନେଜରଙ୍କୁ ଡ୍ରଗ୍ସ ଆଣିବା ପାଇଁ କହୁଥିବା କୁହାଯାଉଛି।

Comment