ଓଡ଼ିଶାଲାଇଭ୍‌ ବ୍ୟୁରୋ

୨୦୧୯ ଲୋକସଭା ନିର୍ବାଚନକୁ ଆଉ କିଛି ମାସ ବାକି। ରାଜନୈତିକ ଦଳମାନେ ଏଥିଲାଗି ରଣନୀତି ପ୍ରସ୍ତୁତ କରିବା ଆରମ୍ଭ କରିଦେଲେଣି। ଦେଶର ସବୁଠାରୁ ବଡ଼ ରାଜ୍ୟ ଉତ୍ତରପ୍ରଦେଶରେ ଏ ନେଇ ରାଜନୈତିକ ଗତିବିଧି ଜୋର ଧରିଲାଣି। ମିଳିଥିବା ସୂତ୍ର ଅନୁସାରେ କଂଗ୍ରେସଠୁ ଦୂରେଇ ସମାଜବାଦୀ ପାର୍ଟି ଓ ବହୁଜନ ସମାଜ ପାର୍ଟି ମେଣ୍ଟ କରି ଲୋକସଭା ନିର୍ବାଚନ ଲଢ଼ିବେ।

ଦେଶର ତିନି ରାଜ୍ୟରେ ସରକାର ଗଢ଼ିବା ପରେ କଂଗ୍ରେସ ୟୁପି ପାଇଁ ଯେଉଁ ସ୍ୱପ୍ନ ଦେଖିଥିଲା ତାହା ପାଣିରେ ମିଳାଇବାକୁ ଯାଉଛି। ଏସପି ଓ ବିଏସପି ମଧ୍ୟରେ ଆସନ ବୁଝାମଣା ହୋଇସାରିଥିବାବେଳେ କେବଳ ମେଣ୍ଟ ଘୋଷଣା ଅନୌପଚାରିକ ରହିଛି ।

ସୂତ୍ର ଅନୁସାରେ ମୋଟ୍ ୮୦  ଆସନରୁ ଏସପି ଓ ବିଏସପି ସମାନ ସଂଖ୍ୟକ ଆସନରେ ପ୍ରାର୍ଥୀ ଦେଉଥିବା ବେଳେ ଅଜିତ୍ ସିଂଙ୍କ ନେତୃତ୍ୱାଧୀନ ରାଷ୍ଟ୍ରୀୟ ଲୋକ ଦଳ ୩ ଆସନରେ ପ୍ରାର୍ଥୀ ଦେବ।   ଫର୍ମୂଲା ଅନୁସାରେ କଂଗ୍ରେସ ପାଇଁ ଆମେଠି ଓ ରାୟବରେଲି ଛାଡ଼ି ପାରନ୍ତି ଦୁଇ ଦଳ। ଏଭଳି ସ୍ଥିତିରେ ୟୁପିରେ କଂଗ୍ରେସକୁ ଏକାକୀ ନିର୍ବାଚନ ଲଢ଼ିବାକୁ ହେବ।

ସୂଚନା ଅନୁସାରେ ବିଏସପି ସୁପ୍ରିମୋ ମାୟାବତୀଙ୍କ ଜନ୍ମଦିନ ଜାନୁଆରି ୧୫ ତାରିଖରେ ପଡୁଛି ଓ ସେହିଦିନ ଏହି ବୁଝାମଣା ସଂପର୍କରେ ଘୋଷଣା କରାଯିବା ସ୍ଥିର ହୋଇଛି। ଆଗକୁ ଲୋକସଭା ନିର୍ବାଚନ ଥିବାରୁ ଏକ ବଡ଼ ପାର୍ଟି ଆୟୋଜନ କରିପାରେ। ଏହି କାର୍ଯ୍ୟକ୍ରମରେ ଅଣ କଂଗ୍ରେସ ଓ ଅଣ ବିଜେପି ନେତାଙ୍କୁ ଆମନ୍ତ୍ରଣ କରାଯାଇପାରେ।

ତେବେ ଏସପି-ବିଏସପି ମେଣ୍ଟ ଶାସକ ଭାରତୀୟ ଜନତା ପାର୍ଟିକୁ ଅଡୁଆରେ ପକାଇପାରେ। ଗୋରଖପୁର ଓ ଫୁଲପୁର୍ ଲୋକସଭା ଉପ-ନିର୍ବାଚନରେ ଏହି ମେଣ୍ଟ ବିଜେପି ପ୍ରାର୍ଥୀଙ୍କୁ ପରାଜୟର ରାସ୍ତା ଦେଖାଇଥିଲେ।

ଉଲ୍ଲେଖଯୋଗ୍ୟ କି, କେନ୍ଦ୍ରରେ ସରକାର ଗଠନରେ ଉତ୍ତରପ୍ରଦେଶ ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରେ। କାରଣ ଏହି ରାଜ୍ୟରୁ ୮୦ ଜଣ ସାଂସଦ ଲୋକସଭାକୁ ନିର୍ବାଚିତ ହୋଇଥାଆନ୍ତି।

Comment